ମିଳିନି ଦରମା, ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଶ୍ରମିକ

ମଥାନୀ: ଦୀର୍ଘ ୮ ମାସ ହେଲା ମିଳୁନି ଦରମା। ଘରେ ପିଲା ଛୁଆ ଉପବାସ। ଶ୍ରମିକମାନେ ବାରମ୍ବାର ଦାବି ଜଣାଇଆସୁଥିଲେ ମଧ୍ୟ ଶୁଣୁ ନାହାନ୍ତି କମ୍ପାନୀ କର୍ତ୍ତୃପକ୍ଷ। ଘର ପରିବାର କଥା ଚିନ୍ତା କରି ଅସହାୟ ହୋଇପଡ଼ିଥିବା ଜଣେ ଶ୍ରମିକ ଆଜି ଶେଷରେ ଜୀବନ ହାରିଦେଇଛନ୍ତି। ମୃତକ ହେଲେ, ବିର୍ଲା ଟାୟାର୍ସରେ ଚାକିରି କରିଥିବା ବାଲେଶ୍ବର ଜିଲା, ବସ୍ତା ବ୍ଲକ ରାଉତପଡ଼ା ପଞ୍ଚାୟତ ଧେନୁଖୋଜା ଗାଁର ଜଳଧର ପାଳଙ୍କ ପୁଅ ଅକ୍ଷୟ(୪୫)। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ୮ ମାସରୁ ଅଧିକ ହେବ କମ୍ପାନୀ ଦରମା ଦେଉନାହିଁ। ଘରେ ଟଙ୍କା ପଇସାର ଅଭାବ ଥିବାବେଳେ ଚଳିବା ଏବେ ବଡ଼ କଷ୍ଟକର ହୋଇପଡ଼ିଛି। ଆର୍ଥିକ ଅନାଟନ ସହିତ ରୋଗଜ୍ବାଳା ତାଙ୍କୁ ଅସହ୍ୟ କରୁଥିଲା ବୋଲି ଘର ଲୋକେ କହିଛନ୍ତି।
ବୁଧବାର ସେ ଘରୁ କେଉଁଆଡ଼େ ପଳାଇଥିଲେ। ମାତ୍ର ରୂପସା ଷ୍ଟେସନ ଠାରୁ ୩ କିମି ଦୂର ଉଗାଳସେଣ୍ଡ ପୋଲଠାରେ ଟ୍ରେନ ଧାରଣାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ରେଳ ବିଭାଗ ପକ୍ଷରୁ ମୃତଦେହ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।