କରୋନା ପାଇଁ ରାଜ୍ୟ ସରକାର ଘୋଷଣା କଲେ ଗଣମାଧ୍ୟମ ନିୟମାବଳୀ

ଭୁବନେଶ୍ୱର: କରୋନା ଭୁତାଣୁରେ ସଂକ୍ରମିତ ରୋଗୀଙ୍କ ସମ୍ପର୍କିତ ସମସ୍ତ ବ୍ୟକ୍ତିଗତ ତଥ୍ୟ ଓ ସୂଚନା ପ୍ରକାଶନ ଓ ପ୍ରସାରଣରେ ଗୋପନୀୟତା ରକ୍ଷା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଜି ଗୀତଗୋବିନ୍ଦ ସଦନରେ ଓଡିଶା ସରକାରଙ୍କ କୋଭିଡ-୧୯’ର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଜ୍ୟ ସରକାର ମହାମାରୀ ରୋଗ ଅଧିନିୟମ – ୧୮୯୭ର ଧାରା – ୨ ଓ ନିୟମ ୧୭ ଅନୁଯାୟୀ କରୋନା ଭାଇରସ ରୋକିବା ପାଇଁ ଭାରତୀୟ ପ୍ରେସ କାଉନସିଲ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିଛନ୍ତି।

ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, କୌଣସି ଛାପା, ଇଲେକ୍ଟ୍ରୋନିକ, ୱେବ ପୋର୍ଟାଲ କିମ୍ବା ସାମାଜିକ ଗଣମାଧ୍ୟମ କରୋନା ଜୀବାଣୁ ସଂକ୍ରମିତ ଅଥବା ପ୍ରଭାବିତ ବ୍ୟକ୍ତିଙ୍କ ନାମ ଏବଂ ଠିକଣା, ତାଙ୍କ ପିତାମାତା, ସମ୍ପର୍କୀୟ, ଚିକିତ୍ସା କରୁଥିବା ଡାକ୍ତର ଏବଂ ସହାୟକ ମେଡିକାଲ କର୍ମଚାରୀଙ୍କ ପରିଚୟ ଓ ବ୍ୟକ୍ତିଗତ ତଥ୍ୟ ପ୍ରକାଶ କରିବେ ନାହିଁ। ସେହି ଭଳି କୌଣସି ଗଣମାଧ୍ୟମ କରୋନା ପ୍ରଭାବିତ ରୋଗୀ, ତାଙ୍କ ପିତାମାତା, ସମ୍ପର୍କୀୟ, ଡାକ୍ତରଙ୍କ ଚିକିତ୍ସା, ଡାକ୍ତରୀ କର୍ମଚାରୀଙ୍କ କୌଣସି ରୂପରେ ସାକ୍ଷାତକାର ଗ୍ରହଣ କରିବେ ନାହିଁ କି ପ୍ରକାଶ କରିବେ ନାହିଁ। ଏହି ନିର୍ଦ୍ଦେଶାବଳୀ ଉଲ୍ଲଙ୍ଘନ କଲେ ଆଇପିସିର ଧାରା – ୧୮୮ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ବିବେଚନା କରାଯିବ।

Comments are closed.