୫୦୦ ଟେଷ୍ଟ ୱିକେଟ୍ କ୍ଲବରେ ଷ୍ଟୁଆର୍ଟ ବ୍ରଡ଼: ଇତିହାସ ରଚିବାରେ ବିଶ୍ବର ୭ମ ବୋଲର

ମାଞ୍ଚେଷ୍ଟରର ଓଲ୍ଡ଼ ଟ୍ରାଫର୍ଡ଼ ପଡ଼ିଆରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ତିନି ମ୍ୟାଚର ଶୃଙ୍ଖଳାର ଅନ୍ତିମ ତଥା ନିର୍ଣାୟକ ମ୍ୟାଚରେ ଇତିହାସ ସୃଷ୍ଟି କରିଛନ୍ତି ଷ୍ଟୁଆର୍ଟ ବ୍ରଡ଼ । ୱେଷ୍ଟଇଣ୍ଡିଜର ଓପନିଂ ବ୍ୟାଟ୍ସମ୍ୟାନ କ୍ରେଗ ବ୍ରେଥବେଟଙ୍କୁ ଲେଗ୍ ବିଫୋର ଆଉଟ କରି ନିଜ ଦଳ ପାଇଁ ତ ସଫଳତା ଆଣିଛନ୍ତି, ଏହା ସହିତ ରେକର୍ଡ଼ ଖାତାରେ ନିଜ ପାଇଁ ଏକ ନୂଆ ଇତିହାସ ଲେଖିଛନ୍ତି । କ୍ରେଗଙ୍କୁ ଆଉଟ କରି ବ୍ରଡ଼ ବିଶ୍ବର ୭ମ ବୋଲର ଭାବରେ ୫୦୦ ୱିକେଟ୍ କ୍ଲବରେ ସାମିଲ ହୋଇଛନ୍ତି ।

ଷ୍ଟୁଆର୍ଟ ବ୍ରଡ଼ଙ୍କ ପୂର୍ବରୁ ୬ ଜଣ ବୋଲର ଏହି ସଫଳତା ପାଇଛନ୍ତି । ଶ୍ରୀଲଙ୍କାର ମୁଥିଆ ମୂରଲୀଧରନ ୮୦୦, ଅଷ୍ଟ୍ରେଲିଆର ଶେନ ୱାର୍ଣ୍ଣ ୭୦୮, ଭାରତର ଅନୀଲ କୁମ୍ବଲେ ୬୧୯, ଇଂଲଣ୍ଡର ଜେମ୍ସ ଆଣ୍ଡରସନ ୫୮୯, ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରାଥ ୫୬୩, ୱେଷ୍ଟଇଣ୍ଡିଜର କୋର୍ଟନୀ ୱାଲ୍ସ ୫୧୯ ୱିକେଟ ହାସଲ କରିଛନ୍ତି । ଆଉ ପ୍ରଥମ ୫୦୦ ୱିକେଟ୍ ନେବାରେ ୱାଲ୍ସ ସଫଳତା ହାସଲ କରିଥିଲେ । ବ୍ରଡ଼ଙ୍କ ଏହି ସଫଳତା ନିମନ୍ତେ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ରିକି ପଣ୍ଟିଂ ବଧାଇ ଜଣାଇଛନ୍ତି ।

କରୋନା ସମୟରେ ଯେତେବେଳେ ୧୧୭ ଦିନ ପରେ ଜୁଲାଇ ୮ରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ ଖେଳାଗଲା, ସେତେବେଳେ ବ୍ରଡ଼ଙ୍କୁ ଏଥିରେ ସାମିଲ କରାଯାଇ ନ ଥିଲା । ଏହାକୁ ନେଇ ସେ କ୍ରୋଧିତ ହୋଇଥିଲେ । ମାତ୍ର ମଞ୍ଚେଷ୍ଟରର ଦୁଇଟି ଟେଷ୍ଟରେ ତାଙ୍କୁ ସୁଯୋଗ ମିଳିଥିଲା ଓ ସେ ଏହାର ପୁରା ଫାଇଦା ଉଠାଇଥିଲେ । ଦିନକ ତଳେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଆର୍ଥଟନ ଷ୍ଟୁଆର୍ଟ ବ୍ରଡ଼ଙ୍କୁ ଜଣେ ଚମ୍ପିଆନ ଖେଳାଳି ଓ ତାଙ୍କ ନିିକଟରେ ୫୦୦ ୱିକେଟ ନେବାର କ୍ଷମତା ଅଛି ବୋଲି କହିଥିଲେ ।

Comments are closed.