ବାଲି ଚାଲାଣ ଉପରେ ଏସଟିଏଫ୍ ଚଢ଼ାଉ, ଝାରସୁଗୁଡ଼ାରେ ଛନକା

ବ୍ରଜରାଜନଗର/ ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ନଦୀରୁ ବେଆଇନ ବାଲି ଚାଳାଣ ଓ ମାତ୍ରାଧିକ ଖନନ ନେଇ ଅଭିଯୋଗ ହେଉଥିଲେ ହେଁ ସେ ଉପରେ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଲଗାମ କସି ପାରୁନଥିଲା। ପ୍ରଶାସନ ଯେତିକି କଡ଼ା ହେଲେ ମଧ୍ୟ ଚୋରା ଚାଳାଣକରୀ ଅସାଧୁ ଉପାୟ ଅବଳନ କରି ଖସି ଯିବାରେ ସଫଳ ହେଉଥିଲେ। ହେଲେ ବ୍ରଜରାଜନଗର ଏସଡ଼ିପିଓ ଦିଲୀପ ଦାସଙ୍କ ହାବୁଡ଼ୁରେ ଭିନ୍ନ ସମୟରେ ଦୁଇଟି ବାଲି ଚୋର ଚାଲାଣ କରୁଥିବା ଟ୍ରକ ଧରା ପଡ଼ିବା ପରେ ବାଲି କେଳେଙ୍କାରୀର ମୂଳତ୍ପାଟନ ଉପରେ ମୂଳଦୁଆ ପଡ଼ିଛି।

ପୁଲିସର ଧରପଗଡ଼ କାରଣରୁ ବାଲି ବେପାରି ନିଜ ସୀମାରେ ରହି ବେପାର କରୁଥିବା ସମୟରେ ହଠାତ ବାଲି ଘାଟରେ ମେସିନ ବ୍ୟବହାର ଉପରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ କଟକଣା ଲଗାଇଥିଲା। ଏହି ପରିସ୍ଥିତିରେ ଜିଲାରେ ବାଲିର ଘୋର ଅଭାବ ଦେଖା ଦେଇଥିବାରୁ ନିର୍ମାଣ କାର୍ଯ୍ୟ ଏକ ରକମ ଠପ୍ ହେବାକୁ ବସିଥିବା ସମୟରେ ପଡ଼ୋଶୀ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଘାଟରୁ ଭରପୁର ମାତ୍ରାରେ ବାଲି ଝାରସୁଗୁଡ଼ା ଜିଲ୍ଲାକୁ ଯୋଗାଣ କରାଯାଇଥିଲା। ଏପରି କି ଝାରସୁଗୁଡା ଜିଲ୍ଲାରେ ଲାଗିଥୁବା ମେସିନ ଉପରେ ଲାଗିଥିବା କଟକଣା ସୁନ୍ଦରଗଡ଼କୁ ବେଶ ସୁହାଇଥିଲା। ବେଧଡକ ଭାବେ ସୁନ୍ଦରଗଡ଼ ସୀମା ପରି କରି ଦୈନିକ ଶହ ଶହ ବାଲି ବୋଝେଇ ହାଇୱା ଏନଏଚ୍ ଓ ଏସଏଚ୍ ଦେଇ ପଶ୍ଚିମ ଓଡ଼ିଶାକୁ ନିଜ ବେଆଇନ କାରବାରରେ ଅକ୍ତିଆର କରିବାରେ ଲାଗି ପଡ଼ିଥିଲେ। ହେଲେ ଏହା ବେଶୀ ଦିନ ଚାଲିଳା ନାହିଁ। ଝାରସୁଗୁଡ଼ା ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲାର ଇବ ନଦୀରୁ ବେଆଇନ ଓ ମାତ୍ରା ବାଲି ଖନନ କରାଯାଉଥିବାର ଖବର ସ୍ପେଶାଲ ଟାସ୍କ ଫୋର୍ସ ହାତରେ ଲାଗିବା ପରେ ଗୁରୁବାର ଅଚାନକ ଚଢଉ କରିଥିଲା। ଘଟଣାସ୍ଥଳରୁ ଏସଟିଏଫ୍ ୯ ଜଣକୁ ଗିରଫ୍ କରିଥିବା ବେଳେ ୬ଟି ବାଲି ବୋଝେଇ ହାଇ, ୨ଟି ମେସିନ ଜବତ କରିଥିଲା।

ସେପଟେ ବାଲି ଉତ୍ତୋଳନ ଓ ପରିବହନ ସଂକ୍ରାନ୍ତରେ ଏସଟିଏଫ୍ ତରଫରୁ ଦସ୍ତାବିଜ ମଗାଯାଇଥିଲେ ସୁଦ୍ଧା ସେମାନେ ଉପସ୍ଥାପନ କରିବାରେ ବିଫଳ ହୋଇଥିଲେ। ଅଭିଯୁକ୍ତମାନେ ଦୀର୍ଘ ଦିନରୁ ଏହି ବେଆଇନ କାରବାର ଜାରି ରଖୁଥୁବାରୁ ରାଜ୍ୟ ସରକାରଙ୍କ ବହୁ ମାତ୍ରାରେ ରାଜସ୍ୱ ହାନୀ ଘଟିଥିବା ଏସଟିଏଫ୍ ଅନୁଭବ କରିଛି। ଏନେଇ ଭସ୍ମା ଥାନାରେ କେସ ନମର- ୪୮ / ୨୦୨୧ ଧାରା ୩୭୯ / ୦୧୧ / ୪୧୩ / ୧୨୦ ( ବି )ରେ ମାମଲା ରୁଜୁ କରାଯାଇଥିବା ସହିତ ୫୧ ଲଘୁ ଖଣିଜ ଦ୍ରବ୍ୟ ରିହାତି ଆଇନ – ୨୦୧୬ ଅନୁସାରେ ତଦନ୍ତ ଜାରି ରହିଥିବା ଏସଟିଏଫ୍ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ପ୍ରଦାନ କରିଛି।

ଅପରପକ୍ଷେ ବାଲି ଉତ୍ତୋଳନ ପାଇଁ ମେସିନ ବ୍ୟବହାର ନକରିବାକୁ ସରକାରୀ ନିୟମ କଡ଼ା କଡ଼ି ରହିଥିଲେ ହେଁ ସାରା ରାଜ୍ୟରେ ମେସିନ ଲଗାଇ ବାଲି ଖନନ କରାଯାଉଛି। ତେବେ ଏହି ପରିସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲାର ବାଲି ଘାଟରେ ମେସିନ ଉପରେ କଟକଣା ଲଗାଯାଇଥିବାରୁ ଲିଜଧାରୀ ମାତ୍ରାଧିକ ଚିନ୍ତାରେ ରହିଛନ୍ତି। ଅନ୍ୟପଟେ ସରକାରୀ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ମାର୍ଚ୍ଚ ଶେଷ ସୁଦ୍ଧା ସାରିବାକୁ କଡ଼ା ନିର୍ଦ୍ଦେଶ ରହିଥିବା ସମୟରେ ବାଲି ଯୋଗାଣ ହୋଇ ପାରୁନଥିବାରୁ ଏମାନଙ୍କ ଭାଗ୍ୟ ଅନିଶ୍ଚିତା ମଧ୍ୟକୁ ଠେଲି ହୋଇଯାଇଛି।

Comments are closed.