ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ମସିହା ପାଇଁ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା କରାଯାଇଛି । ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ମର୍ଯ୍ୟାଦା ଜନକ ଜୟଦେବ ପୁରସ୍କାର ପ୍ରଦାନ ସଂପର୍କରେ ଘୋଷଣା କରାଯାଇଛି । ସେହିପରି ଖ୍ୟାତି ସଂପର୍ଣ୍ଣ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ। ନୀଳମାଧବ ପଣ୍ଡାଙ୍କୁ ମଧ୍ୟ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚିତ୍ର ‘କାଲିର ଅତୀତ’ ପାଇଁ  ତାଙ୍କୁ ଏହି ଦୁଇ ପୁରସ୍କାର ପ୍ରଦାନ କରାଯିବ।

ସରୋଜ ପରିଡାଙ୍କୁ  ‘ଖୁସି’ ଚଳଚ୍ଚିତ୍ରରେ ଉଚ୍ଚକୋଟିର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଏବଂ ସେହି ଫିଲ୍ମରେ ନିଖୁଣ ଅଭିନୟ ପାଇଁ କାବ୍ୟା କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ‘ଶଲାବୁଢାର ବଦଲା’ ପାଇଁ ସ୍ବର୍ଗତ କପଳେଶ୍ଵର ମହାପାତ୍ରଙ୍କୁ  ଶ୍ରେଷ୍ଠ କାହାଣୀ ଓ  ବୈଦ୍ୟନାଥ ଦାସଙ୍କୁ ଫିଲ୍ମ ‘ନାୟକର ନାଁ ଦେବଦାସ’ ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ। ସେହିପରି ସ୍ବୟମ ପାଢ଼ୀ​‌ଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଓ ଦୀପ୍ତିରେଖା ପାଢ଼ୀଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ପୁରସ୍କାର ପ୍ରଦାନ କରାଯିବ। ରବିନ୍ଦ୍ର ବେହେରାଙ୍କୁ ଶ୍ରେଷ୍ଠ ଚିତ୍ର ଗ୍ରହଣ ଓ ରାଜେଶ ଦାସଙ୍କୁ ଶ୍ରେଷ୍ଠ ସମ୍ପାଦନା ପୁରସ୍କାର ପ୍ରଦାନ କରାଯିବ। ଅରୁଣ ମନ୍ତ୍ରୀଙ୍କୁ ଶ୍ରେଷ୍ଠ ଗୀତିକାର, ଶ୍ରେଷ୍ଠ ଚିତ୍ରନାଟ୍ୟ ପାଇଁ  ସନ୍ତୋଷ ନାରାୟଣ ଦାସଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ବବି ମିଶ୍ରଙ୍କୁ  ଶେଷ୍ଠ ସହ ଅଭିନେତା ଓ ଅଞ୍ଜନା  ଦାଶଙ୍କୁ ଶେଷ୍ଠ ସହ ଅଭିନେତ୍ରୀ, ଐଶ୍ଵର୍ଯ୍ୟା ମିଶ୍ରଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପ୍ରଦାନ କରାଯିବ।

Comments are closed.