ଇତିହାସ ଅଧ୍ୟାପକ ନିଯୁକ୍ତି ପ୍ରସଙ୍ଗ; ଜଣିକିଆ ଖଣ୍ଡପୀଠଙ୍କ ରାୟ ଉପରେ ସ୍ଥଗିତାଦେଶ

କଟକ: ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ସାନି ପରୀକ୍ଷା କରିବାକୁ ଓଡ଼ିଶା ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଦେଇଥିବା ରାୟ ଉପରେ ଦୁଇ ଜଣିଆ ଖଣ୍ଡପୀଠ ସ୍ଥଗିତାଦେଶ ଜାରି କରିଛନ୍ତି। ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷାରେ ୧୬୫ ପ୍ରଶ୍ନରୁ ମାତ୍ର ୧୧ଟି ପ୍ରଶ୍ନରେ ତ୍ରୁଟି ଥିଲା । ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ମିଳିଥିଲା । ଗ୍ରେସ ମାର୍କ ମିଳିବା ପରେ ବି ଲିଖିତ ପରୀକ୍ଷାରେ ପାସ କରି ନ ଥିବା ପିଲାଙ୍କ ପାଇଁ ଆଉ ଥରେ ଲିଖିତ ପରୀକ୍ଷା କରିବାକୁ ଓଡ଼ିଶା ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ରାୟ ଦେଇଥିଲେ। ଲିଖିତ ପରୀକ୍ଷାରେ ସଫଳ ହୋଇ ସାକ୍ଷାତକାର ପରୀକ୍ଷା ଦେଇ ସାରିଥିବା ଆଶାୟୀମାନେ ଏହି ରାୟ ବିରୋଧରେ ଓଡ଼ିଶା ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠଙ୍କ ଦ୍ୱାରସ୍ଥ ହେବା ପରେ ଜଣିକିଆ ଖଣ୍ଡପୀଠଙ୍କ ରାୟ ଉପରେ ସ୍ଥଗିତାଦେଶ ଲାଗିଛି। ଫଳରେ ସାନି ପରୀକ୍ଷା ନିର୍ଦେଶ ଉପରେ ରହିତାଦେଶ ଦିଆଯାଇଥିବାରୁ ସାକ୍ଷାତକାର ପରୀକ୍ଷା ଦେଇ ସାରିଥିବା ଆଶାୟୀଙ୍କୁ ଆଶ୍ୱସ୍ତି ମିଳିଛି।

