କପି ରୋକିବାକୁ… ମୁଣ୍ଡରେ କାଗଜ ପେଟି ଗଳାଇ ପରୀକ୍ଷା​‌ ଦେଲେ ଛାତ୍ରଛାତ୍ରୀ, ଭିଡିଓ ଭାଇରାଲ

ବେଙ୍ଗାଲୁରୁ: ପରୀକ୍ଷାରେ କପି ରୋକିବାକୁ ସରକାର ହଲ୍‌ରେ ସିସିଟିଭି କ୍ୟାମେରା ଲଗାଇବାଠାରୁ ଆରମ୍ଭ କରି ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି ମଧ୍ୟ କରୁଛନ୍ତି। କିନ୍ତୁ କର୍ଣ୍ଣାଟକରେ କପି ରୋକିବାକୁ କଲେଜ କର୍ତ୍ତୃପକ୍ଷ ଏକ ଅଭିନବ ଉପାୟ ଗ୍ରହଣ କରିଛନ୍ତି। ହଲ୍‌ରେ ପରୀକ୍ଷା ଦେବା ସମୟରେ ଛାତ୍ରଛାତ୍ରୀଙ୍କୁ ମୁଣ୍ଡରେ କାଗଜ ପେଟି ଗଳାଇ ଦିଆଯାଉଛି। କେବଳ ପରୀକ୍ଷା ଖାତା ଦୃଶ୍ୟମାନ ହେବା ପାଇଁ ମୁହଁ ସାମ୍ନାରେ ପେଟି ଖୋଲା ରଖିବାକୁ କିଛି ଅଂଶ କଟାଯାଇଥିଲା। ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି। ତେବେ ରାଜ୍ୟ ସରକାର ଏହାକୁ ଗ୍ରହଣ କରିନାହାନ୍ତି। ଏହି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିକ୍ଷାମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି।

ବେଙ୍ଗାଲୁରୁଠାରୁ ୩୭୫ କିଲୋମିଟର ଦୂର ହାଭେରୀର ଭଗତ ପ୍ରି-ୟୁନିଭର୍ସିଟି କଲେଜ ପରୀକ୍ଷା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ପରୀକ୍ଷା ହଲରେ ୫୦ ଛାତ୍ରଛାତ୍ରୀ ଥିଲେ। ପରୀକ୍ଷାରେ କପି ରେକିବାକୁ ଛାତ୍ରଛାତ୍ରୀମାନଙ୍କୁ ମୁଣ୍ଡରେ କାଗଜ ପେଟି ଗଳାଇବାକୁ ବାଧ୍ୟ କରାଯାଇଥିଲା। ଏହି ଘଟଣା ପ୍ରତିକ୍ରିୟାରେ ଶିକ୍ଷାମନ୍ତ୍ରୀ ଏସ. ସୁରେଶ କୁମାର କହିଛନ୍ତି, ଏଭଳି ପଦକ୍ଷେପ ଗ୍ରହଣୀୟ ନୁହେଁ। ଛାତ୍ରଛାତ୍ରଙ୍କୁ ପଶୁ ଭଳି ବ୍ୟବହାର କରିବାରେ କାହାର କୌଣସି ଅଧିକାର ନାହିଁ। ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯିବ। ଅନ୍ୟପଟେ ଉକ୍ତ କଲେଜକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି। ତେବେ ପରୀକ୍ଷାମୂଳକ ଭାବେ ଏପରି ବ୍ୟବସ୍ଥା କରାଯାଇଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି।

Comments are closed.