ସୁବର୍ଣ୍ଣପୁର ଜିଲାରୁ ଦୁଇ କ୍ୟାବିନେଟ ମନ୍ତ୍ରୀ; ଆଶା କମ, ନିରାଶା ବେଶି !

ସୋନପୁର: ଦୀର୍ଘ ବର୍ଷ ହେଲା ପଶ୍ଚିମ ଓଡ଼ିଶାର ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସୁବର୍ଣ୍ଣପୁର ଜିଲାରୁ ଚଳିତ ଥର ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପାଇଛନ୍ତି। ସୋନପୁର ବିଧାୟକ ନିରଞ୍ଜନ ପୁଝାରୀ ରାଜ୍ୟ ଅର୍ଥ ଓ ଅବକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିବାବେଳେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମଧ୍ୟ ଯୋଜନା, ସଂଯୋଜନା, ବାଣିଜ୍ୟ ଓ ପରିବହନ ଭଳି ଗୁରୁତ୍ୱପୁର୍ଣ୍ଣ ବିଭାଗ ପାଇଛନ୍ତି। ଉଭୟେ ବର୍ତ୍ତମାନ ନବୀନ ସରକାରଙ୍କ ମନ୍ତ୍ରୀ ମଣ୍ଡଳର ଆଗଧାଡ଼ିର ମନ୍ତ୍ରୀ ଭାବରେ ଜଣାଶୁଣା। କିନ୍ତୁ ବର୍ତ୍ତମାନ ଉଭୟ ମନ୍ତ୍ରୀ ଜିଲାର ବିକାଶ ଅପେକ୍ଷା ରାଜ୍ୟ ପାଇଁ ବେଶି ଚିନ୍ତା କରୁଥିବା ଦେଖାଯାଇଛି। ଫଳରେ ସ୍ୱତନ୍ତ୍ର ଜିଲା ଗଠନର ୨୭ ବର୍ଷ ପରେ ବି ଜିଲାବାସୀ ଅନେକକ୍ଷେତ୍ରରେ ଅନ୍ୟ ଜିଲାଠାରୁ ପଛରେ ରହିଯାଇଛନ୍ତି। ଜିଲାର ବିକାଶକ୍ଷେତ୍ରରେ ଆଶା କମ, ନିରାଶା ବେଶି ରହୁଥିବା ଦେଖିବାକୁ ମିଳୁଛି।

କୃଷିପ୍ରଧାନ ସୁବର୍ଣ୍ଣପୁର ଜିଲା ଧାନ ଉତ୍ପାଦନରେ ସଫଳତା ଅର୍ଜନ କରି ଜାତୀୟସ୍ତରରେ ଦୁଇ ଥର କୃଷିକର୍ମଣ ପୁରସ୍କାର ପାଇସାରିଛି। କିନ୍ତୁ ଜିଲାର ଅଧିକାଂଶ ଚାଷଜମି ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଜଳସେଚନରୁ ବଞ୍ଚିତ ହୋଇ ରହିଛି। ସୂଚନା ଅନୁସାରେ ଜିଲାର ୧ ଲକ୍ଷ ୨୮ ହଜାର ୩୧୮ ହେକ୍ଟର ଚାଷଜମିରୁ ବର୍ତ୍ତମାନ ସୁଦ୍ଧା ବୃହତ୍‌, ମଧ୍ୟମ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଉଠା ଜଳସେଚନ, ଗଭୀର କୂପ ଆଦି ବିଭିନ୍ନ ପ୍ରକଳ୍ପଦ୍ୱାରା ଖରିଫରେ ଜିଲାର ମୋଟ ୧ ଲକ୍ଷ ୧୪ ହଜାର ୩୧୭ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିଥିବା ବେଳେ ୧୪ ହଜାର ହେକ୍ଟର ଜମି ଏବେ ବି ସେହି ସୁବିଧାରୁ ବଞ୍ଚିତ ରହିଛି। ଏବେ ବି ହୀରାକୁଦ, ହରିହର ଯୋର ଜଳସେଚନ ପ୍ରକଳ୍ପର ତଳିଆ ଅଞ୍ଚଳରେ ରହିଥିବା ଚାଷୀମାନେ ଜଳସେଚନର ସୁବିଧା ପାଉ ନାହାନ୍ତି। ଜିଲାର ଏକମାତ୍ର ଶିଳ୍ପସଂସ୍ଥା ସୋନପୁର ସ୍ପିନିଂ ମିଲ୍‌ ଦୀର୍ଘବର୍ଷ ହେଲା ରୁଗ୍‌ଣ ଅବସ୍ଥାରେ ରହିଛି। ଏହାର ପୁନରୁଦ୍ଧାର ଦିଗରେ କୌଣସି ରାଜନୈତିକ ତତ୍ପରତା ପ୍ରଦର୍ଶନ ହେଉ ନଥିବାରୁ ଆଗାମୀଦିନରେ ଏହା କେବଳ ଫଳକରେ ରହିବା ସାର ହୋଇଛି।

