ସୁବ୍ରତ ବାଗଚୀ ଓଡ଼ିଶା ଦକ୍ଷତା ବିକାଶ ଅଧ୍ୟକ୍ଷ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ୨ଟି ନୂତନ ପଦରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଥଇଥାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଭାବେ ସୁବ୍ରତ ବାଗଚୀଙ୍କୁ ପୁନଶ୍ଚ ନିଯୁକ୍ତି ଦିଆଯାଇଛି। ଏହାସହିତ ଶ୍ରୀ ବାଗଚୀଙ୍କୁ କ୍ୟାବିନେଟ ପାହ୍ୟା ମଧ୍ୟ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ଏଥିପୂର୍ବରୁ ଶ୍ରୀ ବାଗଚୀ ଉକ୍ତ ଦାୟିତ୍ବ ତୁଲାଇ ଆସୁଥିଲେ । ମାତ୍ର କେତେକ ବ୍ୟକ୍ତିଗତ କାରଣ ପାଇଁ ଶ୍ରୀ ବାଗଚୀ ଉକ୍ତ ପଦରୁ ଇସ୍ତଫା ଦେଇଥିଲେ।
ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଶିଷ୍ଟ ଶିକ୍ଷାବିତ୍ ଡ. ବିଜୟ ସାହୁଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ସାହୁ ଭୁବନେଶ୍ବର ସାଇ ଇଣ୍ଟରନେସ୍‌ନାଲ ସ୍କୁଲର ଅଧ୍ୟକ୍ଷ ତଥା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ହାବାର୍ଡ ସ୍କୁଲ ସହ ନେସନାଲ ସ୍କୁଲ ଅଫ୍ ଲିଡରସିପ୍‌, ନଟିଂହାମ୍‌, ୟୁକେରୁ ସ୍କୁଲ ସମ୍ବନ୍ଧୀୟ ଉଚ୍ଚଶିକ୍ଷା ସମାପ୍ତ କରିବା ପରେ ଓଡ଼ିଶାରେ କିଭଳି ବିଶ୍ବମାନର ସ୍କୁଲ ଶିକ୍ଷାଦାନ ହୋଇପାରିବ ସେଥିଲାଗି ସେ ଦୀର୍ଘବର୍ଷ ହେଲା କାର୍ଯ୍ୟ କରୁଛନ୍ତି। ନିଯୁକ୍ତି ଫଳରେ ଶ୍ରୀ ସାହୁଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଥିବା ଜଣାଯାଇଛି।

Comments are closed.