ଓଡ଼ିଶା କୃଷିଭବନ ପାଇବ ‘ଡିଜିନ୍‌’ ପୁରସ୍କାର

ଭୁବନେଶ୍ବର : ପାରମ୍ପରିକ ସ୍ଥାପତ୍ୟ କଳାର ସମ୍ଭାରକୁ ବହନ କରି ଉନ୍ନତ ଜ୍ଞନକୌଶଳରେ ନିର୍ମିତ ‘ଓଡ଼ିଶାର କୃଷି ଭବନ’ ଭାରତର ପ୍ରଥମ ସରକାରୀ କୋଠା ଭାବେ ବିଶ୍ବସ୍ତର‌େ‌ର ପ୍ରଖ୍ୟାତ ତଥା ସମ୍ମାନଜନକ ଆନ୍ତର୍ଜାତିକ ଆର୍କିଟେକ୍ଚର ଜର୍ଣ୍ଣାଲ ଡିଜିନରେ ସ୍ଥାନ ପାଇଛି। ଡିଜିନ ହେଉଛି ଲଣ୍ଡନସ୍ଥିତ ଏକ ଆର୍କିଟେକ୍ଚର, ଇଣ୍ଟେରିୟର ଓ ଡିଜାଇନ ମାଗାଜିନ। ‘ଟାଇମ’ ମାଗାଜିନର ସବୁଠୁ ପ୍ରଭାବଶାଳୀ ବିଶ୍ବସ୍ତରୀୟ ଡିଜାଇନ (ଡିଜିନ ୧୦୦) ଭିତରେ ଏହା ଅନ୍ତର୍ଭୁକ୍ତ। ସ୍ଥାପତ୍ୟ କ୍ଷେତ୍ରରେ ବିଶ୍ବର ଏହା ସବୁଠୁ ପ୍ରସିଦ୍ଧ ପତ୍ରିକା ଭାବେ ବିବେଚିତ ହୋଇଥାଏ। ଚଳିତବର୍ଷ ଏହି ସ୍ଥାପତ୍ୟ ବିଶ୍ବର ସମ୍ମାନଜନକ ଡିଜିନ ପତ୍ରିକା ଦ୍ବାରା ଦିଆଯାଉଥିବା ଡିଜିନ ପୁରସ୍କାର ୨୦୨୦ ପାଇଁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛି। କୃଷି ଭବନ ଆର୍କିଟେକ୍ଚର ବର୍ଗ ଅନ୍ତର୍ଗତ ସିଭିକ ବିଲ୍‌ଡିଂ(ସର୍ବସାଧାରଣ ଅଟ୍ଟାଳିକା) ଉପବର୍ଗ​‌େ​‌ର ସ୍ଥାନ ପାଇଛି।

ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୧.୩ ଲକ୍ଷ ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ କୃଷି ଭବନକୁ ଦିଲ୍ଲୀର ଷ୍ଟୁଡିଓ ଲୋଟସ୍‌ ପକ୍ଷରୁ ଡିଜାଇନ କରାଯାଇଛି। ଏହି ଡ଼ିଜାଇନରେ ଓଡ଼ିଶାର କଳାକୃତି ପ୍ରଦର୍ଶିତ ହେଇଛି। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୧୩ରେ ଆରମ୍ଭ ହୋଇଥିଲା ଏବଂ ୨୦୧୮ରେ ଏହାକୁ ବ୍ୟବହାର ପାଇଁ ଉଦଘାଟନ କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ୭୦କୋଟି ଟଙ୍କା ବ୍ୟୟ କରାଯାଇଛି। ଓଡ଼ିଶାର କୃଷି ବିଭାଗ ପାଇଥିବା କୃଷି କର୍ମଣ ପୁରସ୍କାର ରାଶି ଉପଯୋଗ କରି ଏହାକୁ ନିର୍ମାଣ କରାଯାଇଥିଲା। କୃଷି ଓ କୃଷକ ସଶକ୍ତୀକରଣ ଚିନ୍ତାଧାରାରେ ପ୍ରସ୍ତୁତ ଏହି ଅଟ୍ଟଳିକା ଆଧୁନିକ ଓ ପାରମ୍ପରିକ ସ୍ଥାପପତ୍ୟକଳାର ଏକ ଅପୂର୍ବ କୃତି ବୋଲି ପତ୍ରିକା ପକ୍ଷରୁ କୁହାଯାଇଛି। ପୂର୍ବରୁ କୃଷି ଭବନ ବିଶ୍ବର ପ୍ରମୁଖ ପତ୍ରିକାରେ ସ୍ଥାନ ପାଇସାରିଛି।

