ଶିକାରବେଳେ ଲକ୍ଷ୍ୟଭ୍ରଷ୍ଟ ଗୁଳିରେ ଯୁବକଙ୍କ ମୃତ୍ୟୁ, ଦୁଃଖରେ ତିନି ସାଥୀଙ୍କ ଆତ୍ମହତ୍ୟା

ଡେରାଡୁନ: ଖୁସି କରିବାକୁ ଗାଁ ନିକଟ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ୭ଜଣ ଯୁବକଙ୍କ ପାଇଁ କାଳ ହୋଇଛି। ଶିକାର ସମୟରେ ଲକ୍ଷ୍ୟଭ୍ରଷ୍ଟ ହୋଇ ଏକ ଗୁଳି ବାଜିବାରୁ ଜଣେ ଯୁବକର ମୃତ୍ୟୁ ହୋଇଥିଲା। ଜଣେ ସାଥୀର ମୃତ୍ୟୁରେ ବ୍ୟଥିତ ହୋଇ ଅନ୍ୟ ତିନିଜଣ ଯୁବକ ବିଷପାନ ପୂର୍ବକ ଆତ୍ମହତ୍ୟା କରିଥିଲେ। ଏହି ଯୁବକମାନେ ତେହରି ଜିଲା ଭିଲାଙ୍ଗାନା ବ୍ଲକ କୁଣ୍ଡି ଗ୍ରାମର ବାସିନ୍ଦା। ସମସ୍ତଙ୍କ ବୟସ ୧୮ରୁ ୨୩ବର୍ଷ।

 

ଶନିବାର ରାତିରେ ଏହି ଯୁବକମାନେ ଶିକାର ପାଇଁ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ। ପୁଲିସ କହିବା ଅନୁଯାୟୀ ଶିକାର ସମୟରେ ଭୁଲବଶତଃ ଏକ ଗୁଳି ସନ୍ତୋଷ ପନୱର (୧୯)ଙ୍କ ଠାରେ ବାଜିଥିଲା। ରାଜୀବ ସିଂହ (୨୨) ଧରିଥିବା ଏକ ରାଇଫଲରୁ ଏହି ଗୁଳି ଦୁର୍ଘଟଣାବଶତଃ ଫୁଟିଥିଲା। ତେବେ ଏହି ଗୁଳିରେ ସନ୍ତୋଷଙ୍କର ମୃତ୍ୟୁ ହୋଇଥିଲା। ସନ୍ତୋଷଙ୍କ ମୃତ୍ୟୁରେ ଅନ୍ୟମାନେ ଭୟଭୀତ ହୋଇଯାଇଥିଲେ। ଅନ୍ୟ ୬ଜଣଙ୍କ ମଧ୍ୟରୁ ଅର୍ଜୁନ ସିଂହ, ପଙ୍କଜ ସିଂ ଓ ସୋବନ ସିଂହ ବିଷ ପାନ କରିଥିଲେ। ସେମାନଙ୍କୁ ଡାକ୍ତରଖାନା ଅଣାଯାଇଥିବାବେଳେ ସେଠାରେ ମୃତ ଘୋଷଣା କରାଯାଇଥିଲା। ଭୁଲ୍‌ବଶତଃ ଗୁଳି ଫୁଟାଇଥିବା ରାଜୀବ ଫେରାର ହୋଇଯାଥିବାବେଳେ ଅନ୍ୟ ଦୁଇଜଣ ରାହୁଲ ଓ ସୁମିତ ଗାଁକୁ ଫେରି ସମସ୍ତ ଘଟଣା ପୁଲିସକୁ କହିଥିଲେ। ପୁଲିସ ଘଟଣା ଉପରେ ତଦନ୍ତ ଚଳାଇବା ସହିତ ରାଜୀବଙ୍କ ଖୋଜୁଛି।

Comments are closed.