କୋମଳ ବୟସରେ ଯଶୋମତି ହାତରେ ଦା’ : ୩ ଭଉଣୀଙ୍କ ପେଟରେ ଦାନା ଦେବା ପାଇଁ ବିଲରେ କାଟୁଛି ଧାନ

ଗୁରୁଡିଝାଟିଆ : ଯେଉଁ ହାତରେ ଏବେ କଲମ ଧରିବା କଥା। ସେ ହାତରେ ୧୩ବର୍ଷର ଯଶୋମତି ଧରିଛି ଦା’ । କାନ୍ଧରେ ନାହିଁ ବହିବସ୍ତାନି, ବୋହୁଛି ଧାନ । ନିଜର ୩ଜଣ କୋମଳମତି ଭଉଣୀଙ୍କ ପେଟରେ ଦାନା ଦେବା ପାଇଁ । ଦଦରା, ଅଛପର ଝୁମ୍ପୁଡି ଘରେ ୪ ନାବାଳିକା ଭଉଣୀଙ୍କ ଜୀବନ। ଅଭାବ ଅନାଟନ ଭିତରେ ପେଶି ହୋଇପଡିଥିବା ଏଭଳି ଚିତ୍ର ଦେଖିବାକୁ ମିଳିଛି ଗୋବରା ପଞ୍ଚାୟତ ଅନ୍ତର୍ଗତ ଓର୍ଦା ଗାଁରେ। ଯଶୋମତି ଜାମୁଡା (୧୩) ଘର ଜନଜାତି ଅଧ୍ୟୁଷିତ ଓର୍ଦା ଗାଁରେ। ତା ଉପରେ ଏବେ ସମ୍ବରୀ (୭),  ସୁମିତ୍ରା (୫) ଓ ମୌନାବତୀ(୩) ଙ୍କ ଭରଣ ପୋଷଣ ଦାୟିତ୍ୱ । ବାପା ଚନ୍ଦ୍ର ଜାମୁଡା ଓ ମାଆ ଲକ୍ଷ୍ମୀ ନିର୍ଦୟ ହୋଇ ବାତ୍ସଲ୍ୟମମତା ଭୁଲିଯାଇ ୪ କୋମଳମତି ଝିଅଙ୍କୁ ଛାଡି ପଳାଇଗଲେ ମୟୁରଭଞ୍ଜ ।  ଯିବାର ୧ବର୍ଷ ବିତିଗଲେ ମଧ୍ୟ ଆଉ ଫେରିନାହାନ୍ତି । ଏଭଳିସ୍ଥଳେ କୋମଳମତି ଯଶୋମତି ମୁଣ୍ଡରେ ୩ଭଉଣୀଙ୍କ ଭରଣପୋଷଣ ଦାୟିତ୍ୱ।ଦୈନିକ ମୂଲଲାଗି ୩ଭଉଣୀ ସହିତ ନିଜେ ଚଳୁଛନ୍ତି । ଯେଉଁଦିନ କାମକୁ ନଯାଉଛନ୍ତି ଏକ ପ୍ରକାର ଉପାସ ରହିବାକୁ ପଡୁଛି । ଏବେ ଧାନକଟା ଋତୁରେ ନିକଟସ୍ଥ କୃଷି କ୍ଷେତ୍ରରେ ଦିନ ମଜୁରିଆ ଭାବରେ ଧାନ କାଟୁଛି ଯଶୋମତି । ଯେଉଁ ହାତରେ ଖାତା କଲମ ଓ ବହି ବସ୍ତାନି ଧରି ପାଠ ପଢିବା କଥା। ସେ ବୟସରେ ଏବେ ଶ୍ରମିକ ଭାବରେ କ୍ଷେତରେ କାଟୁଛି ଧାନ । କଷ୍ଟହେଲେ ମଧ୍ୟ ୩ କୁନିଭଉଣୀଙ୍କ ପେଟ ଯେପରି ଭୋକିଲା ନରହିବ ସେଥିପାଇଁ ଦୈନିକ ଲାଗୁଛି ମଜୁରୀ ।

