ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଧର୍ମଗଡରେ ରାସ୍ତା ରୋକ

ଧର୍ମଗଡ: ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ସହ ଲୋ-ଭୋଲଟେଜ ସମସ୍ୟା ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ନେଇ ଗତକାଲି ଧର୍ମଗଡରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାବେଳେ ବାରମ୍ବାର ଅଘୋଷିତ ବିଜୁଳି କାଟକୁ ନେଇ ସଂଧ୍ୟାରେ ଉତ୍ତ୍ୟକ୍ତ ଜନସାଧାରଣ ଧର୍ମଗଡ ଫ୍ୟୁଜଡ କଲ ଅଫିସ ସାମ୍ନାରେ ରାସ୍ତା ରୋକ କରିଥିଲେ। ଗତ କିଛି ଦିନ ବାରମ୍ବାର ବିଦ୍ୟୁତ କାଟ ହେଉଥିବାବେଳେ ୩୩ କେଭି ଓ ଥେରୁବାଲିକୁ ଦୋଷ ଦେଇ ବିଦ୍ୟୁତ ବିଭାଗ ନିଜ ଦାୟିତ୍ୱ ସାରିଦେଉଛି। ପାଗରେ ଅସ୍ୱାଭାବିକ ପରିବର୍ତ୍ତନ ହେବା ଯୋଗୁଁ ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଗରମ ଅନୁଭୂତ ହେଉଥିବାବେଳେ ବାରମ୍ବାର ବିଜୁଳି କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ପ୍ରତି ୧୦ ମିନିଟରେ ଥରେ ବିଜୁଳି ଚାଲି ଯାଉଛି। ବିଜୁଳି କାଟକୁ ନେଇ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମଳିଛି। କଳାହାଣ୍ଡି ଜିଲ୍ଲାରୁ ଖୋଦ ଶକ୍ତି ମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିଲେ ହେଁ ବିଦ୍ୟୁତ ସେବାରେ କୌଣସି ସୁଧାର ଆସୁନାହିଁ ବୋଲି ଲୋକଙ୍କ ମଧ୍ୟରେ ପୁଂଜୀଭୂତ କୋହ ଦେଖିବାକୁ ମିଳିଛି।

Comments are closed.