ଦେଶଭକ୍ତଙ୍କ ଯୁବରାଜ ସୁଭାଷଙ୍କ ସ୍ବପ୍ନ

ଚିତ୍ତରଞ୍ଜନ ମହାନ୍ତି

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ “ଦେଶଭକ୍ତଙ୍କ ଯୁବରାଜ (Prince of Patriot)” ପଦରେ ଆଭୂଷିତ କରିଥିଲେ ଅଖଣ୍ଡ ଭାରତର ସ୍ୱାଧୀନତା ଆନ୍ଦୋଳନର ସର୍ବମାନ୍ୟ ସେନାପତି ମହାତ୍ମା ଗାନ୍ଧୀ। ୧୯୪୩ ଅକ୍ଟୋବର ୨୧ ତାରିଖରେ ଅଖଣ୍ଡ ଭାରତର ଆଜାଦ ହିନ୍ଦ୍‍ ସରକାର ଗଠନ ହୋଇଥିଲା ଓ ତା’ର ମୁଖ୍ୟ ହୋଇଥିଲେ ନେତାଜୀ। ସେ ସରକାରକୁ ଜର୍ମାନ୍‍, ଜାପାନ, ଇଟାଲୀ ସମେତ ନଅଟି ରାଷ୍ଟ୍ର ମାନ୍ୟତା ପ୍ରଦାନ କରିଥିଲେ। ଅଖଣ୍ଡ ଭାରତର ରାଷ୍ଟ୍ରମୁଖ୍ୟ ଭାବେ ନେତାଜୀ ସୁଭାଷ ମହାତ୍ମା ଗାନ୍ଧୀଙ୍କୁ ‘ଜାତିର ଜନକ(Father of Nation)’ ଭାବେ ସମ୍ବୋଧନ କରିଥିଲେ। ସବୁ ପୂର୍ବାନୁମାନକୁ ଖାରଜ କରି ମହାତ୍ମା ଗାନ୍ଧୀ ୧୯୪୨ ଅଗଷ୍ଟ ନଅ ତାରିଖରେ ଯେତେବେଳେ ବ୍ରିଟିଶ ଉପନିବେଶବାଦୀ ସରକାରକୁ ‘ଭାରତ ଛାଡ’ ବୋଲି ଚରମ ପତ୍ର ଦେଲେ ଓ ଜନଗଣଙ୍କୁ ‘କର ବା ମର’ର ଆହ୍ୱାନ ଦେଲେ ନେତାଜୀ ସେ ଆହ୍ୱାନରେ ଅତି ଅଭିଭୂତ ହୋଇଗଲେ। ବର୍ଲିନରେ ରହି ସମୟ ଅପଚୟ କରିବା ନିରର୍ଥକ ମନେ କରି ୧୯୪୩ ମସିହା ଫେବୃୟାରୀ ୭ ତାରିଖରେ ଜର୍ମାନର କିଏଲ ବନ୍ଦରରୁ ସେ ବୁଡା ଜାହାଜରେ ଜାପାନ ଯାତ୍ରା କଲେ। ଗାନ୍ଧିଜୀ ଦେଶ ଭିତରେ ରହି ବ୍ରିଟିଶକୁ ତଡିବାକୁ ଡାକରା ଦେଲାବେଳେ ନେତାଜୀ ବିଦେଶରେ ରହି ଆଜାଦ୍‍ ହିନ୍ଦ ଫୌଜ ଗଠନ କରି ‘ଦିଲ୍ଲୀ ଚଲୋ’ ଡାକରା ଦେଲେ ଓ ୧୯୪୪ ଏପ୍ରିଲ ୧୪ ତାରିଖରେ ଇମ୍ଫାଲ ଦଖଲ କରି ସେ ଡାକରାକୁ ସାର୍ଥକ କଲେ। ବିଶ୍ୱଯୁଦ୍ଧର ଗତି ବଦଳି ନଥିଲେ ଓ ପରମାଣୁ ବୋମାର ପ୍ରକୋପରେ ପରାଜିତ ଜାପାନ ପଛ ଘୁଞ୍ଚା ଦେଇ ନଥିଲେ ନେତାଜୀ ଦିଲ୍ଲୀ ଦଖଲ କରି ଅଖଣ୍ଡ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିଥାନ୍ତେ।