ସ୍ୱାସ୍ଥ୍ୟସେବାକ୍ଷେତ୍ରରେ ଜିଲା ପଛରେ ରହିଯାଇଛି। ଜିଲାର ବିଭିନ୍ନ ଡାକ୍ତରଖାନାରେ ମୋଟ ୧୫୨ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦ ରହିଥିବା ବେଳେ ବର୍ତ୍ତମାନ ମାତ୍ର ୭୫ ଡାକ୍ତର କାର୍ଯ୍ୟ କରୁଛନ୍ତି। ଜିଲା ସଦର ଡାକ୍ତରଖାନାରେ ୨୪ଟି ଡାକ୍ତର ପଦ ଖାଲି ପଡ଼ିଥିବା ବେଳେ ଉଲୁଣ୍ଡା ବ୍ଲକରେ ୮, ଡୁଙ୍ଗୁରିପାଲି ୯, ବୀରମହାରାଜପୁର ୧୦, ବିନିକା ୧୦, ତରଭା ୭, ନାଇକେନପାଲିରେ ୮ ଡାକ୍ତର ପଦ ଖାଲି ପଡ଼ିଛି। ଜିଲାର ଜୀବନରେଖା କୁହାଯାଉଥିବା ଅଙ୍ଗକେନାଲ ସମ୍ପ୍ରସାରଣ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ। ଜିଲା ଗଠନର ୨୭ ବର୍ଷ ପରେ ମଧ୍ୟ ଏଠାରେ ଏକ ଅତ୍ୟାଧୁନିକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ହୋଇପାରି ନାହିଁ। ଜିଲାର ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ରରେ ରୋପ୍‌ୱେ ପ୍ରକଳ୍ପ ଦୀର୍ଘ ବର୍ଷ ହେଲା ଅନୁମୋଦିତ ହୋଇ ସାରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ।
ପୂର୍ବରୁ ସୋନପୁର ଉପଖଣ୍ଡ ସଦର ମହକୁମାରେ ରାଜ୍ୟ ପରିବହନ ବିଭାଗର ଜଣେ ଷ୍ଟେସନ ମାଷ୍ଟର ରହୁଥିବା ବେଳେ ଦୀର୍ଘ ବର୍ଷ ହେଲା ସେହି କାର୍ଯ୍ୟାଳୟକୁ ଏଠାରୁ ଉଠାଇ ନିଆଯାଇଛି। ଜିଲାର ବୀରମହାରାଜପୁର, ବିନିକା, ତରଭା, ଉଲୁଣ୍ଡା ଆଦି ସ୍ଥାନରୁ ସିଧାସଳଖ ସରକାରୀ ବସ୍‌ ସୁବିଧା ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ। ନିକଟରେ ସୁନ୍ଦରଗଡ଼ ଜିଲାରେ ଏମ୍‌ସର ଦ୍ୱିତୀୟ ଶାଖା, ଝାରସୁଗୁଡ଼ାରେ ସୁପର ସ୍ପେସାଲିିଟି ହସପିଟାଲ ସ୍ଥାପନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଘୋଷଣା କରିଥିବା ବେଳେ ସମ୍ବଲପୁରରେ ଆଇଆଇଏମ୍‌, ବଲାଙ୍ଗିରରେ ଭୀମଭୋଇ ମେଡିକାଲ କଲେଜ, ବରଗଡ଼ରେ କ୍ୟାନସର ହସପିଟାଲ, କଳାହାଣ୍ଡିରେ ମେଡିକାଲ କଲେଜ ଆଦି ସ୍ଥାପନ ହୋଇସାରିଛି। ଏହି ଜିଲାରେ ସେଭଳି ଏକ ପ୍ରତିଷ୍ଠାନ ସ୍ଥାପନ ନେଇ ସରକାରୀସ୍ତରରେ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନାହିଁ। ଗୁରୁତ୍ୱପୁର୍ଣ୍ଣ ବିଷୟ ହେଲା ଜିଲାରେ ଏକ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲାର ଜନସାଧାରଣ ୨୦୧୮ରୁ ଦାବି କରି ଆସୁଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସରକାରଙ୍କ କାନରେ ତାହା ପଡିପାରି ନାହିଁ। ତେଣୁ ବର୍ତ୍ତମାନ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଜିଲାର ଦୁଇ ବିଧାୟକ କ୍ୟାବିନେଟମନ୍ତ୍ରୀ ଥିଲେ ମଧ୍ୟ ଜିଲାର ଆଶା ଅପେକ୍ଷା ନିରାଶା ବେଶି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Comments are closed.