ଶିକ୍ଷା କ୍ଷେତ୍ରରେ କରୋନା ମାଡ; କ୍ୟାରିଅରକୁ ​ନେଇ ଚିନ୍ତାରେ ଛାତ୍ରଛାତ୍ରୀ

ଭୁବନେଶ୍ବର: କରୋନା ଯୋଗୁ ଦେଶର ଶିକ୍ଷା କ୍ଷେତ୍ର ପ୍ରଭାବିତ ହୋଇଛି । ସ୍କୁଲ କଲେଜ ପରୀକ୍ଷାଠାରୁ ଆରମ୍ଭ କରି ପ୍ରବେଶିକା ଓ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡିକର କାର୍ଯ୍ୟସୂଚୀ ନେଇ ସମ୍ପ୍ରତି ଅନିଶ୍ଚିତତା ଦେଖାଦେଇଛି । ଏଥିପାଇଁ ଛାତ୍ରଛାତ୍ରୀ ମାନସିକ ଚାପଗ୍ରସ୍ତ ହେବା ସହ ଅନେକ ନିଜର ଭବିଷ୍ୟତ କ୍ୟାରିଅରକୁ ନେଇ ଆଶଙ୍କାରେ ରହିଛନ୍ତି ।
କରୋନା ରୋକିବାକୁ ଦେଶବ୍ୟାପୀ ଲାଗୁ କରାଯାଇଥିବା ଲକ୍‌ ଡାଉନ୍‌ ଛାତ୍ରଛାତ୍ରୀଙ୍କ ପାଠପଢାକୁ ବିଶେଷ ଭାବେ ପ୍ରଭାବିତ କରିଛି । ଲକ୍‌ ଡାଉନ୍‌ରେ ଖାଲି ଶିକ୍ଷାନୁଷ୍ଠାନ କାହିଁକି କୋଚିଂ ସେଣ୍ଟର ଆଉ ବିଭିନ୍ନ କ୍ୟାରିଅର କାଉନ୍‌ସେଲିଂ ସେଣ୍ଟର ବନ୍ଦ ହେବା ଯୋଗୁ ପାଠପଢାରେ ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି । ଏଥିରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥୀ । ରାଜ୍ୟରେ ବା​‌ର୍ଷିକ ପାଖାପାଖି ୩୦,୦୦୦ରୁ ଅଧିକ ମେଡିକାଲ ଏବଂ ଦେଢ ଲକ୍ଷରୁ ତଦୂର୍ଦ୍ଦ ପିଲା ଇଞ୍ଜିନିୟରିଂ ପ୍ର​ବେଶିକା ପରୀକ୍ଷା ଦେଇଥାନ୍ତି । ଏହାଛଡା ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ପାଇଁ ଶିକ୍ଷା ହବ୍‌ ଭାବେ ପରିଚିତ କୋଟା ଏବଂ ଦିଲ୍ଲୀ ଭଳି ସହରରେ ଓଡ଼ିଶାର ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ମେଡିକାଲ ଏବଂ ଇଞ୍ଜିନିୟରିଂ କୋଚିଂ ନେଇଥାଆନ୍ତି ।  ଲକ୍‌ ଡାଉନ୍‌ ପାଇଁ ​‌ବିଗିଡିଯାଇଥିବା ପରିବାରର ଆର୍ଥିକ ସ୍ଥିତି କେତେକ ପିଲାଙ୍କୁ ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ପାଇଁ ​ଆଗକୁ କୋଚିଂପାଇଁ ସମର୍ଥ କରି ନ ପାରେ।  କୋଚିଂସେଣ୍ଟରଗୁଡିକ ଅନ୍‌ଲାଇନ୍‌ରେ ଲାଇଭ୍‌ କ୍ଲାସ୍ କରୁଥିଲେ ମଧ୍ୟ ଏଥିରେ ପରୀକ୍ଷାର୍ଥୀମାନେ ନିଜକୁ କ୍ଲାସ୍‌ ପାଠପଢା ଭଳି ଅପ୍‌ଡେଟ୍‌ କରିପାରୁନାହାନ୍ତି ।

