ଗୁରୁ-ଛାତ୍ର କଲ୍ୟାଣ ପାଣ୍ଠି

ବ୍ରହ୍ମପୁର: ଗଞ୍ଜାମ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବହୁବିଧ ନୂତନ ପାଇଲଟ ପଦକ୍ଷେପ ଗ୍ରହଣ କରାଯାଇଛି। ପିଲାଙ୍କ ପାଠପଢା ହେଉ କି ସ୍ୱାସ୍ଥ୍ୟ ହେଉ, ପିଲାଙ୍କ ପରୀକ୍ଷା ପରିଚାଳନା ହେଉ କି ସେମାନଙ୍କ ପାଖରେ ସବୁସମୟରେ ଛିଡା ହେବା ଭଳି କାର୍ୟ୍ୟକ୍ରମମାନ ଜିଲା ଶିକ୍ଷା ବିଭାଗ ଗ୍ରହଣ କରିଛି। ପାଣି ଘଣ୍ଟା, ଡ୍ରିମ ଓ ମଧୁ ଆପ୍‍ ଆଦି ନୂତନ ଯୋଜନା ଭଳି ଗୁରୁ-ଛାତ୍ର କଲ୍ୟାଣ ପାଣ୍ଠି ନାମରେ ଆଉ ଏକ ଯୋଜନା କାର୍ୟ୍ୟକାରୀ କରାଯାଇଛି। ବର୍ଷକ ତଳେ ଆରମ୍ଭ ହୋଇଥିବା ଏହି ପାଣ୍ଠି ଏବେ ଶିକ୍ଷକ ଓ ବିଦ୍ୟାର୍ଥୀଙ୍କ ପାଇଁ ଅସମୟର ସଖା ହୋଇଛି।

ପ୍ରାକୃତିକ ବିପଦ ହେଉ କି ଛାତ୍ର ଏବଂ ଶିକ୍ଷକଙ୍କ ବିପଦ ଆପଦରେ ହେଉ ସେମାନଙ୍କ ପାଖରେ ଛିଡା ହୋଇ ସହାୟତାର ହାତ ବଢାଇବାକୁ ଗଞ୍ଜାମ ଜିଲା ଶିକ୍ଷା ବିଭାଗ ଆରମ୍ଭ କରିଛି ଗୁରୁ-ଛାତ୍ର କଲ୍ୟାଣ ପାଣ୍ଠି। ଜିଲା ଜୁନିୟର ରେଡକ୍ରସ ସହାୟତାରେ ସମାଜସେବା କ୍ଷେତ୍ରରେ ପାଦ ଥାପିଥିବା ଜିଲା ଶିକ୍ଷା ବିଭାଗ ଆଉ ପାଦେ ଆଗକୁ ଯାଇ ଗଠନ କରିଛି ଏହି ନୂତନ ତଥା ଅଭିନବ ପାଣ୍ଠି। କେରଳ ପ୍ରଳୟଙ୍କରୀ ବନ୍ୟାରୁ ସୃଷ୍ଟ ଏହି ପାଣ୍ଠି ଶିକ୍ଷକ ଏବଂ କର୍ମଚାରୀଙ୍କ ଦାନରେ ଏବେ ସମୃଦ୍ଧ।

୨୦୧୮ ମସିହାରେ କେରଳରେ ଦେଖାଦେଇଥିବା ପ୍ରଳୟଙ୍କରୀ ବନ୍ୟା ସମୟରେ ସେଠାକାର ଲୋକଙ୍କୁ ସହାୟତା କରିବା ଲକ୍ଷ୍ୟ ରଖି ଜିଲା ଶିକ୍ଷା ଅଧିକାରୀ ଡ.ସନାତନ ପଣ୍ଡା ପ୍ରତି ଶିକ୍ଷକ ଓ ଶିକ୍ଷା ବିଭାଗ କର୍ମଚାରୀ କେବଳ ଶହେ ଟଙ୍କା ଲେଖାଏଁ ଦାନ କରିବାକୁ ନିବେଦନ କରିଥିଲେ। ଏହି ଅନୁରୋଧ କ୍ରମେ ୨୦୧୮ ଗୁରୁଦିବସ ସୁଦ୍ଧା ଏହି ପାଣ୍ଠିକୁ ମିଳିଥିଲା ୧୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା। ସେଥିରୁ କେରଳ ବନ୍ୟା ପୀଡିତଙ୍କ ସହାୟତା ପାଇଁ ଗଞ୍ଜାମ ଜିଲାପାଳଙ୍କ ମାଧ୍ୟମରେ ଦାନ କରାଯାଇଥିଲା ୧୦ଲକ୍ଷ ଟଙ୍କା। ବଳକା ୭ଲକ୍ଷରୁ ଅଧିକ ଟଙ୍କାକୁ ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ଏକ ଯୁଗ୍ମ ଆକାଉଣ୍ଟ ଖୋଲାଯାଇ ଗୁରୁ ଦିବସରେ ଗଢି ଉଠି ଥିଲା ଗୁରୁ-ଛାତ୍ର କଲ୍ୟାଣ ପାଣ୍ଠି।

