ଓଡିଆ ଜାତିର ସବୁଠାରୁ ବଡ ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ:ମୁଖ୍ୟମନ୍ତ୍ରୀ

ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପରେ ସଂକଳ୍ପ ପ୍ରସ୍ତାବ ଆଣିଥିଲେ, ଯାହା ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାକୁ ଭର୍ଚୁଆଲ ମୋଡ୍‌ରେ ବିବୃତି ଦେଲେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା ଯୋଜନା ବେଳେ ୩ଟି ବିଷୟକୁ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟତଃ ଶ୍ରୀମନ୍ଦିର ନିରାପତ୍ତା, ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଭକ୍ତଙ୍କ ପାଇଁ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶକୁ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ ହୋଇଛି। ବାଚନିକ ଭୋଟରେ ସଂକଳ୍ପ ପାରିତ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଘୋଷଣା କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ଯୋଜନା ସଂକଳ୍ପ ପ୍ରସ୍ତାବ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶ୍ରୀମନ୍ଦିରର ନିରାପତ୍ତା, ଭକ୍ତଙ୍କ ନିରାପତ୍ତା, ଭକ୍ତଙ୍କ ପାଇଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ଏହି ଯୋଜନାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ଯୋଜନା ପ୍ରସ୍ତୁତି ଲାଗି ଗଜପତି ମହାରାଜା ଦିବ୍ୟସିଂହ ଦେବ, ପଦ୍ମଭୂଷଣ ରଘୁନାଥ ମହାପାତ୍ର ଓ ଗବେଷକ ଡ.ସୁବାସ ପାଣିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାଛଡ଼ା ସେ ଏହି ଯୋଜନା କାର୍ଯ୍ୟକାରୀ ହେବାରେ ସହଯୋଗ କରୁଥିବାରୁ ଶ୍ରୀମନ୍ଦିରର ସେବାୟତ ଓ ପୁରୀ ଜନସାଧାରଣ ସମେତ ସମଗ୍ର ଓଡ଼ିଶାର ସାଢ଼େ ଚାରିକୋଟି ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି।


ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପ୍ରସ୍ତାବ ଆଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଆ ଜାତିର ସବୁଠାରୁ ବଡ ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ। ଆମ ଇତିହାସ, ସଂସ୍କୃତି, ପରମ୍ପରା ଓ ଆମ ବିଶ୍ୱାସ ସବୁ କିଛି ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢି ଉଠିଛି। ସେ ହେଉଛନ୍ତି ଓଡିଆ ଅସ୍ମିତାର ପ୍ରତୀକ। ଆମର ସୌଭାଗ୍ୟ ଯେ ଆମ ସମୟରେ ହିଁ ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ସେ ଆମକୁ ସୁଯୋଗ ଦେଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବାସବୁ ଭକ୍ତ/ ତଥାଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା ଥାଏ ଯେ ସେମାନେ କିପରି ଏକ ଶାନ୍ତ, ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଜଗନ୍ନାଥ ମନ୍ଦିରକୁ ଜୀବନକାଳ ମଧ୍ୟରେ ଥରୁଟିଏ ଆସିବା ଏବଂ ମହାପଭୁଙ୍କ ଟିକିଏ ଝଲକ ପାଇବା ହେଉଛି ଲକ୍ଷ ଲକ୍ଷ ଭକ୍ତଙ୍କର ଜୀବନର ଏକମାତ୍ର ପ୍ରାର୍ଥନା। ସବୁ ଭକ୍ତ ଯେଭଳି ଏକ ଦିବ୍ୟ ଅନୁଭବ ନେଇ ଫେରିବେ ତାହା ଆମ ସମସ୍ତଙ୍କର ଦାୟୀତ୍ୱ ।
ଏହି ପରିପ୍ରେକ୍ଷୀରେ ଯେତେବେଳେ ଜଷ୍ଟିସ୍ ବି.ପି.ଦାସ କମିଟି ଶ୍ରୀମନ୍ଦିର ନିରାପତ୍ତା କରିଡର ପାଇଁ ସୁପାରିଶ କଲେ, ସେତେବେଳେ ତିନୋଟି ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ଯୋଜନା ବିଷୟ ଚିନ୍ତା କରାଯାଇଥିଲା । ସେଗୁଡିକ ହେଲା : ୧) ଶ୍ରୀମନ୍ଦିରର ନିରାପତ୍ତା, ୨) ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭଙ୍କ୍ତମାନଙ୍କର ନିରାପତ୍ତା ଓ ୩) ଭକ୍ତମାନଙ୍କ ପାଇଁ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି।

