ସେନ୍‌ସେକ୍ସ ୧୦୬୬ ପଏଣ୍ଟ ଖସିଲା: ୧୦ ଦିନର ଉତ୍ସାହରେ ଲାଗିଲା ବ୍ରେକ୍‌, ନିବେଶକ ହରାଇଲେ ୩.୩ ଲକ୍ଷ କୋଟି

ଷ୍ଟକ ବଜାରରେ କଳା ଗୁରୁବାର

ମୁମ୍ବଇ : କରୋନା ଯୋଗୁ ଦେଶର ଘରୋଇ ପୁଞ୍ଜିବଜାରରେ କଳାବାଦଲ ଘୋଟିବାରେ ଲାଗିଛି। ଯଦିବା ବିଗତ ୧୦ ଦିନ ହେବ ପୁଞ୍ଜି ବଜାରରେ ଉତ୍ସାହ ଧାରା ଲାଗି ରହିଥିଲା, ଆଜି ସେଥିରେ ବ୍ରେକ୍‌ ଲାଗିଛି। ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ୧୦୦୦ରୁ ଅଧିକ ପଏଣ୍ଟ ହ୍ରାସ ଘଟିଛି। ଏହା ଫଳରେ ଷ୍ଟକ ବଜାରରେ ଏକ କଳା ଗୁରୁବାର ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ ପୁଞ୍ଜି ବଜାରରେ ଦେଖାଦେଇଥିବା ନକାରାତ୍ମକ କାରବାରର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ ପଡିଛି। ଷ୍ଟକ ବଜାରରେ ଲାଗି ରହିଥିବା ଏଭଳି ଦୋଳାୟମାନ ସ୍ଥିତି ନିବେଶକଙ୍କ ଆଶଙ୍କାକୁ ବଢ଼ାଇ ଦେଇଛି। ସେନ୍‌ସେକ୍ସରେ ଏଭଳି ହ୍ରାସ ଯୋଗୁ ନିବେଶକଙ୍କୁ ବେଶ କ୍ଷତି ସହିବାକୁ ପଡିଛି। ଏହା ଫଳରେ ନିବେଶକଙ୍କୁ ଆଜି ଗୋଟିଏ ଦିନର କାରବାରରେ ୩.୩ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡିଛି।
ଗୁରୁବାର କାରବାର ଶେଷ ବେଳକୁ ବମ୍ବେଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ୧୦୬୬ ପଏଣ୍ଟ ଅର୍ଥାତ୍‌ ୨.୬୧% ହ୍ରାସ ଘଟି ୩୯,୭୨୮.୪୧ ପଏଣ୍ଟରେ କାରବାର ​‌େ​‌ଶଷ ହୋଇଛି। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାରୁ ଆସୁଥିବା ସହାୟତା ପ୍ୟାକେଜ୍ ମିଳିବା ନେଇ ଦେଖାଦେଇଥିବା ଆଶଙ୍କାକୁ ନେଇ ସମଗ୍ର ବିଶ୍ୱ ପୁଞ୍ଜିବଜାରରେ ନିରାଶା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଆମେରିକାର ଅର୍ଥ ସଚିବ ଷ୍ଟିଭେନ୍‌ ମ୍ୟୁଚିନ୍‌ କହିଛନ୍ତି ଯେ, ନଭେମ୍ବରର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ସହାୟତା ପ୍ୟାକେଜ୍‌ ଦିଆଯିବା ସମ୍ଭାବନା କମ୍‌। ଏହାର ପ୍ରଭାବ ତୁରନ୍ତ ପୁଞ୍ଜି ବଜାରରେ ପରିଲକ୍ଷିତ ହୋଇଛି। ସେହିପରି ଆଜି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୨୯୧ ପଏଣ୍ଟ ବା ୨.୪୧% ହ୍ରାସ ଘଟି ୧୧,୬୮୦.୩୫ ପଏଣ୍ଟରେ କାରବାର ଶେଷ ହୋଇଛି। ଗୁରୁବାର କାରବାରରେ ବ୍ୟାଙ୍କ, ଅର୍ଥ ଏବଂ ଆଇଟି ଆଦି କ୍ଷେତ୍ରର ଷ୍ଟକ ମୂଲ୍ୟରେ ଅଧିକ ହ୍ରାସ ଘଟିଥିଲା।

Comments are closed.