ଭାର୍ଗବୀରେ ବନ୍ୟାଜଳ; ନଦୀ ପଠାରୁ ମାଟି ଅତଡା ଖାଉଛି, ଆତଙ୍କିତ ଗ୍ରାମବାସୀ

ସୁଆଣ୍ଡୋ : ପୁରୀ ଜିଲାରେ ପ୍ରବାହିତ ଭାର୍ଗବୀନଦୀର ଜଳସ୍ତର ବୃଦ୍ଧି ପାଉଛି। ସତ୍ୟବାଦୀ ବ୍ଲକ ବିଦ୍ୟାଧରପୁର – ସୁଆଣ୍ଡୋ ସିମା ପାଖରେ ପୂର୍ବ ପଟ ବନ୍ଧ ପାଖ କଣ୍ଡିଆରୁ ମାଟି ଅତଡା ଖସୁଛି । ଏଥିପାଇଁ ନଦୀ କୂଳର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତିନିଦିନ ତଳେ ବଳଙ୍ଗା ଜଳସଂପଦ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ବାଉଁଶ ବହ୍ଲା ପୋତାଯାଇ କିଆ ପକାଯାଇଥିଲା । ନଦୀରେ ପାଣି ବଢିବାରୁ କିଆ ଗୁଡିକ ଭାସୁଛି । ଏଠାରେ ବାଲିବସ୍ତା ପକା ନଯାଇ କିଆ ପକାଯିବାକୁ ନେଇ ସ୍ଥାନୀୟ ବଳରାମ ପ୍ରଧାନ, ରବୀନ୍ଦ୍ର ସ୍ୱାଇଁ, ଧୋଇଆ ବେହେରା, ବବୁଲ ପ୍ରଧାନ ପ୍ରମୁଖ ଲୋକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ହିରାକୁଦରୁ କୋଡ଼ିଏଟି ଗେଟ୍ ଖୋଲା ରହିଛି । ମୁଣ୍ଡଳିଠାରୁ ପାଞ୍ଚଲକ୍ଷ କ୍ୟୁସେକ୍ ଜଳ ଛଡାଯାଇଛି । ବଳଙ୍ଗାଠାରେ ବିପଦ ସଙ୍କେତ ତଳେ ଜଳ ପ୍ରବାହିତ ହେଉଛି । ତେଣୁ ଏଠାରେ କୌଣସି ବିପଦର ଆଶଙ୍କା ନାହିଁ ବୋଲି ବଳଙ୍ଗା ଜଳସଂପଦ ବିଭାଗ ଉପଖଣ୍ଡ ଅଧିକାରୀ ରାକେଶ କୁମାର ମଲ୍ଲିକ କହନ୍ତି । ତେବେ ନଦୀ ବନ୍ଧଠାରୁ କଣ୍ଡିଆ ମାତ୍ର ଆଠ ଫୁଟ ରହିଛି । କେତେବେଳେ ଯେ କଣ ଘଟିବ ତାହାକୁ ନେଇ ଆଠ ଦଶ ଖଣ୍ଡ ଗ୍ରାମର ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । ବିଭାଗୀୟ ଉଚ୍ଚ ଅଧିକାରୀ ନଜର ଦେବାକୁ ସାଧାରଣରେ ଦାବି ହେଉଛି।

Comments are closed.