୪୦ ଡିଗ୍ରୀ ଉପରେ ୭ସହର

ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଅଳ୍ପ କେତେକ ଜିଲାକୁ ଛାଡ଼ିଦେଲେ ଅର୍ଦ୍ଧାଧିକ ଜିଲାରେ ପାରଦ ତେଜିବାରେ ଲାଗିଛି। ଗୁରୁବାର ୭ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ଡ଼ିଗ୍ରୀ ଅତିକ୍ରମ କରିଛି। ତାଳଚେରରେ ସବୁଠୁ ଅଧିକ ୪୨.୧ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ଟିଟିଲାଗଡ଼ରେ ୪୧.୨, ମାଲକାନଗିରିରେ ୪୧, ପାରଳାଖେମୁଣ୍ଡିରେ ୪୦, ଭବାନୀପାଟଣା, ସମ୍ବଲପୁର ଓ ବଲାଙ୍ଗିରରେ ୪୦ରୁ ୪୧ ଡ଼ିଗ୍ରୀ ମଧ୍ୟରେ ରହିଛି। ହୀରାକୁଦ, ଅନୁଗୋଳ, ବୌଦ୍ଧ ଓ ଝାରସୁଗୁଡ଼ାରେ ୩୯ରୁ ୪୦ଡ଼ିଗ୍ରୀ ମଧ୍ୟରେ ରହିଥିବାବେଳେ ଅନ୍ୟ କେତେକ ଜିଲାରେ ତାପମାତ୍ରା କମ ରହିଥିଲେ ହେଁ ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ହୋଇନାହିଁ କିମ୍ବା ଆସନ୍ତା ୩ଦିନ ଭିତରେ ପାଗରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ ଆସନ୍ତା ଦୁଇଦିନ ଦକ୍ଷିଣ ଓଡ଼ିଶା ଏବଂ ପରବର୍ତ୍ତୀ ଦୁଇଦିନରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷାର ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି।