ଛାତ୍ରଙ୍କୁ ମାଡ଼ ମାମଲା: ଜେଲ୍‌ ଗଲେ ୩ ଛାତ୍ର, ୪ ଫେରାର

- ସୁଧାର ଗୃହକୁ ଗଲେ ୩

ବଲାଙ୍ଗିର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଥିବା ଝଙ୍କାଳିଆ ଗଛ ମୂଳରେ ଜଣେ ଛାତ୍ରଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଉ କିଛି ଯୁବକ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏ ସମ୍ପର୍କରେ ମାଡ଼ ଖାଇଥିବା ଛାତ୍ର ପୂର୍ବରୁ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଟାଉନ୍‌ ଥାନା ପୁଲିସ ୬ଜଣ କଲେଜ ଛାତ୍ରଙ୍କୁ ଥାନାକୁ ଆଣିଥିଲା। ଶୁକ୍ରବାର ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଆକ୍ରମଣକାରୀ ୩ଜଣ ଛାତ୍ର ନାବାଳକ ଥିବା ବେଳେ ୩ଜଣ ସାବାଳକ। ୩ଜଣ ନାବାଳକ ଛାତ୍ରଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡକୁ ପଠାଯାଇଥିଲା। ସେଠାରେ ସେମାନଙ୍କୁ ରାଉରକେଲା ଜୁଭେନାଇଲ୍‌ (ନାବାଳକ)ଙ୍କ ପାଇଁ ଥିବା ସୁଧାର ଗୃହକୁ ପଠାଇ ଦିଆଯାଇଛି।

ସେହିପରି ଅନ୍ୟ ତିନି ଗିରଫ ସାବାଳକଙ୍କୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କ ଜାମିନ ଅଗ୍ରାହ୍ୟ କରିଦିଆଯିବା ସହ ୩ଜଣଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଏହି ଛାତ୍ର ଆକ୍ରମଣ ମାମଲାରେ ଆଉ ୪ଜଣ ଛାତ୍ର ଓ ଅଣ ଛାତ୍ର ସାମିଲ ରହିଛନ୍ତି। ସେମାନଙ୍କ ନାଁରେ ପୂର୍ବରୁ ମାମଲା ରହିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ସେମାନେ ଫେରାର ଥିବାରୁ ପୁଲିସ ଖୋଳତାଡ଼ ଚଳାଇଥିବା ଜଣାପଡ଼ିଛି।

Comments are closed.