ରାଜ୍ୟରେ ବନ୍ଦ ହେବ କୋଭିଡ କେୟାର ସେଣ୍ଟର ଓ ଟିଏମସି

ଜିଲାପାଳ ଓ ପୌର କମିଶନରମାନଙ୍କୁ ଚିଠି ଲେଖିଲେ ସ୍ଵାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ଵର : ରାଜ୍ୟରେ କରୋନା ରୋଗୀଙ୍କ ପାଇଁ କରାଯାଇଥିବା କୋଭିଡ୍ କେୟାର ସେଣ୍ଟର ଓ ପ୍ରତି ପଞ୍ଚାୟତରେ କରାଯାଇଥିବା ଟିଏମସିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲାର ଜିଲାପାଳ ଓ ପୌର କମିଶନରମାନଙ୍କୁ ଚିଠି ଲେଖିଛନ୍ତି ସ୍ଵାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । କୋଭିଡ କେୟାର ସେଣ୍ଟର ଓ ଟିଏମସି ଗୁଡିକରେ କୌଣସି ରୋଗୀ ନଥିବା କାରଣରୁ ଏସବୁକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

 

ଜିଲାପାଳ ଓ ପୌର କମିଶନରମାନଙ୍କୁ ସ୍ଵାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଦେଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟର ଅଧିକାଂଶ ସ୍ଥାନରେ ଥିବା କୋଭିଡ କେୟାର ସେଣ୍ଟର ଓ ଟିଏମସି ବର୍ତ୍ତମାନ ଖାଲି ପଡିଛି । ଏହି କାରଣରୁ ତାହା ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। କୋଭିଡ କେୟାର ସେଣ୍ଟର ଓ ଟିଏମସି ବନ୍ଦ ହେବା ସହ ସେଠାରେ ନିୟୋଜିତ ଷ୍ଟାଫଙ୍କୁ ମୂଳ କର୍ମସ୍ଥାନକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ସ୍ଥାନରେ ଆବଶ୍ୟକ ପଡେ ସେଠାରେ ପୁନର୍ବାର ଖୋଲା ଯାଇପାରିବ ବୋଲି ଚିଠିରେ ଦର୍ଶାଯାଇଛି । ତେବେ ପୁନର୍ବାର ଖୋଲିବାର ଆବଶ୍ୟକ ପଡିଲେ ଜିଲାର ଜିଲାପାଳ ଏନେଇ ଏସଆରସିଙ୍କୁ ଜଣାଇବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

 

Comments are closed.