ଭାରତକୁ ଉପନିବେଶ କରି ରାଜୁତି କରୁଥିବା ବ୍ରିଟିଶ ସରକାରକୁ ବିଦା କରିବାର କୌଶଳ ସଂପର୍କରେ ନେତାଜୀ ଓ ଗାନ୍ଧିଜୀଙ୍କ ମଧ୍ୟରେ ଥିବା ଭିନ୍ନ ମତକୁ ବ୍ରିଟିଶ ଶାସନର ଭକ୍ତମାନେ ହିଁ ଅତୀତରେ ବିବାଦର ରଙ୍ଗ ଦେଇଥିଲେ। ଗାନ୍ଧୀଙ୍କ ସହ ଜେଲରେ ଥିବାବେଳେ କସ୍ତୁରବାଙ୍କର ମୃତ୍ୟୁ ହୁଏ। ସୁଭାଷ ବାପୁଙ୍କୁ ସାନ୍ତ୍ୱନା ଦେଇ ପତ୍ର ଲେଖିଥିଲେ- ‘କେବଳ ଆପଣଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିନାହିଁ ଭାରତୀୟଙ୍କର ମାତୃବିୟୋଗ ଘଟିଛି’।

ଆଜିକାଲି ଏ ନଗଣ୍ୟ କାଳ୍ପନିକ ବିବାଦର ଚର୍ଚ୍ଚା ଜୋରସୋରରେ ଚାଲିଛି। ବିତର୍କର ମୁଖପାତ୍ରମାନେ ନା ନେତାଜୀଙ୍କ ସ୍ୱପ୍ନକୁ ଜାଣନ୍ତି ନା ଗାନ୍ଧିଜୀଙ୍କ ବିଚାରକୁ ବୁଝନ୍ତି। ନେତାଜୀଙ୍କ ପ୍ରତି ଲୋକଦେଖାଣିଆ ଅଧିକ ଶ୍ରଦ୍ଧା ପ୍ରକଟ କରୁଥିବା ଅଧିକାଂଶ ହିଂସାକୁ ମହିମା ଖଣ୍ଡିତ କରିବାକୁ ଯାଇ ନେତାଜୀଙ୍କୁ ହିଂସାବାଦୀ ଭାବେ ଆଖ୍ୟାୟିତ କରି ଅଜାଣତରେ ହେଉ ପଛେ ତାଙ୍କୁ ଅପମାନିତ କରୁଛନ୍ତି। ନେତାଜୀ ତାଙ୍କ ରାଜନୈତିକ ଜୀବନରେ କେବେ ହିଂସାର ଆଶ୍ରୟ ନେଇ ନାହାନ୍ତି। ସେ ଥିଲେ ଜଣେ ସର୍ବଶ୍ରେଷ୍ଠ ସଂଗଠକ। ପଣ୍ଡିତ ମୋତିଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ କଲିକତାରେ ୧୯୨୮ରେ ହୋଇଥିବା କଂଗ୍ରେସର ବାର୍ଷିକ ଅଧିବେଶନ ସବୁଠାରୁ ଭବ୍ୟ ଓ ଶୃଙ୍ଖଳିତ ଅଧିବେଶନ ଥିଲା। ଏହାର ମୁଖ୍ୟ ଆୟୋଜକ ଥିଲେ ସୁଭାଷ। ସେ କଂଗ୍ରେସ ସେବାଦଳର ମୁଖ୍ୟ ପରିଚାଳକ ଥିଲେ। ତାଙ୍କ ଦଳରେ ମୋଟର ସାଇକଲ ୟୁନିଟ୍‍, ଅଶ୍ୱାରୋହୀ ୟୁନିଟ୍‍ ଏପରି କି ମହିଳା ୟୁନିଟ୍‍ ଥିଲେ। ସମସ୍ତ ସେବକ ଅର୍ଦ୍ଧ ସୈନିକ ପୋଷାକ ପିନ୍ଧି ପରେଡ କରିଥିଲେ ଓ ନିଜେ ସୁଭାଷ ସେ ପରେଡକୁ କମାଣ୍ଡର ଭାବେ ପରିଦର୍ଶନ କରିଥିଲେ।

