‘ଷ୍ଟାର ୱାର୍ସ’ ଅଭିନେତା ଆଣ୍ଡ୍ର୍ୟୁ ଜ୍ୟାକ୍‌ କରୋନାରେ ମୃତ

ସିଡ୍‌ନୀ: ଲୋକପ୍ରିୟ ହଲିଉଡ୍‌ ଚଳଚ୍ଚିତ୍ର ‘ଷ୍ଟାର ୱାର୍ସ’ ଅଭିନେତା ଆଣ୍ଡ୍ର୍ୟୁ ଜ୍ୟାକ୍‌ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ତାଙ୍କୁ ୭୬ ବର୍ଷ ହୋଇଥିଲା। ତାଙ୍କ ଏଜେଣ୍ଟ ଜିଲ ମ୍ୟାକ୍‌କଲୋଙ୍କ ପକ୍ଷରୁ ବୁଧବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଆଣ୍ଡ୍ର୍ୟୁ ଏହି ଚଳଚ୍ଚିତ୍ରରେ ଜେନେରାଲ ଏମାଟ୍‌ଙ୍କ ଭୂମିକାରେ ଅଭିନୟ କରିଥିଲେ।

ସେ କରୋନାରେ ଆକ୍ରାନ୍ତ ହେବା ପରେ ବ୍ରିଟେନର ସୁରେସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା। ଆଣ୍ଡ୍ର୍ୟୁ ସ୍ବାଧୀନ ଚିନ୍ତାଧାରାର ବ୍ୟକ୍ତି ଥିଲେ ଏବଂ ସେ ତାଙ୍କ ପତ୍ନୀଙ୍କୁ ବହୁତ ଭଲ ପାଉଥିଲେ। କିନ୍ତୁ ମୃତ୍ୟୁ ବେଳକୁ ସେ ତାଙ୍କ ପତ୍ନୀଙ୍କୁ ଦେଖିପାରି ନ ଥିଲେ। କାରଣ ତାଙ୍କ ପତ୍ନୀ ଅଷ୍ଟ୍ରେଲିଆରେ କ୍ବାରେଣ୍ଟାଇନରେ ରହିଛନ୍ତି। ଷ୍ଟାର ୱାର୍ସ ଅଭିନେତା ଗ୍ରେଗ୍‌ ଗୁନବର୍ଗ କହିଛନ୍ତି ଯେ, ସେ ଆଣ୍ଡ୍ର୍ୟୁଙ୍କ ମୃତ୍ୟୁ ଖବର ଶୁଣି ଅତ୍ୟନ୍ତ ମର୍ମାହତ। ଆଣ୍ଡ୍ର୍ୟୁ ଜଣେ ଚମତ୍କାର, ଦକ୍ଷ ଏବଂ ଭଦ୍ରବ୍ୟକ୍ତି ବୋଲି ସେ ବର୍ଣ୍ଣନା କରିଛନ୍ତି। ଷ୍ଟାର ୱାର୍ସର ଅଷ୍ଟମ ଏପିସୋଡ୍‌- ‘ଦ ଲାଷ୍ଟ ଜେଡି’ରେ ଜେନେରାଲ ଏମାଟ ଭୂମିକାରେ ଅଭିନୟ କରିଥିଲେ। ‘ସୋଲୋ- ଏ ଷ୍ଟାର ୱାର ଷ୍ଟୋରୀ’ ଓ ‘ଷ୍ଟାର ୱାର୍ସ: ଏପିସୋଡ୍‌ ୭- ଦ ଫୋର୍ସ ଆୱେକେନ୍‌ସ’ ମଧ୍ୟରେ ସେ ନଜର ଆସିଥିଲେ।

Comments are closed.