ପ୍ରଧାନମନ୍ତ୍ରୀ ଅପ୍ରୀତିକର ସତ୍ୟ ଶୁଣିବାକୁ ନିଜ ଧୈର୍ଯ୍ୟର ବିକାଶ କରନ୍ତୁ: ସୁବ୍ରମଣ୍ୟନ ସ୍ବାମୀ

ମୁମ୍ବଇ: ଦେଶରେ ଏବେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଛି। ଦେଶର ଜିଡିପି ୬ବର୍ଷ ତଳର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଏଥିରୁ ମୁକୁଳିବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି। କିନ୍ତୁ ସରକାରଙ୍କ ନୀତି ଏବଂ କାର୍ଯ୍ୟଧାରାକୁ ନେଇ କେବଳ ବିରୋଧୀ ନୁହନ୍ତି, ଶାସକ ଦଳର ନେତାମାନେ ମଧ୍ୟ ପ୍ରଶ୍ନ କରିବା ସହିତ ସମାଲୋଚନା କରିବା ଆରମ୍ଭ କଲେଣି। ଏହି କ୍ରମରେ ସାମିଲ ହୋଇଛନ୍ତି ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟନ ସ୍ବାମୀ। ସେ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାରକୁ ସମାଲୋଚନା କରିଛନ୍ତି। ସ୍ବାମୀ ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଅପ୍ରୀତିକର ସତ୍ୟ ଶୁଣିବା ଲାଗି ନିଜ ଧୈର୍ଯ୍ୟର ବିକାଶ କରନ୍ତୁ ଏବଂ ତାଙ୍କ ସରକାରର ଅର୍ଥଶାସ୍ତ୍ର ବିଶାରଦମାନଙ୍କୁ ଭୟଭୀତ ନ କରାଇ ସେମାନଙ୍କ କଥା ଶୁଣିବାକୁ ଚେଷ୍ଟା କରନ୍ତୁ। ଏହା ସହିତ ଦେଶର ଏଭଳି ଅବସ୍ଥା ପାଇଁ ସେ ବିମୁଦ୍ରୀକରଣ ଏବଂ ଜିଏସଟିକୁ ଦାୟୀ କରିଛନ୍ତି। ସରକାର ଉଚ୍ଚତର ଅଭିବୃଦ୍ଧି ଲାଗି ଦରକାର ପଡ଼ୁଥିବା ନୀତିଗୁଡ଼ିକୁ ବୁଝିନାହାନ୍ତି। ଆମ ଅର୍ଥଶାସ୍ତ୍ର ବିଶାରଦମାନେ ମଧ୍ୟ ସରକାରଙ୍କୁ ସତ୍ୟ କହିବାକୁ ଡରୁଛନ୍ତି ବୋଲି ସୁବ୍ରମଣ୍ୟନ ସ୍ବାମୀ କହିଛନ୍ତି।

Comments are closed.