ଗଜପତି ମହାରାଜାଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ବହୁବାରଆଲୋଚନା ପରେ ଶ୍ରୀମନ୍ଦିର ପରିକ୍ରମା/ ଶ୍ରୀମନ୍ଦିର ପରିକ୍ରମା ଯୋଜନା ପ୍ରସ୍ତୁତ କରିଛି। ଏହି ମହାନ କାର୍ଯ୍ୟ ପାଇଁ ମୁଁ ଗଜପତି ମହାରାଜାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ସେହିପରି ଏହି ଯୋଜନାକୁ ଆଗେଇ ନେବା ପାଇଁ ଆମର ସେବାୟତ ବନ୍ଧୁ ତଥା ପୁରୀର ଜନସାଧାରଣଙ୍କୁ ସେମାନଙ୍କ ସହଯୋଗ ପାଇଁ ମୁଁ ଧନ୍ୟବାଦ ଜଣାଉଛି । ମୁଁ ଧନ୍ୟବାଦ ଜଣାଇବାକୁ ଚାହେଁ ପଦ୍ମବିଭୁଷଣ ଶ୍ରୀ ରଘୁନାଥ ମହାପାତ୍ରଙ୍କୁ, ଡ. ସୁବାସ ପାଣିଙ୍କୁ ଏବଂ ଆହୁରି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଯେଉଁମାନେ କି ଏହି ମହାନ କାର୍ଯ୍ୟରେ ସେମାନଙ୍କର ଅବଦାନ ରଖି ଆମକୁ ଉତ୍ସାହିତ କରିଛନ୍ତି । ଯେହେତୁ ସମସ୍ତଙ୍କ ନାଁ ନେବା ଏଠାରେ ସମ୍ଭବ ହେଉନାହିଁ, ତେଣୁ ଏହି ଯୋଜନା ପ୍ରସ୍ତୁତିରେ ସହାୟତା କରିଥିବା ପ୍ରତ୍ୟେକଙ୍କୁ ମୁଁ ଧନ୍ୟବାଦ ଜଣାଉଛି।
ସାଧାରଣଭାବେ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଥାନ୍ତି।ମୁଁ ଦୃଢ ବିଶ୍ୱାସ କରେ ଯେ ଏହି ଯୋଜନା କେବଳ ସରକାରଙ୍କର ନୁହେଁ, ଶ୍ରୀମନ୍ଦିର ପ୍ରଶାସନର ମଧ୍ୟ ନ୍ୁ୍ହେଁ। ଏ ଯୋଜନା ହେଉଛି ସାଢେ ଚାରିକୋଟି ଓଡିଶାବାସୀଙ୍କର ନିଜ ଯୋଜନା ଏବଂ ଏହି ପବିତ୍ର ଗୃହ ସାଢେ ଚାରିକୋଟି ଓଡିଆଙ୍କର ପ୍ରତିନିଧିତ୍ୱ କରୁଛି। ତେଣୁ ଆପଣମାନଙ୍କ ଜରିଆରେ ଓଡିଶାର ଜନସାଧାରଣଙ୍କ ନିକଟରେ ଶ୍ରୀମନ୍ଦିର କରିଡର ଯୋଜନା ଉପସ୍ଥାପନ କରି ମୁଁ ନିଜକୁ ଧନ୍ୟ ମନେକରୁଛି। ଏହା ହେଉଛି ଓଡିଆ ଜାତି ପାଇଁ ତଥା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ମୂହୁର୍ତ୍ତ। ଏଭଳି ସୁଯୋଗ ବହୁତ କମ୍‌ ଆସେ। ପୁରୁଷ ପୁରୁଷ ପରେ, ବହୁ ଯୁଗ ପରେ ଏଭଳି ମୂହୁର୍ତ୍ତ ଆସେ। ଆମେ ସମସ୍ତେ, ସାରା ଓଡିଶାବାସୀ ମିଳିତ ଭାବରେ ଆଜି ଏହି ଅନନ୍ୟ ମୂହୁର୍ତ୍ତର ଅଂଶ ପାଲଟି ଯାଇଛେ।