ଦେଶରକ୍ଷା ପାଇଁ ଯୁଦ୍ଧ, ହିଂସା ନୁହେଁ। ୧୯୪୭ ଅକ୍ଟୋବର ମାସରେ କାଶ୍ମୀର ଉପରେ ପାକିସ୍ତାନ କରିଥିବା ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ଯୁଦ୍ଧ କରିଥିଲା। ଏହାକୁ ଗାନ୍ଧିଜୀ କେବଳ ସମର୍ଥନ କରି ନଥିଲେ ପ୍ରେରିତ ମଧ୍ୟ କରିଥିଲେ। ଗାନ୍ଧିଜୀଙ୍କ ପ୍ରିୟ ଜୟପ୍ରକାଶ ଓ ଶେଖ ଅବଦୁଲ୍ଲାଙ୍କ ଭିତରେ ପ୍ରଜା ଆନ୍ଦୋଳନ ପରିପ୍ରେକ୍ଷୀରେ ଥିବା ଅତୁଟ ସଂପର୍କ ଯୋଗୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ପାରିଥିଲା। ନେତାଜୀ ଯୁଦ୍ଧ ଘୋଷଣା କରିଥିଲେ; ଅଖଣ୍ଡ ସ୍ୱାଧୀନ ଭାରତର ରାଷ୍ଟ୍ରମୁଖ୍ୟ ଭାବେ; ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ। ଉପନିବେଶବାଦ ବିରୁଦ୍ଧରେ ତାଙ୍କର ସଂଗ୍ରାମ ଥିଲା ସାଲିସହୀନ। ସୁଭାଷ ନିଖୋଜ ହୋଇନଥଲେ ଅଖଣ୍ଡ ଭାରତ କେବଳ ବିରାଜମାନ କରୁନଥାନ୍ତା, ସୁଭାଷଙ୍କ ସ୍ୱପ୍ନକୁ ସାକାର କରିବାପାଇଁ ସଂକଳ୍ପବଦ୍ଧ ଭାବେ ବ୍ରତୀ ହୋଇଥାନ୍ତା ଓ ଅଚିରେ ଶୋଷଣମୁକ୍ତ ବିଶ୍ୱ ସୃଷ୍ଟି କରିବାରେ ମାର୍ଗ ଦର୍ଶକ ହୋଇଥାନ୍ତା। ବାସ୍ତବତଃ ବିଶ୍ୱଗୁରୁ ହୋଇଥାନ୍ତା।

ତୁଳସୀ ଦୁଇପତ୍ରରୁ ବାସିଲା ଭଳି ନେତାଜୀ ବାଲ୍ୟକାଳରୁ ହିଁ ପ୍ରଚଣ୍ଡ ଦେଶଭକ୍ତ ଥିଲେ। ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ସେ ଭାଇଚାରାର ସହର କଟକର କେନ୍ଦ୍ର ଓଡିଆ ବଜାରରେ ଜନ୍ମ ଗ୍ରହଣ କରିଥିଲେ। ନାଁ ଓଡିଆ ବଜାର; କିନ୍ତୁ ସେଠି କ୍ଷୁଦ୍ର ଭାରତ ଅବସ୍ଥିତ। ହିନ୍ଦୁ, ମୁସଲମାନ, ବଙ୍ଗାଳୀ, ତେଲୁଗୁ, ଗଉଡ, ଗୁଡିଆ ସମସ୍ତେ ଓଡିଆ ବଜାରର ବାସିନ୍ଦା। ପିଲାଟି ଦିନରୁ ସେହି ଭାରତ ମେଳରେ ବଢିଥିବା ମଣିଷର ଦେଶପ୍ରେମ କ୍ଷୁଦ୍ର ନ ହୋଇ ବ୍ୟାପକ ହେବା ସ୍ୱାଭାବିକ। ତାଙ୍କ ଦେଶ ପ୍ରେମରେ ମହନଦୀ, ଗଙ୍ଗା କି ହିମାଳୟ ଭଳି ଭୌଗୋଳିକ ସଂପଦ ସହ ଦେଶବାସୀ ମଧ୍ୟ ସମ୍ମିଳିତ ଥିଲେ।