ଅନ୍ୟପକ୍ଷରେ ଶିକ୍ଷାବର୍ଷ ସେପ୍ଟେମ୍ବରକୁ ଘୁଞ୍ଚିବ ଏବଂ ଏଥିଯୋଗୁ ଶିକ୍ଷାଦାନ ବାଧାପାପ୍ତ ହେବ ବୋଲି ଯାହା କୁହାଯାଉଛି ତାହା ଭୁଲ ​ବୋଲି ​‌କ୍ଷେତ୍ର ସହ ଜଡିତ ବିଶେଷଜ୍ଞମାନେ ମତ ଦେଇଛନ୍ତି । ସେମାନଙ୍କ କହିବାନୁଯାୟୀ, ସାଧାରଣତଃ ଆମର ଶିକ୍ଷାବର୍ଷ ଜୁଲାଇରୁ ଆରମ୍ଭ ​ ହୋଇଥାଏ।  ଯଦି ସେପ୍ଟେମ୍ବରରୁ ହୁଏ ତେବେ ସେମିତି କିଛି ବଡ ପରିବର୍ତ୍ତନ ହୋଇଯିବ ନାହିଁ ।  ପ୍ରସଙ୍ଗ ଉପରେ ମନସ୍ତତ୍ବବିତ୍‌ ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କୁହନ୍ତି, ବର୍ତ୍ତମାନ ସମୟରେ ପିଲାମା​‌ନେ ନିଜ ମଧ୍ୟରେ ଯେତେଦୂର ଚାପ କମ୍‌ କରିବା ଠିକ୍‌ ହେବ । ସବୁବେଳେ ଭାବିବା ଉଚିତ୍‌ ଯେ ପରୀକ୍ଷା କୌଣସି ବି ସମୟରେ ହୋଇପାରେ ।   ଜିନ୍ଦେଗୀ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ଆଦ୍ୟାନ୍ତର ଅଧ୍ୟକ୍ଷ ଅଜୟ ବାହାଦୂର ସିଂହ କୁହନ୍ତି, ଲକ୍‌ ଡାଉନ୍‌ ପାଇଁ ପିଲାଙ୍କର ସିଧାସଳଖ ଶ୍ରେଣୀଗୃହ ପାଠପଢା ପ୍ରଭାବିତ ହୋଇଥିଲେ ବି ଅଭିଭାବକଙ୍କ ଉପସ୍ଥିତିରେ ଘରେ ପଢିବା ପାଇଁ ସେମାନଙ୍କୁ ଅଧିକ ସମୟ ମିଳିଛି ।   ଆପ୍ଟିପ୍ଲସ୍‌ର ନିର୍ଦେଶକ ସୁଶୋଜିତ୍‌ ସାହୁ କୁହନ୍ତି, ପ୍ରତିବର୍ଷ ଓଡ଼ିଶାରୁ ପାଖାପାଖି ୪୦,୦୦୦ ପିଲା ଆଇଏଏସ୍‌ ଏବଂ ୧୦,୦୦୦ରୁ ଅଧିକ ପିଲା ଓଏଏସ୍‌ ପରୀକ୍ଷା ଦେଇଥାନ୍ତି । ଆଇଏଏସ୍‌ ପ୍ରିଲିମିନାରୀ ଚଳିତମାସ ୩୦ରେ ଥିବା ଘୁଞ୍ଚିଛି । ସେହିଭଳି ଚଳିତମାସରେ ହେବାକୁ ଥିବା ଓଏଏସ୍‌ ମେନ୍‌ ପରୀକ୍ଷା ମଧ୍ୟ ଘୁଞ୍ଚିପାରେ । ତେଣୁ ପିଲାଙ୍କୁ ଆମେ ସେହି ଅନୁସାରେ ପ୍ରସ୍ତୁତ କରୁଛୁ ବୋଲି ସେ କହିଛନ୍ତି । 

Comments are closed.