ଦାରିଦ୍ର ହିଁ ସମସ୍ତ ସ୍ୱପ୍ନକୁ ଭାଙ୍ଗି ଦେଇଛି । ସାନ ଭଉଣୀ ସୁମିତ୍ରା ଓ ମୌନାବତୀ ପାଠ ପଢିବା ପାଇଁ ଭାରି ଆଗ୍ରହୀ। ସହଯୋଗ ସହାୟତା ମିଳିଲେ ପାଠ ପଢିବା ପାଇଁ ଯିବେ ବୋଲି ମଧ୍ୟ କହୁଛନ୍ତି। ହେଲେ କିପରି ଯିବେ କିଏ ସହାୟତା କରିବ ବୁଦ୍ଧିବାଟ ପାଉନାହାନ୍ତି। ଦାରିଦ୍ୟ୍ରର କଷାଘାତ ଭିତରେ ସେମାନଙ୍କ ବାଲ୍ୟ ଜୀବନ ଅସାର ହୋଇପଡିଛି । ସରକାରଙ୍କ ଜନଜାତି ବିଭାଗ ବା କୌଣସି ସ୍ୱେଚ୍ଛାସେବୀ ସଂଗଠନ ୪ଭଉଣୀଙ୍କ ଜୀବନ ଚିତ୍ର ବଦଳାଇବା ପାଇଁ ଆଗେଇ ଆସିଲେ ସେମାନଙ୍କ ମୁହଁରେ ପୁଣି ଖିଲିଖିଲି ହସ ଫୁଟିଉଠିବ। ୪ଭଉଣୀଙ୍କ ଦୟନୀୟ ଜୀବନ ଚିତ୍ରକୁ ଦେଖି ଅନେକ ସମୟରେ ସଂପର୍କୀୟ ମାଇଁ ଖାଇବାକୁ ଓ ପିନ୍ଧିବାକୁ ମଧ୍ୟ ଦେଉଛନ୍ତି। ହେଲେ ମାଇଁ ତ ବିଧବା । ନିଜ ୪ ଭାଣେଜୀଙ୍କ ସହିତ ତାର ୬ଟି ଛୁଆ ମଧ୍ୟ ରହିଛନ୍ତି। ଏଭଳି ଚିତ୍ର କୌଣସି ଅବହେଳିତ କେବିକେ ଜିଲ୍ଲାର ଚିତ୍ର ନୁହେଁ । ବରଂ କଟକ ଠାରୁ ୩୦ କିମି ଦୂର ଓର୍ଦା ଗାଁର ଚିତ୍ର । ରାଜ୍ୟ ସରକାର ଜନଜାତିଙ୍କ ବିକାଶ ପାଇଁ ଏକ ସ୍ୱତନ୍ତ୍ର ବିଭାଗ କରିଛନ୍ତି। ସେମାନଙ୍କ ଉତ୍ଥାନ, ଶିକ୍ଷାର ବିକାଶ ଓ ଅଭିବୃଦ୍ଧି କ୍ଷେତ୍ରରେ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ କୋମଳମତି ନାବାଳିକା ଯଶୋମତିର ଜୀବନଚିତ୍ରକୁ ଦେଖିଲେ ଆମଶିଶୁ ବିକାଶ ଯୋଜନାର ଚିତ୍ର ଯେ କେତେ ପଙ୍କିଳ ତାହା ବାରି ହୋଇପଡୁଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଯଶୋମତି ଓ ତାର ୩ ଭଉଣୀଙ୍କର ସଂଘର୍ଷମୟ ଜୀବନଚିତ୍ରକୁ ଅବଲୋକନ କରି ତୁରନ୍ତ ସହାୟତା ଯୋଗାଇଦେଲେ ଉଜୁଡିଯାଉଥିବା କୈଶୋର ପୁଣି ହସିଉଠିବ ।

Comments are closed.