ଆହୁରି ବଢ଼ିବ ତାତି, ୨ରୁ ଘୂର୍ଣ୍ଣିଝଡ଼

ଭୁବନେଶ୍ବର : ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇଛି। ବି​ଶେଷ କରି ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ତାତି ପ୍ରବଳ ବେଗରେ ବଢ଼ୁଛି। ମାଲକାନଗିରିରେ ଗତ ଚାରିଦିନ ହେଲା ପାରଦ ୪୦ଂ ଉପରେ ରହୁଥିବାବେଳେ ଆଜି ଗଜପତି ଜିଲାରେ ତାତି ୪୦ଡ଼ିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଏହାଛଡ଼ା ଅନୁଗୋଳ, ବାରିପଦା, ଟିଟିଲାଗଡ଼ରେ ପାରଦ ୩୯ରୁ ୪୦ଡ଼ିଗ୍ରୀ ମଧ୍ୟରେ ରହିଛି। ବଲାଙ୍ଗୀର ଓ ବୌଦ୍ଧରେ ତାପମାତ୍ରା ୩୮ଡ଼ିଗ୍ରୀ ଉପରେ ରହିଛି। ଆସନ୍ତା ୪ଦିନ ମଧ୍ୟରେ ରାଜ୍ୟରେ ତାତି ଆହୁରି ବଢ଼ିବାର ସମ୍ଭାବନା ରହିଛି। ବିଭିନ୍ନ ଜିଲାରେ ସର୍ବାଧିକ ତାପମାତ୍ରା ୩ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଗ୍ରୀଷ୍ମପ୍ରବାହ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି। ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୨ରୁ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଝଡ଼ବର୍ଷା ହୋଇପାରେ। ଆସନ୍ତା ୨ ତାରିଖରେ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହିତ ବର୍ଷା ହେବ। ୩ ତାରିଖରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କଟକ ଓ କେନ୍ଦ୍ରାପଡ଼ାରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ୩୦ରୁ ୪୦କିମି ବେଗ​‌େ​‌ର ପବନ ବହିବ। ୪ ତାରିଖରେ ଉତ୍ତର ଓଡ଼ିଶା ଉପକୂଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ ଓ ପୁରୀ ଆଦି ଜିଲାରେ ଘୂର୍ଣ୍ଣିଝଡ଼ ସହିତ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Comments are closed.