ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି : ୧୨୧୦ କୋଟିର ପାନୀୟ ଜଳ ପ୍ରକଳ୍ପ

୩ ଜିଲାର ୧୦ ଲକ୍ଷ ପରିବାରକୁ ବିଶୁଦ୍ଧ ଜଳ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ପାନୀୟଜଳ ଯୋଗାଣକୁ ଗୁରୁତ୍ବ ଦିଆଯାଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୨୧୦ କୋଟି ଟଙ୍କା ବ୍ୟୟ‌େ‌ର ୩ଟି ଜିଲାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଆସନ୍ତା ୨ବର୍ଷ ମଧ୍ୟରେ ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ରାଜ୍ୟ କ୍ୟାବିନେଟ ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଜଳଜୀବନ ମିଶନ(ଜେଜେଏମ)ରେ ବାଲେଶ୍ବର ଜିଲାର ୩ଟି ବ୍ଲକରେ ୩୦୧ ଗ୍ରାମର ୨ଲକ୍ଷ ୬୨ହଜାର ୯୩ଜଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ହାଇଦରାବାଦସ୍ଥିତ ଏମ୍‌ଏସ୍‌. ଏନ୍‌ସିସି ଲିଃ.କୁ ୨୯୧କୋଟି ୬୨ଲକ୍ଷ ୭୭ହଜାର ଟଙ୍କାର କାର୍ଯ୍ୟାଦେଶ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଉକ୍ତ ସଂସ୍ଥା ଆସନ୍ତା ୨ବର୍ଷ ମଧ୍ୟରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଶେଷ କରିବ। ଏହାଦ୍ବାରା ବାଲେଶ୍ବର, ରେମୁଣା ଓ ଖଇରା ବ୍ଲକର ଲକ୍ଷାଧିକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ମିଳିପାରିବ।
ସେହିପରି ଢ଼େଙ୍କାନାଳ ଜିଲାର ୪ଟି ବ୍ଲକର ୩ଲକ୍ଷ ୨୨ହଜାର ୨୦୪ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ୫୦୧.୮୫କୋଟି ଟଙ୍କାର ୪ଟି ପ୍ରକଳ୍ପକୁ କୋହ୍ଲାପୁରସ୍ଥିତ ଏମଏସ ଲକ୍ଷ୍ମୀ ସିଭିଲ ଇଞ୍ଜିନିୟରିଂ ସର୍ଭିସ ପ୍ରା. ଲି.କୁ କାର୍ଯ୍ୟାଦେଶ ଦେବାକୁ ସ୍ଥିର ହୋଇଛି। ଉକ୍ତ ସଂସ୍ଥା ୨ବର୍ଷ ମଧ୍ୟରେ ୪ଟି ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଶେଷ କରିବ। ଏହାଦ୍ବାରା ଢ଼େଙ୍କାନାଳର କାମାକ୍ଷାନଗର, ପରଜଙ୍ଗ, କଙ୍କଡାହାଡ ଓ ସଦର ବ୍ଲକର ଲକ୍ଷାଧିକ ଲୋକ ପାନୀୟଜଳ କ୍ଷେତ୍ରରେ ବିଶେଷ ଉପକୃତ ହୋଇପାରିବେ।
ଶ୍ରୀ ଅମାତ କହିଥିଲେ ଯେ, କେନ୍ଦ୍ରାପଡା ଜିଲାର ୩ଟି ବ୍ଲକରେ ୪ଲକ୍ଷ ୩୫ହଜାର ୧୯୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ୩ଟି ପ୍ରକଳ୍ପକୁ ସରକାର ଅନୁମୋଦନ ଦେଇଛନ୍ତି। କୋହ୍ଲାପୁରସ୍ଥିତ ଲକ୍ଷ୍ମୀ ସିଭିଲ ଇଞ୍ଜିନିୟରିଂ ସଂସ୍ଥା ୪୧୬.୫୭କୋଟି ଟଙ୍କା ବିନିଯୋଗରେ ଏଠାରେ ୩ଟି ପାନୀୟଜଳ ପ୍ରକଳ୍ପ ୨ବର୍ଷ ମଧ୍ୟରେ ନିର୍ମାଣ କରିବ। ଏହାଦ୍ବାରା କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ରାଜନଗର ଓ ଗରଦପୁର ବ୍ଲକର ଲକ୍ଷାଧିକ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ।

Comments are closed.