ଅସୁସ୍ଥ ବାପାଙ୍କ ଠାରୁ ଅନୁମତି ନେଇ ୟୁଏଇ ଆସିଛନ୍ତି ଷ୍ଟୋକ୍‌ସ

ଲଣ୍ଡନ୍‌: ଇଂଲଣ୍ଡ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ବେନ୍ ଷ୍ଟୋକ୍‌ସ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିବାକୁ ଇତିମଧ୍ୟରେ ୟୁଏଇରେ ପହଞ୍ଚି ସାରିଛନ୍ତି। ୟୁଏଇରେ ପହଞ୍ଚିବା ପରେ ନିୟମ ଅନୁଯାୟୀ ସେ ସଙ୍ଗରୋଧରେ ରହିଛନ୍ତି। ଆସନ୍ତା ୧୦ରେ ଷ୍ଟୋକ୍‌ସଙ୍କ ସଙ୍ଗରୋଧ ସମୟ ଶେଷ ହେବା ପରେ ସେ ରାଜସ୍ଥାନ ରୟାଲ୍‌ସ ଦଳ ସହ ଯୋଗ ଦେବେ।

ସୂଚନାଥାଉକି, ଷ୍ଟୋକ୍‌ସଙ୍କ ବାପା ଗୁରୁତର ଅସୁସ୍ଥ ଅଛନ୍ତି। ନ୍ୟୁଜିଲାଣ୍ଡରେ ଷ୍ଟୋକ୍‌ସଙ୍କ ପରିବାର ରହୁଥିବାରୁ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଗତ ଅଗଷ୍ଟରେ ଷ୍ଟୋକ୍‌ସଙ୍କ ବାପାଙ୍କ ମସ୍ତିଷ୍କ କକର୍ଟରେ ପୀଡ଼ିତ ବୋଲି ଜଣାପଡ଼ିଥିଲା। ଏହି ଖବର ଶୁଣିବା ପରେ ଷ୍ଟୋକ୍‌ସ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍‌ ମଝିରୁ ନ୍ୟୁଜିଲାଣ୍ଡ ଚାଲି ଯାଇଥିଲେ। ସେଠାରେ ୫ ସପ୍ତାହ ରହିବା ପରେ ବାପାଙ୍କ ଠାରୁ ଅନୁମତି ନେଇ କ୍ରିକେଟ୍‌ ପଡ଼ିଆକୁ ଫେରିଥିବା ଷ୍ଟୋକ୍‌ସ ଏକ ଖବରକାଗଜରେ ସ୍ତମ୍ଭ ଲେଖି ଦର୍ଶାଇଛନ୍ତି। ଷ୍ଟୋକ୍‌ସ ଲେଖିଛନ୍ତି ଆଇପିଏଲ୍‌ରେ ଖେଳିବାକୁ ଚୁକ୍ତି କରିଥିବାରୁ ନ୍ୟୁଜିଲାଣ୍ଡରେ ନ ରହି ୟୁଏଇ ଯାଇ ରାଜସ୍ଥାନ ରୟାଲ୍‌ସ ଦଳରେ ଯୋଗ ଦେବାକୁ ତାଙ୍କ ବାପା କହିଥିଲେ। ବାପାଙ୍କ ଠାରୁ ଅନୁମତି ନେଇ ସେ ୟୁଏଇ ଆସିଛନ୍ତି। ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ରହୁଥିବା ବାପା, ମା’ ଓ ଭାଇଙ୍କୁ ଛାଡ଼ି ୟୁଏଇ ଆସିବା ତାଙ୍କ ପାଇଁ କଷ୍ଟକର ଥିଲା। ତେବେ ନିଜ କାମରେ ହେଳା କରିବା ଉଚିତ୍‌ ନୁହେଁ ବୋଲି ବାପା କହିଥିଲେ। ବାପାଙ୍କ ଅସୁସ୍ଥତା ଖବର ପାଇଁ ଖ୍ରୀଷ୍ଟଚର୍ଚ୍ଚରେ ପହଞ୍ଚିବା ପରେ ପ୍ରଥମେ କିଛିଦିନ ତାଙ୍କ ପାଇଁ ବହୁତ କଷ୍ଟକର ଥିଲା। ପରବର୍ତ୍ତୀ ସମୟରେ ବାପାଙ୍କ ସହ ଟିଭି ଦେଖିବା ଓ ନିକଟସ୍ଥ କଫି ଦୋକାନକୁ ଯାଇ ବେଶ୍‌ କିଛି ସମୟ ଅତିବାହିତ କରିଥିଲେ। ୟୁଏଇରେ ସଙ୍ଗରୋଧରେ ରହିବା ସଂପର୍କରେ ମତ ଦେଇ ଷ୍ଟୋକ୍‌ସ କହିଥିଲେ ନିୟମ ସମସ୍ତଙ୍କୁ ମାନିବାକୁ ହେବ।

Comments are closed.