ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା ହେଲା ବିଶ୍ରା

୪୮ ଘଣ୍ଟା ଯାଏଁ ଘରୁ ନବାହାରିବା ପାଇଁ ନିର୍ଦେଶ

ସମାଜ ପୋର୍ଟାଲ ଡେସ୍କ : ଗତକାଲି ରାଜ୍ୟରେ ଚିହ୍ନଟ ହୋଇଥିବା ୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ ଜିଲାର ବିଶ୍ରା ବ୍ଲକରେ ଦୁଇ ଜଣ ଥିବା ଜଣାପଡିବା ପରେ ସଜାଗ ହୋଇପଡିଛି ପ୍ରଶାସନ । ସୁନ୍ଦରଗଡ ଜିଲା ପ୍ରଶାସନ ପକ୍ଷରୁ ଆଜି ବିଶ୍ରା ବ୍ଲକର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳକୁ ସମ୍ପୁର୍ଣ୍ଣ ସିଲ୍ କରାଯାଇଛି । ଦୁଇ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଲାଗି ଉଦ୍ୟମ ଜାରି ରହିଥିବାରୁ ଏଠାକୁ ଯିବାଆସିବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।

ଡରେଇକେଲା ବସ୍‌ଷ୍ଟପରୁ ପୁରୁଣା ମାର୍କେଟ କମ୍ପ୍ଲେକ୍ସ, ପୁରୁଣା ମାର୍କେଟ କମ୍ପ୍ଲେକ୍ସରୁ ବୁଡେଲଜୋର ରେଲେଓ୍ୱ ଅଣ୍ଡର ପ୍ୟାସେଜ୍, ବୁଡେଲଜୋର ରେଲେଓ୍ୱ ଅଣ୍ଡର ପ୍ୟାସେଜ୍‌ରୁ ନୟା ବସ୍ତି, ନୟା ବସ୍ତିରୁ ଭାରତ ପେଟ୍ରୋଲିୟମ୍ ଛକ, ଭାରତ ପେଟ୍ରୋଲିୟମ ଛକରୁ ଡରେଇକେଲା ବସ୍ ଷ୍ଟପ୍ ପର୍ୟ୍ୟନ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଏ ଅଞ୍ଚଳରେ ସମସ୍ତ ଯାନବାହନ ଚଳାଚଳକୁ ବନ୍ଦ କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଆସୁଥିବା ସମସ୍ତ ବାସିନ୍ଦା ଘର ଭିତରେ ରହିବେ। ୪୮ ଘଣ୍ଟା ପର୍ୟ୍ୟନ୍ତ ଘରୁ ନବାହାରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେହିପରି ଏହି ଅଞ୍ଚଳରେ ସାନିଟାଇଜ୍ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଛି।

Comments are closed.