ଶ୍ରୀମନ୍ଦିର ହେଉଛି ଆମର ଅଧ୍ୟାତ୍ମିକ ଐତିହ୍ୟର କେନ୍ଦ୍ର ଯାହାକି ପୁରୁଷ ପୁରୁଷ ଧରି ଉତ୍ତରାଧିକାରୀ ସୂତ୍ରରେ ଆମେ ପାଇଛେ । ଏହି ଅମୂଲ୍ୟ ସମ୍ପଦକୁ ଆମେ ଉତ୍ତରାଧିକାରୀ ସୂତ୍ରରେ ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସାଇତି ରଖିଛୁ। ଏହି ସ୍ପିରିଟ୍‌ ନେଇ ଆମକୁ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ଦେଖିବାକୁ ହେବ ଏବଂ ମିଳିତ ଭାବରେ କାମ କରି ତାକୁ ସାକାର କରିବାକୁ ହେବ। ଏହି ପରିପ୍ରେକ୍ଷୀରେ ମୁଁ ତିନୋଟି ପ୍ରସ୍ତାବ ଆପଣମାନଙ୍କ ବିଚାର ପାଇଁ ରଖୁଛି : ୧) ମହାପ୍ରଭୁଙ୍କର ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସଂପୂର୍ଣ୍ଣ କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେଇ କାମ କରିବା ଏବଂ କାମ ଶିଘ୍ର ଶେଷ କରିବା ପାଇଁ ନିଷ୍ଠାର ସହିତ ଉଦ୍ଦ୍ୟମ କରିବା; ୨) ପ୍ରତ୍ୟେକ ଓଡିଆ, ପ୍ରତି ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା, ମହାପ୍ରଭୁଙ୍କର ଏହି କାର୍ଯ୍ୟରେ ସାମିଲ ହେବା ତଥା ଏଥିରେ ନିଜର କିଛି ଅବଦାନ ରଖିବା । ଏଥିପାଇଁ ଆମେ ସମସ୍ତଙ୍କୁ ସୁଯୋଗ ଦେବା ଏବଂ ୩) ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା।
ଓଡିଆ ସ୍ୱାଭିମାନ ପାଇଁ ଯେଉଁ ମହାପ୍ରଭୁ ଦିନେ କାଞ୍ଚି ଅଭିଯାନରେ ବାହାରି ଥିଲେ, ଭକ୍ତର ମାନ ରକ୍ଷା ପାଇଁ ଯେଉଁ ମହାପ୍ରଭୁ ନନ୍ଦିଘୋଷ ଛାଡି ବାଲି ରଥରେ ବିଜେ କରିଥିଲେ, ସେ କାଳିଆ ଠାକୁର ଜଗନ୍ନାଥଙ୍କ ସେବାରେ, ତାଙ୍କ ଧାମର ବିକାଶରେ ଆମେ ଯଦି କିଛି ବି ଅବଦାନ ରଖିପାରିବା, ତେବେ ଜଣେ ଓଡିଆ ଭାବରେ ଏହା ହେବ ଆମର ଶ୍ରେଷ୍ଠ ସୌଭାଗ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଥିଲେ।


ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ରଙ୍କ ସମେତ ଶ୍ରୀମନ୍ଦିର ସହିତ ଜଡ଼ିତ ସେବାୟତ ଓ ପୁରୀବାସୀ ଏହାକୁ ବିପୁଳ ସମର୍ଥନ କରିଛନ୍ତି। ବିଧାନଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାରିତ ହେବା ପରେ ପୁରୀ ଜିଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ଶ୍ରୀମନ୍ଦିରକୁ ବିଶ୍ବସ୍ତରୀୟ କରାଯିବା ନେଇ ସରକାର ପଦକ୍ଷେପ ନେଇଛନ୍ତି। ଜୁନ୍‌ ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଶ୍ରୀମନ୍ଦିରର ସଂରକ୍ଷଣ ଓ ସୁରକ୍ଷା ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ଏବଂ ଐତିହ୍ୟ ସଂରକ୍ଷଣ ସଂସ୍ଥା ସହିତ ସରକାରୀସ୍ତରରେ ଆଲୋଚନା କରାଯିବ। ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି ଏବଂ ଖୁବ୍‌ ଶୀଘ୍ର ଏହା ଶେଷ ହେବ। ଶ୍ରୀମନ୍ଦିର ବିକାଶ ପାଇଁ ସମସ୍ତେ ଜମି ସ୍ବଇଚ୍ଛାରେ ପ୍ରଦାନ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ସରକାରୀ ନିୟମାନୁସାରେ ଏ ସଂକ୍ରାନ୍ତରେ ପଦକ୍ଷେପ ନିଆଯାଉଛି।

Comments are closed.