ସୁନ୍ଦରଗଡ ଜିଲାରେ ବନ୍ଦ ହେଲା ୩୯୯ ବିଦ୍ୟାଳୟ

ସୁନ୍ଦରଗଡ଼: ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ମଧ୍ୟରେ କମ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଷ୍ଠିତ ତଥା ପରିଚାଳିତ ହେଉଥିବା ବିଦ୍ୟାଳୟ ଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟମାନଙ୍କରେ ମିଶ୍ରଣ କରିଦେଇ ଶିକ୍ଷକ ଅଭାବ, ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଣ ଭଳି ଆର୍ଥିକ ବୋଝକୁ କମାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଗତ ମାର୍ଚ୍ଚ ମାସରେ ଏଥିପାଇଁ ଏକ ବ୍ୟାପକ ସର୍ଭେ କରାଯାଇ ୨୦ରୁ କମ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟ ଓ ୨୫ରୁ କମ ଥିବା ଉଚ୍ଚ ପ୍ରାଥମିକ ଶ୍ରେଣୀଗୁଡ଼ିକର ତାଲିକା ପ୍ରସ୍ତୁତ ହୋଇଥିଲା। କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟ ଗୁଡ଼ିକ ଆଗୁଆ ବନ୍ଦ ହୋଇଗଲା। ମାର୍ଚ୍ଚ ୩୧ ଦିନ ଚିହ୍ନଟ ହୋଇଥିବା ବିଦ୍ୟାଳୟ ଗୁଡ଼ିକ ବନ୍ଦ ହୋଇ ଏପ୍ରିଲ ୧ ଦିନ ଲିଡ ସ୍କୁଲ ଗୁଡ଼ିକରେ ନାମ ଲେଖାଯାଇଥାନ୍ତା। ଇତିମଧ୍ୟରେ ନାମ ଲେଖା ପ୍ରକ୍ରିୟା ପୁନଃ ଆରମ୍ଭ ହୋଇଯାଇଥିବା ବେଳେ ଗତ ୧୧.୬.୨୦୨୦ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକ ଷ୍ଟାଣ୍ଡାର୍ଡ଼ ଅପରେସନ ପ୍ରୋଗ୍ରାମ ଜାରି କରି ପୂର୍ବରୁ ଚିହ୍ନଟ ହୋଇଥିବା ସ୍କୁଲ ଗୁଡ଼ିକରେ ନାମ ଲେଖା ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେବା ପରେ ସଂପୃକ୍ତ ବିଦ୍ୟାଳୟ ସହ ଜଡ଼ିତ ଶିକ୍ଷକ ଓ ଅଭିଭାବକ ଆଶା ଓ ଆଶଙ୍କା ମଧ୍ୟରେ ଦ୍ୱନ୍ଦରେ ରହିଥିଲେ। କିନ୍ତୁ, ଆଜି ସୁନ୍ଦରଗଡ଼ ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାକ୍ରମେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜିଲାର ୩୯୯ଟି ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ଶ୍ରେଣୀ ଥିବା ବିଦ୍ୟାଳୟ ଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟରେ ମିଶାଇ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରିଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଜିଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଯୋଗଦେଇ ଗତ ମାର୍ଚ୍ଚରେ ଚିହ୍ନଟ ହୋଇଥିବା ବିଦ୍ୟାଳୟ ଗୁଡ଼ିକ ମଧ୍ୟରୁ ୩୧୩ଟି ବିଦ୍ୟାଳୟରେ କମ ସଂଖ୍ୟାକ ଛାତ୍ରଛାତ୍ରୀ ଥିଲେ ହେଁ ନଦୀ, ନାଳ, ପାହାଡ଼, ଜଙ୍ଗଲ, ଗମନାଗମନ ରାଜ୍ୟସୀମା ଭଳି ପ୍ରାକୃତିକ ଓ ଭୌଗଳିକସ୍ଥିତି ସଂପର୍କରେ ଜିଲାପାଳଙ୍କୁ ଅବଗତ କରାଇଥିଲେ। ସାଂପ୍ରତିକ ସ୍ଥିତିକୁ ହୃଦବୋଧ କରି ଚଳିତ ବର୍ଷ ବନ୍ଦ ହେବାକୁ ଥିବା ୭୧୨ଟି ବିଦ୍ୟାଳୟ ମଧ୍ୟରୁ ୩୧୩ଟି ବିଦ୍ୟାଳୟକୁ ବାଦ ଦେଇ ୩୯୯ଟି ବିଦ୍ୟାଳୟକୁ ମିଶାଇ ଦେବା ଉପରେ ଜିଲାପାଳ ମୋହର ମାରିଛନ୍ତି। ବନ୍ଦ ହେବାକୁ ଯାଉଥିବା ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ଖୁବଶୀଘ୍ର ଆବଶ୍ୟକତା ଥିବା ନିକଟସ୍ଥ ବିଦ୍ୟାଳୟମାନଙ୍କରେ ଅବସ୍ଥାପିତ କରାଯିବ। ସେହି ସମୟରେ ପ୍ରୀୟାପ୍ରିତି ଏବଂ ବିଭିନ୍ନ ମହଲରୁ ଚାପ ପଡ଼ିବା ଆଶଙ୍କା କରି ଜିଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ ଗୋବିନ୍ଦ ଚନ୍ଦ୍ର ସୁଆର ଓ ଏନ.ପି.ଏସ ଶିକ୍ଷକ ସଂଘର ଆବାହକ ହୋତେଶ୍ୱର ଶେଖର ଦେଓ ଶିକ୍ଷକ ଅବସ୍ଥାପନ ସମୟରେ ସଂପୃକ୍ତ ଶିକ୍ଷକଙ୍କ ସହମତି କ୍ରମେ କାଉନସିଲିଂ ଦ୍ୱାରା କାର୍ଯ୍ୟକାରୀ କରିବା ପାଇଁ ଜିଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।

Comments are closed.