ସୂଚନାଯୋଗ୍ୟ, ୨୦୧୮ରେ ଏସଏସବି ପକ୍ଷରୁ ୮୩୩ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥି ମଧ୍ୟରେ ୮୧ଟି ଇତିହାସ ଅଧ୍ୟାପକ ପଦବୀ ରହିଥିଲା । ଏଥିରେ ଲିଖିତ ପରୀକ୍ଷା ମାର୍କ ୧୬୫, କ୍ୟାରିଅର ମାର୍କ ୨୫ ଓ ସାକ୍ଷାତକାର ମାର୍କ ୧୦, ମୋଟରେ ୩ଟି ବର୍ଗରେ ୨୦୦ ଅଙ୍କକୁ ଆଧାର କରି ନିଯୁକ୍ତି ପ୍ରଦାନ କରାଯିବାର ଥିଲା । ୨୦୧୯ ମାର୍ଚ୍ଚ ୧୦ରେ ଏହାର ଲିଖିତ ପରୀକ୍ଷା ହୋଇଥିଲା । ଇତିହାସ ବିଭାଗରେ କିଛି ପ୍ରଶ୍ନପତ୍ର ତ୍ରୁଟି ରହିଥିବା ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗକୁ ଭିତ୍ତି କରି ଏସଏସବି ଇତିହାସ ବିଭାଗର ୪ ଜଣ ବରିଷ୍ଠ ଅଧ୍ୟାପକ ଓ ପ୍ରାଧ୍ୟାପକ (ଡ. ଖାରବେଳ ମହାନ୍ତି, ପ୍ରାଧ୍ୟାପକ ବସନ୍ତ କୁମାର ମଲିକ, ଡ. ହେମନ୍ତ କୁମାର ମହାପାତ୍ର ଏବଂ ଡ. ବିନୋଦିନୀ ଦାସ)ଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲା। ଏହି କମିଟି ଇତିହାସ ବିଭାଗର ଲିଖିତ ପରୀକ୍ଷାର ୧୧ଟି ପ୍ରଶ୍ନ ଓ ବିକଳ୍ପ ଉତ୍ତରରେ ତ୍ରୁଟି ଥିବା ଦର୍ଶାଇଥିଲେ । ବିଶେଷଜ୍ଞ କମିଟିର ରିପୋର୍ଟ ଆଧାରରେ ଇତିହାସ ଅଧ୍ୟାପକ ପରୀକ୍ଷା ଦେଇଥିବା ସମସ୍ତ ଆଶାୟୀଙ୍କୁ ଏସଏସବି ୧୧ ଗ୍ରେସ ମାର୍କ ଦେବା ସହ ସଂଶୋଧିତ ଉତ୍ତର ଆଧାରରେ ମୂଲ୍ୟାୟନ କରିଥିଲା । ଜୁନ ୧୧ରେ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ତେବେ ଲିଖିତ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା କେତେକ ପିଲା ଜୁନ ୨୬ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଇତିହାସ ବିଭାଗର ଚୟନ ପ୍ରକ୍ରିୟା ଜାରି ରଖିବା ସହ ଚୂଡ଼ାନ୍ତ ଫଳ ପ୍ରକାଶ ନ କରିବାକୁ ଅନ୍ତରୀଣ ନିର୍ଦେଶ ଦେଇଥିଲେ । ଫଳରେ ଏସଏସବି ପ୍ରମାଣପତ୍ର ଯାଞ୍ଚ ପରେ କୃତକାର୍ଯ୍ୟ ପିଲାଙ୍କ ସାକ୍ଷାତକାର ପରୀକ୍ଷା କରାଇଥିଲା। ଚୂଡ଼ାନ୍ତ ପରୀକ୍ଷା ଫଳ ବାହାରିବାରେ ବିଳମ୍ବ ହେବାରୁ ସାକ୍ଷାତକାର ପରୀକ୍ଷା ଦେଇଥିବା କେତେକ ପିଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ସାକ୍ଷାତକାର ଦେଇସାରିଥିବା ପିଲାଙ୍କ ଆବେଦନକୁ ଗ୍ରହଣ ନ କରି ସାନି ଲିଖିତ ପରୀକ୍ଷା କରିବାକୁ ନିର୍ଦେଶ ଦେଇଥିଲେ । ଏହାକୁ ନେଇ ସାକ୍ଷାତକାର ପରୀକ୍ଷା ଦେଇ ସାରି ଚୂଡ଼ାନ୍ତ ଫଳକୁ ଅପେକ୍ଷା କରିଥିବା ଆଶାୟୀମାନେ ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ରାୟ ବିରୋଧରେ ସାକ୍ଷାତକାର ଦେଇସାରିଥିବା ପିଲାମାନେ ଦୁଇ ଜଣିଆ ଖଣ୍ଡପୀଠଙ୍କ ନିକଟରେ ଆବେଦନ କରିଥିଲେ। ୨ ଜଣିଆ ଖଣ୍ଡପୀଠ ଜଣିକିଆ ଖଣ୍ଡପୀଠଙ୍କ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି। ସାକ୍ଷାତକାର ପରୀକ୍ଷା ଦେଇଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ସ୍ନାତକୋତରରେ ୨୦୧୬ରେ ସ୍ୱର୍ଣ୍ଣ ପଦକ ବିଜେତା ରଜତ କାନ୍ତ ଦାଶଙ୍କ କହିବା ଅନୁସାରେ, କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଲିଖିତ ପରୀକ୍ଷାର ଫେଲ ପିଲାମାନେ ୨୭, ୩୫, ୪୯ ଭଳି ମାର୍କ ରଖିଛନ୍ତି । ଏହା କଟଅଫ ମାର୍କଠାରୁ ବହୁତ କମ ଓ ତାହା କୋର୍ଟରେ ଦାଖଲ ଦସ୍ତାବେଜରୁ ଜଣାପଡୁଛି । ୧୧ ମାର୍କ ଗ୍ରେସ ପାଇବା ପରେ କୃତକାର୍ଯ୍ୟ ହୋଇପାରି ନ ଥିବା ପିଲାଙ୍କ ପାଇଁ କାହିଁକି ସାନି ପରୀକ୍ଷା ହେବ, ସେନେଇ କୋର୍ଟ କିଛି କହିନାହାନ୍ତି । ବିଶେଷଜ୍ଞ କମିଟିର ରିପୋର୍ଟକୁ ଗ୍ରହଣ କରାଗଲେ ସାନି ପରୀକ୍ଷାର ପ୍ରଶ୍ନ ଉଠୁନାହିଁ । ଏହି ରାୟ ବିରୋଧରେ ଆମେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବୁ ଓ ନ୍ୟାୟ ପାଇଁ ଲଢିବୁ ବୋଲି ରଜତ କହିଛନ୍ତି।

Comments are closed.