ବିପଦ ଆପଦ ସମୟରେ ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ତତ୍କାଳ ସହାୟତା ପ୍ରଦାନ, ଛାତ୍ରଛାତ୍ରୀଙ୍କ ଜରିଆରେ ସମାଜସେବା, ପ୍ରାକୃତିକ ବିପର୍ୟ୍ୟୟ ସମୟରେ ସହାୟତା, ଗରିବ ମେଧାବୀ ଛାତ୍ରଙ୍କୁ ପ୍ରୋତ୍ସାନ ଏବଂ ବିପଦରେ ପଡିଥିବା ଶିକ୍ଷକ ଏବଂ ଛାତ୍ରଙ୍କ ନିକଟରେ ଆର୍ଥିକ ସହାୟତା ପହଞ୍ଚାଇବା ହେଉଛି ଏହି ପାଣ୍ଠି ଗଠନର ମୂଳ ଲକ୍ଷ୍ୟ।୨୦୧୮ ମସିହା ଗୁରୁ ଦିବସରୁ କାର୍ୟ୍ୟକ୍ଷମ ଏହି ପାଣ୍ଠିରେ ଅଧୁନା ପାଖାପାଖି ଅଧ କୋଟି ଟଙ୍କା ସଂଗ୍ରହ କରାଗଲାଣି। କେରଳ ବନ୍ୟା ପରେ ତିତଲି କ୍ଷତିଗ୍ରସ୍ତ ଅଞ୍ଚଳର ଲୋକଙ୍କୁ ରିଲିଫ ଏବଂ ବିଦ୍ୟାର୍ଥୀଙ୍କୁ ପାଠ୍ୟ ଉପକରଣ, ଫନି ବାତ୍ୟାରେ ପ୍ରପୀଡିତ ଲୋକଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ, ଜିଲାରେ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ପାଇଁ ଡ୍ରିମ ଯୋଜନାରେ ମୋ ସ୍କୁଲ ମାଧ୍ୟମରେ ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଦଶମ ଶ୍ରେଣୀ ପିଲାଙ୍କ ପାଇଁ ୯ଲକ୍ଷ ଟଙ୍କାର ସହାୟତା ପାଇବା ପାଇଁ ୩ଲକ୍ଷ ଟଙ୍କା ଏବଂ ୮୪ଜଣ ଛାତ୍ର ଓ କର୍ମଚାରୀଙ୍କୁ ଆପଦକାଳୀନ ଚିକିତ୍ସା ଅଥବା ଅକାଳ ବିୟୋଗ ସମୟରେ ସହାୟତା ବାବଦରେ ଏହି ପାଣ୍ଠିରୁ ୪ଲକ୍ଷ ୮୧ ହଜାର ୭୫୦ ଟଙ୍କା ବିନିଯୋଗ ହୋଇଛି। ଏହି ପାଣ୍ଠିକୁ ଅନୁଦାନ ମିଳିଛି। ମୋଟ ପାଣ୍ଠିରୁ କେରଳ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ଲକ୍ଷ, ତିତଲି ବାତ୍ୟା ପାଇଁ ଲକ୍ଷେ ୯୩ ହଜାର, ସ୍କାଉଟ କ୍ୟାମ୍ପୋରୀ ବଡଖାନାକୁ ୧୦ ହଜାର, ୭୧ଜଣ କର୍ମଚାରୀ, ଛାତ୍ର ଓ ଶିକ୍ଷକଙ୍କୁ ୪ଲକ୍ଷ ୮୬ ହଜାର ୭୫୦ ଟଙ୍କା, ଡ୍ରିମ ପାଇଁ ମୋ ସ୍କୁଲ ଯୋଜନାରେ ୩ଲକ୍ଷ ଟଙ୍କା ଏପରି ମୋଟ ୨୯ ଲକ୍ଷ ୯୦ ହଜାର ୩୫୫ଟଙ୍କା ପ୍ରଦାନ କରାଯାଇଛି। ଅସମୟର ସାଥୀ ପାଲଟିଥିବା ଏହି ପାଣ୍ଠିକୁ ବଦାନ୍ୟ ଶିକ୍ଷକଙ୍କ ଦାନ ସୁଅ ଛୁଟିବାରେ ଲାଗିଛି। ଏହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି।

Comments are closed.