୧୯୧୧ ଅଗଷ୍ଟ ୧୧ ତାରିଖରେ ରେଭେନ୍ସା କଲିଜିଏଟ୍‍ ସ୍କୁଲରେ ସହିଦ ଖୁଦିରାମଙ୍କ ଫାଶୀ ଦିବସ ପାଳନ କରି ନେତାଜୀ ନିଜ ସ୍ୱାଧୀନତା ସଂଗ୍ରାମୀ ଜୀବନର ଶୁଭାରମ୍ଭ କରିଥିଲେ। ସେ ସମୟ ବିଷୟରେ ତରୁଣ ସ୍ୱପ୍ନରେ ସେ ଲେଖିଛନ୍ତି- “ଛାତ୍ର ଜୀବନର ଉଦ୍ଦେଶ୍ୟ କେବଳ ପରୀକ୍ଷାରେ ପାସ ଓ ସ୍ୱର୍ଣ୍ଣପଦକ ଲାଭ କରିବା ନୁହେଁ। ଦେଶସେବା ପାଇଁ ପ୍ରାଣ ପ୍ରାଚୁର୍ଯ୍ୟ ଓ ଯୋଗ୍ୟତା ଅର୍ଜନ କରିବା, ଦେଶ ମାତୃକାର ଚରଣତଳେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗ କରିଦେବା-ଏହା ହିଁ ଏକମାତ୍ର ସାଧନା ହେବା ଉଚିତ୍‍। ଏହି ସାଧନା ଛାତ୍ର ଜୀବନରୁ ହିଁ ଆରମ୍ଭ କରିବାକୁ ହେବ।”
ପିଲାଟି ଦିନରୁ ଅସଲ ଭାରତକୁ ସେ ଭଲ ଭାବରେ ଚିହ୍ନି ଥିଲେ। ସେ ସଂପର୍କରେ ୧୯୩୭ ମସିହାରେ ଅସମାପ୍ତ ଆତ୍ମଚରିତ ଇଣ୍ଡିଆନ ପିଲିଗ୍ରୀମ ପୁସ୍ତକରେ ସେ ଲେଖିଛନ୍ତି, “ମୁଁ କଲେଜରେ ପଢିବା ସମୟରେ ପ୍ରଥମ ବର୍ଷ(୧୯୧୪) ଛୁଟିରେ କଟକ ଫେରିଥାଏ। ସେହି ସମୟରେ ଓଡିଶାର ଗାଁ ଗହଳିରେ କଲେରା ମହାମାରୀ ବ୍ୟାପିଥାଏ। ଆମେ କିଛି ସାଙ୍ଗ ଏକାଠି ହୋଇ ଗାଁକୁ ଗାଁ ବୁଲିବା ଆରମ୍ଭ କଲୁ ଓ କଲେରା ରୋଗୀଙ୍କ ସେବା କରିବାକୁ ଲାଗିଲୁ। ଆମ ପାଖରେ ବିଶେଷ କିଛି ଡାକ୍ତରୀ ଜ୍ଞାନ ନଥାଏ। ମୋର ମନେ ହେଉନାହିଁ ଯେ ଆମର ସେବା କିଛି ରୋଗୀଙ୍କୁ ପ୍ରାଣଦାନ କରିଥିଲା; କିନ୍ତୁ ପ୍ରାୟ ଗୋଟିଏ ସପ୍ତାହ ଗାଁ ଗଣ୍ଡାରେ ବୁଲିବା ମଧ୍ୟରେ ଭାରତର ପ୍ରକୃତ ଚିତ୍ର କ’ଣ ମୁଁ ବୁଝିପାରିଥିଲି। କିପରି ଦାରିଦ୍ର୍ୟ ଚାରିଆଡେ ଗ୍ରାସ କରିଛି, ଲୋକମାନେ ପୋକମାଛି ପରି ମରୁଛନ୍ତି ଏବଂ ଅଶିକ୍ଷା କିପରି ସମସ୍ତଙ୍କୁ କବଳିତ କରି ରଖିଛି ତାହା ମୁଁ ମର୍ମେ ମର୍ମେ ଅନୁଭବ କରିଥିଲି।” ଗାନ୍ଧୀ, ଗୋପବନ୍ଧୁ, ନେତାଜୀ ପ୍ରମୁଖ ସବୁ ମହାନ ନେତା ଓଡିଶାରୁ ହିଁ ଭାରତର ଦୁଃଖ ଦୈନ୍ୟର ଅସଲ ଚିତ୍ର ଜାଣି ସ୍ୱାଧୀନତା ହିଁ ଏହାର ପ୍ରଥମ ନିଦାନ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।

ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ଧାଡିରେ ଛାତ୍ର ଯୁବକ ରହିଲେ, ସ୍ୱାଧୀନତା ଆନ୍ଦୋଳନ ଲକ୍ଷ୍ୟଚ୍ୟୁତ ହେବ ନାହିଁ ବୋଲି ସୁଭାଷ ବିଶ୍ୱାସ କରୁଥିଲେ। ସେ ସଂପର୍କରେ ନୂତନର ସନ୍ଧାନେ ଶୀର୍ଷକରେ ସେ ଲେଖିଛନ୍ତି-“ଛାତ୍ର ଆନ୍ଦୋଳନ ଦାୟିତ୍ୱହୀନ ଯୁବକ ଯୁବତୀଙ୍କ ଏକ ଲକ୍ଷ୍ୟହୀନ ଅଭିଯାନ ନୁହେଁ। ଯେଉଁ ସବୁ ଦାୟିତ୍ୱଶୀଳ କର୍ମଠ ଯୁବକ ଯୁବତୀ ନିଜର ଚରିତ୍ର ଓ ବ୍ୟକ୍ତିତ୍ୱକୁ ସୁଗଠିତ କରି ଦେଶ କାର୍ଯ୍ୟଗୁଡିକୁ ସୁଚାରୂରୂପେ ସଂପନ୍ନ କରିବାକୁ ଚାହାନ୍ତି, ଏହା ସେମାନଙ୍କ ଆନ୍ଦୋଳନ।” ଏହାର ଉଦ୍ଦେଶ୍ୟ ସଂପର୍କରେ ସେ ଲେଖିଛନ୍ତି- “ନୂତନ ସନ୍ଧାନ କରିବା, ନୂତନ ସମାଜ, ନୂତନ ରାଷ୍ଟ୍ର, ନୂତନ ଅର୍ଥନୀତିର ପ୍ରବର୍ତ୍ତନ କରିବା ସର୍ବୋପରି ମଣିଷକୁ ନୂତନ ଆଦର୍ଶରେ ଉଦ୍‍ବୁଦ୍ଧ କରି ମାନବିକତାର ଉଚ୍ଚତର ସୋପାନକୁ ଉନ୍ନୀତ କରିବା।”

