ହରଡ ଡାଲିର ମହଜୁଦ ପରିମାଣ ଜଣାଇବା ବାଧ୍ୟତାମୂଳକ ; ସବୁ ବଡ ବ୍ୟବସାୟୀ ଓ ମହଜୁଦକାରୀ ତଥ୍ୟ ଦେବାକୁ ବାଧ୍ୟ

ଏହାକୁ ଅବିଳମ୍ବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ, ବିଭିନ୍ନ ପ୍ରକାର ଡାଲିର ଉପଲବ୍ଧତା ଓ ଏହାର ମୂଲ୍ୟ ଉପରେ କେନ୍ଦ୍ର ସରକାର ସତର୍କ ନଜର ରଖିଛନ୍ତି

ନୂଆଦିଲ୍ଲୀ :  ହରଡ ଡାଲି ସମେତ ବିଭିନ୍ନ ପ୍ରକାର ଡାଲିର ଉପଲବ୍ଧତା ଓ ମୂଲ୍ୟ ଉପରେ କେନ୍ଦ୍ର ସରକାରଙ୍କ ସତର୍କ ଦୃଷ୍ଟି ରଖିଛନ୍ତି । କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ଶୁକ୍ରବାର ଏହି ମର୍ମରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏଥିରେ ହରଡ ଡାଲିର ମହଜୁଦ (ଷ୍ଟକ୍‌) ପରିମାଣ ଜଣାଇବା ସବୁ ବଡ ବଡ ବ୍ୟବସାୟୀ (ଷ୍ଟକ୍ ହୋଲଡର)ଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ୧୯୫୫ର ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଧାରା ୩ (୨) (ଏଚ୍‌) ଓ ୩(୨)(ଆଇ) ଅନୁସାରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଏହି ଆଇନ ଅନୁସାରେ ସରକାରୀ କର୍ତ୍ତୃପକ୍ଷ ଓ ଯୋଗାଣ ବିଭାଗ ଡାଲି ସହିତ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ ପରିମାଣ ଏବଂ ମୂଲ୍ୟ ତଦାରଖ କରିବାକୁ ଅଧିକୃତ । ସମ୍ପୃକ୍ତ ବଡ ବଡ ବ୍ୟବସାୟୀ ସେମାନଙ୍କର ହରଡ ଡାଲିର ମହଜୁଦ (ଷ୍ଟକ) ପରିମାଣ ପ୍ରତ୍ୟେକ ସପ୍ତାହରେ ଥରେ ଲେଖାଏଁ ଖାଉଟି ବ୍ୟାପାର ବିଭାଗର ଅନ୍‌ଲାଇନ ପୋର୍ଟାଲରେ  ଅପ୍‌ଲୋଡ କରିବେ । ଏହି କାର୍ଯ୍ୟରେ ଯେପରି  ବ୍ୟାଘାତ ନ ଘଟେ ଏବଂ ଷ୍ଟକ୍‌ଧାରୀ ଯେପରି ବ୍ୟତିକ୍ରମ ନ କରନ୍ତି, ତାହା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ।

କିଛି ବଡ ବ୍ୟବସାୟୀ ଓ ମହଜୁଦକାରୀ (ଷ୍ଟକ ହୋଲଡର) କୃତିମ ଅଭାବ ସୃଷ୍ଟି ଉଦ୍ଦେଶ୍ୟରେ ବଜାରକୁ ଡାଲି ଛାଡୁ ନ ଥିବା ଖବର ମିଳିଛି । ବିଶେଷ କରି ହରଡ ଡାଲିର କୃତ୍ରିମ ଅଭାବ ସୃଷ୍ଟି କରିବାକୁ ଉଦ୍ୟମ ହେଉଛି । ଏହା ଜଣା ପଡିବା ପରେ କେନ୍ଦ୍ର ସରକାରେ ତତ୍ପର ହୋଇପଡିଛନ୍ତି ଏବଂ ଡାଲିର ଉପଲବ୍ଧତା ଏବଂ ମୂଲ୍ୟ ଉପରେ ସତର୍କ ନଜର ରଖିବା ଆରମ୍ଭ କରିଛନ୍ତି । ତଦନୁସାରେ କୃତ୍ରିମ ଅଭାବ ଯେପରି ନ ଘଟେ ସେଥିପାଇଁ ବଡ ବଡ ମହଜୁଦକାରୀ ଓ ବ୍ୟବସାୟୀଙ୍କ ପାଖରେ ହରଡ ସମେତ ବିଭିନ୍ନ ପ୍ରକାର ଡାଲିର ପରିମାଣ ଓ ତାହାର ମୂଲ୍ୟ ନିୟମିତ ଭାବେ ଜାଣିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିରେ ସବୁମତେ ସାହାଯ୍ୟ ସହଯୋଗ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି । କେହି ଯେପରି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଫାଇଦା ନ ଉଠାନ୍ତି ତା’ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

୨୦୨୨ ଜୁଲାଇ ଦ୍ୱିତୀୟ ସପ୍ତାହଠାରୁ ଦେଶର ବିଭିନ୍ନ ଅଞ୍ଚଳରେ  ହରଡ ଡାଲିର ଖୁଚୁରାମୂଲ୍ୟ ବଢିବା ଆରମ୍ଭ କରିଥିଲା । ଗତବର୍ଷ ତୁଳନାରେ ଏଥର ଖରିଫ ଋତୁରେ ଅତ୍ୟଧିକ ବର୍ଷା ଯୋଗୁଁ ଡାଲି ଜାତୀୟ ଫସଲ ପ୍ରଭାବିତ ହୋଇଥିଲା । ଅଧିକ ହରଡ ଉତ୍ପାଦିତ ହେଉଥିବା ରାଜ୍ୟ ଯଥା କର୍ଣ୍ଣାଟକ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଉତ୍ପାଦନ ହ୍ରାସ ପାଇବା କାରଣରୁ ବଜାରରେ ଏହାର ଦାମ୍ ବୃଦ୍ଧି ପାଇଥିଲା ।

ତେବେ କେନ୍ଦ୍ର ସରକାର ଏ ବିଷୟରେ ଅବଗତ ଅଛନ୍ତି । ଆଗକୁ ପୂଜା ପାର୍ବଣ ସମୟ ଆସୁଥିବାରୁ ଚାହିଦା ବୃଦ୍ଧିର ସୁଯୋଗ ନେଇ ବ୍ୟବସାୟୀ ଡାଲିର କୃତ୍ରିମ ଅଭାବ ସୃଷ୍ଟି କରି ଯେପରି ଫାଇଦା ନ ଉଠାନ୍ତି ସେଥିପାଇଁ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ତତ୍ପର ରହିଛି । ଘରୋଇ ବଜାରର ଆବଶ୍ୟକତା ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ସେଥିପାଇଁ ବିଦେଶ ଡାଲି ବଜାର ଉପରେ ମଧ୍ୟ ସରକାର ନଜର  ରଖିଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶରେ ଏବେ ଯଥେଷ୍ଟ ପରିମାଣର ଡାଲି ମହଜୁଦ ରହିଛି । ସରକାରଙ୍କ ପାଖରେ ଏବେ ୩୮ଲକ୍ଷ ଟନ୍ ଡାଲି ମହଜୁଦ ଅଛି । ଲୋକଙ୍କ ଚାହିଦା ପୂରଣ କରିବା ପାଇଁ ମହଜୁଦ ଥିବା ଡାଲିକୁ ସରକାର ପର୍ଯ୍ୟାୟ କ୍ରମେ ଖୋଲା ବଜାରକୁ ଛାଡୁଛନ୍ତି

Comments are closed.