ସୁଲ୍‌ତାନ ଅଫ୍ ଜୋହର କପ୍ ଜୁନିୟର ହକି: ଓଡ଼ିଆ ଖେଳାଳିଙ୍କ ୩ଟି ଗୋଲ୍‌ ବଳରେ ମାଲେସିଆକୁ ୪-୨ରେ ହରାଇଲା ଭାରତ

ଜୋହର ବାରୁ (ମାଲେସିଆ): ଶନିବାର ଏଠାରେ ସୁଲ୍‌ତାନ ଅଫ୍ ଜୋହର କପ୍ ଜୁନିୟର ପୁରୁଷ ହକି ଟୁର୍ଣ୍ଣାମେଣ୍ଟର ୯ମ ସଂସ୍କରଣ ଆରମ୍ଭ ହୋଇଛି। ଏହାର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇ ଭାରତୀୟ ଦଳ ତା’ର ଅଭିଯାନ ଆରମ୍ଭ କରିଛି। ଏହି ଲିଗ୍‌ ମ୍ୟାଚ୍‌ରେ ଆୟୋଜକ ମାଲେସିଆକୁ ୪-୨ ଗୋଲ୍‌ରେ ଭାରତ ପରାସ୍ତ କରିଛି। ଭାରତ ୨ଟି ଗୋଲ୍‌ରେ ପଛୁଆ ଥିଲେ ହେଁ କ୍ରମାଗତ ୪ଟି ଗୋଲ୍‌ ଦେଇ ବିଜୟୀ ହୋଇପାରିଛି। ଫଳରେ ୩ ପଏଣ୍ଟ ସହ ଭାରତ ତା’ର ଅଭିଯାନ ଆରମ୍ଭ କରିଛି। ଭାରତ ଦେଇଥିବା ୪ଟି ଗୋଲ୍‌ ମଧ୍ୟରୁ ଓଡ଼ିଆ ଖେଳାଳି ୩ଟି ଗୋଲ୍‌ ଦେଇଥିଲେ। ପ୍ରତାପ ଲାକ୍ରା ୨ଟି ଗୋଲ୍‌ ଦେଇଥିବା ବେଳେ ଶିଳାନନ୍ଦ ଲାକ୍ରା ଗୋଟିଏ ଗୋଲ୍‌ ଦେଇଥିଲେ। ରବିବାର ଜାପାନ ବିପକ୍ଷରେ ଭାରତ ୨ୟ ଲିଗ୍ ମ୍ୟାଚ୍ ଖେଳିବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ ଭାଗ ନେଇଥିବା ବେଳେ ଲିଗ୍ ପର୍ଯ୍ୟାୟରେ ସମସ୍ତେ ପରସ୍ପର ବିପକ୍ଷରେ ଥରେ ଲେଖାଏଁ ଖେଳିବେ।
ଘରୋଇ ଦର୍ଶକଙ୍କଠାରୁ ସମର୍ଥନ ପାଇ ମାଲେସିଆ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ହକି ଖେଳିଥିଲା। ଏହାର ସୁଫଳ ଘରୋଇ ଦଳକୁ ମିଳିଥିଲା। ୮ମ ମିନିଟରେ ମାଲେସିଆର ମହମ୍ମଦ ହାସନ୍ ଏକ ଫିଲ୍‌ଡ ଗୋଲ୍‌ ଦେଇ ଦଳକୁ ଆଗୁଆ କରିଥିଲେ। ଭାରତ ଏହି ଝଟ୍‌କାରୁ ବାହାରିବା ପୂର୍ବରୁ ମାଲେସିଆ ୨ୟ ଗୋଲ୍‌ ଦେଇଥିଲା। ୯ମ ମିନିଟରେ ମାଲେସିଆର ମହମ୍ମଦ ଜୈନୁଦ୍ଦିନ୍ ପେନାଲ୍‌ଟି କର୍ଣ୍ଣରରୁ ଏହି ଗୋଲ୍‌ ଦେଇଥିଲେ। ଏହାପରେ ଗୋଲ୍‌ ସୁଝାଇବା ପ୍ରୟାସରେ ଭାରତୀୟ ଦଳ ଆକ୍ରମଣ କରିିଥିଲେ ହେଁ ମାଲେସିଆ ରକ୍ଷାପନ୍ଥୀ ସେମାନଙ୍କୁ କୌଣସି ସୁଯୋଗ ଦେଇନଥିଲେ। ୨ୟ କ୍ବାର୍ଟରରେ ଭାରତ ଆକ୍ରମଣ କରିଥିଲା। ଫଳରେ ଏହାକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ମାଲେସିଆ ରକ୍ଷାପନ୍ଥୀ ଏହାକୁ ବେକାର କରି ଦେଇଥିଲେ। ୧୯ ମିନିଟରେ ଭାରତକୁ ଏକ ପେନାଲ୍‌ଟି ଷ୍ଟ୍ରୋକ୍୍‌ ମିଳିଥିଲା। ଏଥିରୁ ଓଡ଼ିଆ ଖେଳାଳି ପ୍ରତାପ ଲାକ୍ରା ଗୋଲ୍‌ ସ୍କୋର୍ କରି ପାରିଥିଲେ। ଏହି ଗୋଲ୍‌ ଭାରତ ପାଇଁ ଟନିକ୍ ପରି ଥିଲା ଏବଂ ଏହା ଆକ୍ରମଣ ଜାରି ରଖିଥିଲା। ଭାରତକୁ ପୁଣି ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲେ ହେଁ ଏହା ନିଷ୍ଫଳ ହୋଇଥିଲା। ମଧ୍ୟାନ୍ତର ସୁଦ୍ଧା ମାଲେସିଆ ୨-୧ ଗୋଲ୍‌ରେ ଆଗୁଆ ଥିଲା। ୩୩ ମିନିଟରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରରୁ ଓଡ଼ିଆ ଖେଳାଳି ପ୍ରତାପ ଲାକ୍ରା ଗୋଲ୍‌ ସ୍କୋର୍ କରିଥିଲେ। ୩୯ ମିନିଟରେ ଫରୱାର୍ଡ ତଥା ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା ଗୋଲ୍‌ଦେଇ ଭାରତକୁ ୩-୨ରେ ଆଗୁଆ କରିଥିଲେ। ମାଲେସିଆ ଗୋଲ୍‌ ସୁଝାଇବାର ପ୍ରୟାସ କରିଥିଲେ ହେଁ ଭାରତୀୟ ଡିଫେଣ୍ଡର ଦୃଢ଼ ରହିଥିଲେ। ମ୍ୟାଚ୍‌ର ଅନ୍ତିମ ମିନିଟରେ ଭାରତୀୟ ଜୁନିୟର ଦଳର ଉତ୍ତମ ସିଂହ ୪ର୍ଥ ଗୋଲ୍‌ ସ୍କୋର୍‌ କରିିଥିଲେ।

Comments are closed.