ସମାଜର ଅର୍ଦ୍ଧଅଂଶ ନାରୀ। ସେ କୁଣ୍ଠିତ ହୋଇ ଘର କୋଣରେ ପଡି ରହିଲେ ସୁସ୍ଥ ସମାଜ ଗଠନ ହୋଇପାରିବ ନାହିଁ ବୋଲି ସୁଭାଷ ସବୁ ରକ୍ଷଣଶୀଳତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ସେ ଲେଖିଛନ୍ତି- “ପୁରୁଷ ଯେଉଁ ସ୍ୱାତନ୍ତ୍ର୍ୟ ଓ ସ୍ୱାଧୀନତା ଉପଭୋଗ କରୁଛି, ନାରୀକୁ ମଧ୍ୟ ମୁଁ ସେହି ସ୍ୱାଚ୍ଛନ୍ଦ୍ୟ ଓ ସ୍ୱାତନ୍ତ୍ର୍ୟର ଅଧିକାରିଣୀଭାବେ ଦେଖିବାକୁ ଚାହେଁ। ପୁରୁଷମାନେ କୌଣସି ଦିନ ସ୍ୱତଃସ୍ଫୁର୍ତ୍ତ ଭାବେ ନାରୀକୁ ତାହା ଦେବେ ଓ ଦେଲେ ମଧ୍ୟ ନାରୀମାନେ ସତରେ ତାହା ପାଇବେ, ଏ ବିଶ୍ୱାସ ମୋର ନାହିଁ। ନାରୀକୁ ହିଁ ବିଦ୍ରୋହ କରି ତା’ର ଅଧିକାର ଅର୍ଜନ କରିବାକୁ ହେବ। ଏହା ବିନା ଗତ୍ୟନ୍ତର ନାହିଁ।”

ଆଜି ଦିନରେ ଭାରତୀୟ ସେନାରେ ନାରୀ ନିଯୁକ୍ତିକୁ ନେଇ ଅନେକ କୁଣ୍ଠା। ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଯୋଗୁ ସେନାରେ ନାରୀଙ୍କ ପଦପ୍ରାପ୍ତ ସମ୍ଭବ ହୋଇପାରିଛି। ଅଥଚ ୧୯୪୩ ମସିହା ଅକ୍ଟୋବର ୨୨ତାରିଖରେ ନେତାଜୀ ଆଜାଦ ହିନ୍ଦ ସେନାର “ରାଣୀ ଝାନ୍‍ସୀ ରେଜିମେଣ୍ଟ”କୁ ବିଧିବଦ୍ଧ ଭାବେ ଉଦ୍‍ଘାଟନ କରିଥିଲେ।

ନେତାଜୀ କୁଣ୍ଠିତ ପରମ୍ପରାର ଘୋର ବିରୋଧୀ ଥିଲେ। ନିଜ ପରିବାରର କନିଷ୍ଠ ଓ ଗେହ୍ଲା ହୋଇଥିଲେ ମଧ୍ୟ ଧର୍ମ ଓ ଗୋଷ୍ଠୀଗତ ସଂକୀର୍ଣ୍ଣତା ବିରୁଦ୍ଧରେ ଯିବାକୁ ସେ ପରିବାରକୁ ଏଡାଇ ଯାଉଥିଲେ। ସେ ଲେଖିଛନ୍ତି ‘ଭାରତ ପରି ଏକ ଦେଶରେ, ବିଶେଷ କରି ରକ୍ଷଣଶୀଳ ପରିବାରରେ ଜାତି, ସଂପ୍ରଦାୟକୁ ନେଇ କୁଣ୍ଠା ଥାଏ। ସେ ପରିବାର ପିଲାମାନେ ପାଠ ପଢି ବଡ ହେଲା ପରେ ବି ସେ କୁଣ୍ଠାରୁ ମୁକୁଳି ପାରନ୍ତି ନାହିଁ। ତେଣୁ ଅନେକ ସମୟରେ ବିବେକୀ ପିଲା ବଡ ହେବାବେଳେ ପରିବାର କୁସଂସ୍କାର ବିରୁଦ୍ଧରେ ବିଦ୍ରୋହ କରିବା ଲକ୍ଷ୍ୟ କରାଯାଏ।’