ଗତବର୍ଷ ଏହା ଫୋର୍ବସ, ଆର୍କଡେଲି, ଆର୍କିଟେକ୍ଚରାଲ ରେକର୍ଡ଼ ଆଦିରେ ସ୍ଥାନ ପାଇଥିଲା। ଏଥିସହିତ ଗତବର୍ଷ ଆମଷ୍ଟରଡାମ୍‌ଠାରେ ଅନୁଷ୍ଠିତ ବିଶ୍ବ ଆର୍କିଟେକ୍ଚର ଉତ୍ସବରେ ମଧ୍ୟ ସ୍ଥାନ ପାଇଥିଲା। ଏହି ସୁନ୍ଦର ଅଟ୍ଟାଳିକା ନିର୍ମାଣ ପଛରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ତଥା ସୌନ୍ଦର୍ଯ୍ୟ ପ୍ରତିଭାର ଉନ୍ମେଷ, ଯିଏ ସମ୍ବଲପୁରୀ ଇକତ ଡିଜାଇନ ଏବଂ ସମ୍ବଲପୁରୀ ଶାଢ଼ୀକୁ ଖୁବ୍ ସୁନ୍ଦର ଭାବେ ବିଶ୍ବସ୍ତରୀୟ ଛାପରେ ନିର୍ମିତ ଅଟ୍ଟାଳିକା ଜରିଆରେ ପ୍ରଦର୍ଶିତ କରିବାର ଅଭିପ୍ରାୟ ରଖିଥିଲେ। ଖୁବ୍ ଆକର୍ଷଣୀୟ ଢଙ୍ଗରେ ନିର୍ମିତ ଏହି ସୁଉଚ୍ଚ ଅଟ୍ଟାଳିକାରେ ଇଟାରଙ୍ଗର କାରୁକାର୍ଯ୍ୟ ଖଚିତ ହେବା ସହିତ ଏହାର ଅଗଣାରେ ପୁଷ୍କରିଣୀ ଓ ବୃକ୍ଷରାଜିର ସମ୍ଭାର ରହିଛି। ସାରା କୃଷି ଭବନଟିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର କଳାକୃତି ଶୋଭା ପାଉଛି। ଏହି କୋଠାର ପାଦପୀଠ ଏବଂ ଉତ୍ତର ପାର୍ଶ୍ବ ଓଡ଼ିଶାର ବିଭିନ୍ନ ଖଣିରୁ ସଂଗୃହୀତ ମାଙ୍କଡ଼ାପଥର ଏବଂ କୁଣ୍ଡାପଥର(ଖଣ୍ଡାଲାଇଟ)ରେ ନିର୍ମିତ ହୋଇଛି।

ଏଠାରେ ପ୍ରାୟ ୬୦୦ କର୍ମଚାରୀ ବସି କାର୍ଯ୍ୟ କରିବା ଭଳି ଅଫିସ ପ୍ରକୋଷ୍ଠ ନିର୍ମାଣ ସହିତ ଶିକ୍ଷା ଏବଂ ବୈଠକ ଆୟୋଜନ ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିଛି। ଭୁବନେଶ୍ବରର ଏହି ସରକାରୀ କାର୍ଯ୍ୟାଳୟକୁ ସହରୀ ଲୋକଙ୍କ ପାଇଁ ଏକ ଉତ୍କୃଷ୍ଟ ତଥା ଆକର୍ଷଣୀୟ କରିବା ଲକ୍ଷ୍ୟରେ ଜର୍ମାନ ଆର୍କିଟେକ୍ଟ ତଥା ପ୍ଲାନର ଓଟ୍ଟୋ କୋନିଗ୍ସବର୍ଜରଙ୍କ ‌ ମୂଳ ପ୍ଲାନ ଆଧାରରେ ଅତିରିକ୍ତ ସୁବିଧାସୁଯୋଗ ସଂଯୁକ୍ତ କରାଯାଇଛି। ଏଠାରେ ରହିଛି ଆମ୍ପିଥିଏଟର, ଉଦ୍ୟାନ, ପୁଷ୍କରିଣୀ ଯାହା ପରିବେଶକୁ ସର୍ବଦ ଥଣ୍ଡା ରଖିବା ପାଇଁ ଉଦ୍ଦିଷ୍ଟ। କୋଠାଟିର ତଳ ମହଲାରେ ପଠନ କେନ୍ଦ୍ର, ଗ୍ୟାଲେରୀ, ପାଠାଗାର, ତାଲିମ ପ୍ରକୋଷ୍ଠ ଥିବାବେଳେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ମହଲାରେ ରହିଛି ସରକାରୀ କାର୍ଯ୍ୟାଳୟ । ଅଟ୍ଟାଳିକାର ଛାତ ଉପରେ ରହିଛି ଅର୍ବାନ ଫାର୍ମ ଯାହା କୃଷି ଭିତ୍ତିକ ବିଭିନ୍ନ ଜ୍ଞାନବୌଶଳ ଓ ଚାଷ ପଦ୍ଧତିର ପ୍ରଦର୍ଶନୀ ପାଇଁ ଉଦ୍ଦିଷ୍ଟ।

Comments are closed.