ନିରବୀ ଯାଇନି ନିହାଣ ଓ ହାତୁଡ଼ିର ଠକ୍‌ଠକ୍‌ ଶବ୍ଦ, ପ୍ରସ୍ତରଶିଳ୍ପୀଙ୍କୁ ମିଳୁ ସରକାରୀ ସହାୟତା

ଭୁବନେଶ୍ୱର: ଈଶ୍ୱର ସ୍ରଷ୍ଟା; ହେଲେ ତାଙ୍କ ସୃଷ୍ଟିର ଦ୍ୱିତୀୟ ସ୍ରଷ୍ଟା-ଶିଳ୍ପୀ। ଜଡ଼ରେ ସେ କରନ୍ତି ଜୀବନ୍ୟାସ। ପଥରରେ ଜୀବନ ଫୁଟାଇବା ସହଜ ନୁହେଁ। ଉତ୍ସର୍ଗିକୃତ ମନୋଭାବ ଓ କଳା ପ୍ରତି ଆଗ୍ରହ ହିଁ ପ୍ରସ୍ତରମୂର୍ତ୍ତିକୁ ଜୀବନ୍ତ କରିଥାଏ। ନିଖୁଣ କାରୁକାର୍ଯ୍ୟ ତତା ନିହାଣ-ହାତୁଡ଼ିର ପାହାରରେ ସତେ ଯେମତି କଥା କୁହେ ପଥର। ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସ୍ତରମୂର୍ତ୍ତି ତିଆରି କରୁଛନ୍ତି ପ୍ରସ୍ତରଶିଳ୍ପୀ। ସେମାନଙ୍କ ନିର୍ମିତ ସୂକ୍ଷ୍ମକାରୁ କାର୍ଯ୍ୟର ପ୍ରସ୍ତରମୂର୍ତ୍ତି ରାଜ୍ୟ ତଥା ଦେଶବିଦେଶରେ ବେଶ୍‌ ଆଦୃତ ଲାଭ କରିଛି। କରୋନା କଟକଣା ଜାରି ରହିଥିଲେ ମଧ୍ୟ ନିରବି ଯାଇନାହିଁ ପ୍ରସ୍ତରଶିଳ୍ପଙ୍କ ନିହାଣ ଓ ହାତୁଡ଼ିର ଠକ୍‌ଠକ୍‌ ଶବ୍ଦ। ଯଦିଓ ବିକ୍ରି ହ୍ରାସ ପାଇଛି, କିନ୍ତୁ ସେମାନଙ୍କ କାମ ବନ୍ଦ ହୋଇନାହିଁ।  କରୋନା ମହାମାରୀ ସମୟରେ ଓଡ଼ିଶାରେ ପ୍ରସ୍ତରକଳା ଓ ସ୍ଥାପତ୍ୟ କଳାକୁ ବଞ୍ଚାଇ ରଖିବା ପାଇଁ କଞ୍ଚାମାଲ ଭାବେ ବ୍ୟବହୃତ ହେଉଥିବା ମୁଖ୍ୟ ସାମଗ୍ରୀ ପଥର ଠିକ୍‌ ଭାବେ ମିଳୁନାହିଁ । ଖୋର୍ଦ୍ଧା ଜିଲାର ତାପଙ୍ଗ ଅଞ୍ଚଳରେ ଖଣ୍ଡେଲାଇଟ୍‌ ପଥର ମିଳୁଛି । ସେହିପରି ମୟୂରଭଞ୍ଜ ସମେତ ରାଜ୍ୟର ବିଭିନ୍ନ ଜିଲାର ପଥରଗୁଡ଼ିକ କାରିଗରମାନେ ୨ଗୁଣ ଦାମ ଦେଇ କିଣୁଛନ୍ତି । ସରକାର ଏହି ଶିଳ୍ପକୁ ବଞ୍ଚାଇ ରଖିବାକୁ ପଥରଗୁଡ଼ିକୁ ଲିଜ୍‌ରେ ଦେବାକୁ ଟେଣ୍ଡର କରିବା ଦରକାର । ସରକାରୀ ଦରରରେ ପ୍ରସ୍ତର ଶିଳ୍ପୀଙ୍କୁ ପଥର ଯୋଗାଇ ଦିଆଯିବା ଦରକାର ବୋଲି ପ୍ରସ୍ତରଶିଳ୍ପୀମାନେ କହିଛନ୍ତି। ସରରକାର ୨୦୧୧ ଏପ୍ରିଲ୍‌ରେ ପ୍ରକୃତ ଶିଳ୍ପୀଙ୍କୁ ପଥର ଯୋଗାଇବା ଯୋଜନା କରି ଏକ ତାଲିକା ସଂଗ୍ରହ କରିଥିଲେ । ମାତ୍ର ଏଯାଏ ତାହା ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ସରକାରଙ୍କ ତରଫରୁ ଏହି ପ୍ରସ୍ତର ଖୋଦେଇ ଶିଳ୍ପ ନିମନ୍ତେ ବହୁ ତାଲିମ କେନ୍ଦ୍ର ମଞ୍ଜୁର ହେଉଛି । ଏଥିପାଇଁ ଯୁବଗୋଷ୍ଠୀ ମଧ୍ୟ ଆଗ୍ରହ ପ୍ରକାଶ କରୁଥିବା ପରିଲକ୍ଷିତ ହେଉଛି । ଗ୍ରାମାଞ୍ଚଳ ଯୁବଗୋଷ୍ଠୀ ଭୁବନେଶ୍ୱର ଆସି ଏହି ଶିଳ୍ପରେ ମନୋନିବେଶ କରିପାରୁନାହାନ୍ତି । ଗାଁରେ ଶିଖିବାକୁ ଆଗ୍ରହୀ ଯୁବକଙ୍କୁ ସୁବିଧା ମିଳୁନାହିଁ। ଏହି ସମସ୍ୟା ସମାଧାନ ନେଇ ସରକାର ପଦକ୍ଷେପ ନେବା ଦରକାର । ଫଳରେ ବେକାର ଯୁବକଙ୍କ ଆତ୍ମନିଯୁକ୍ତିର ପଥ ସୁଗମ ହୁଅନ୍ତା। ସେହିପରି ପ୍ରସ୍ତରମୂର୍ତ୍ତିଗୁଡ଼ିକ ପାଇଁ ପ୍ରଦର୍ଶନୀ ସୁବିଧା କରାଯିବା ଆବଶ୍ୟକ ବୋଲି ଅନେକ କହିଛନ୍ତି।