୧୯୩୮ ମସିହାରେ ସୁଭାଷ କଂଗ୍ରେସର ସର୍ବସମ୍ମତ ସଭାପତି ନିର୍ବାଚିତ ହେଲେ। ସେତେବେଳେ ଅଖଣ୍ଡ ଭାରତର ୧୧ଟି ପ୍ରଦେଶ ମଧ୍ୟରୁ ୭ଟି ପ୍ରଦେଶରେ କଂଗ୍ରେସର ସରକାର ଥିଲା। ସେ ସରକାରର ମୁଖ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା। ଓଡିଶାର ନିର୍ବାଚିତ ପ୍ରଧାନମନ୍ତ୍ରୀ ଥିଲେ ବିଶ୍ୱନାଥ ଦାସ। କଂଗ୍ରେସ ସଭାପତି ଭାବେ ସରକାରମାନଙ୍କୁ ପରାମର୍ଶ ଦେବା ଛଳରେ ନେତାଜୀ କହିଥିଲେ- “ଆମ ମନ୍ତ୍ରୀମାନଙ୍କର ପ୍ରଥମ କର୍ତ୍ତବ୍ୟ ହେବ ଅମଲାତନ୍ତ୍ରକୁ ବଦଳାଇବା ଓ ସଜାଡିବା ଯେପରି କି ଆମ ନୀତି ଓ ଆଦର୍ଶ ବାସ୍ତବରେ ସାକାର ହେବ। ଦ୍ୱିତୀୟ କର୍ତ୍ତବ୍ୟ ହେବ, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଭୂସଂସ୍କାର, ଶିଳ୍ପ, କର୍ମଚାରୀ କଲ୍ୟାଣ, ମଦ୍ୟ ନିଷେଧ, କାରାଗାର ସୁଧାର ଆଦି ବିକାଶ କାର୍ଯ୍ୟକୁ ନୀତି ଓ ଆଦର୍ଶ ମୁତାବକ କାର୍ଯ୍ୟକାରୀ କରିବା।”

ଦେଶଭକ୍ତଙ୍କ ଏହି ଯୁବରାଜ ସ୍ୱାଧୀନ ଭାରତର ସମ୍ରାଟ ହେବାକୁ ଉପଲବ୍ଧ ହେଲେ ନାହିଁ କିନ୍ତୁ ଦେଶବାସୀଙ୍କ ହୃଦୟରେ ମୁକୁଟ ବିହୀନ ସମ୍ରାଟ ହୋଇ ଅମରତ୍ୱ ଲାଭ କଲେ। ଯୁବରାଜ ଭାବେ ସେ ସ୍ୱପ୍ନ ଦେଖିଥିଲେ ତାଙ୍କ ଅଖଣ୍ଡ ଭାରତ ଜାତି, ଧର୍ମ ବର୍ଣ୍ଣ, ନର-ନାରୀ, ଧନୀ ଗରିବ ନିର୍ବିଶେଷରେ ଏକ ସମତାଭିତ୍ତିକ ସମୃଦ୍ଧ ଓ ଶକ୍ତିଶାଳୀ ରାଷ୍ଟ୍ର ହେଉ। ସମସ୍ତ ନ୍ୟସ୍ତସ୍ୱାର୍ଥକୁ ଭୁଲି ଆମେ ଭାରତବାସୀ ଯଦି ଦେଶ ଓ ସମାଜ ପାଇଁ ପ୍ରାଣବଳି ଦେବାକୁ ଐକ୍ୟବଦ୍ଧ ସଂଗଠିତ ହେବା ତେବେ ଯାଇ ନେତାଜୀଙ୍କ ସ୍ୱପ୍ନର ଭାରତ ଦୁନିଆରେ ଗର୍ବର ସହ ମୁଣ୍ଡ ଟେକିବାକୁ ସମର୍ଥ ହେବ ଓ ଦେଶଭକ୍ତଙ୍କ ଯୁବରାଜ ଦେଖିଥିବା ସ୍ୱପ୍ନ ସାକାର ହେବ।

Comments are closed.