ଶ୍ରୀମନ୍ଦିର ପରିଚାଳନା ପାଇଁ ୧୯୦ କୋଟି ଟଙ୍କାର ବଜେଟ ମଂଜୁର

ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚଳିତ ବର୍ଷର ୧୯୦ କୋଟି ଟଙ୍କାର ବଳକା ବଜେଟ୍‍ ଗୃହୀତ ହୋଇଛି। ଏହି ବଜେଟକୁ ରାଜ୍ୟ ସରକାରଙ୍କ ଆଇନ ବିଭାଗକୁ ପଠାଯିବ। ଚଳିତବର୍ଷ ମହାପ୍ରଭୁଙ୍କ ଖଣି ଲିଜରୁ ଅଧିକ ଆୟ ହୋଇଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କ ପାଇଁ ଡ୍ରେସ କୋର୍ଡ଼ ନିଷ୍ପତିରେ ମୋହର ବାଜିଥିଲା। ପୁରୀ ସହର ଜମିଜମା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହ ଏକ ବୈଠକରେ ଆଲୋଚନା ହୋଇଛି। ଏହି ସମସ୍ୟାର ସମାଧାନ ଖୁବ୍‍ ଶୀଘ୍ର ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ. କ୍ରିଷନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କୋଭିଡ଼ କଟକଣା ଯୋଗୁଁ ବଜେଟ୍‍ ପାରିତ ହେବାରେ ବିଳମ୍ବ ଘଟିଥିଲା।

ଆଜି ୧୯୦.୨୬ କୋଟି ଟଙ୍କାର ବଳକା ବଜେଟ୍‍ ପରିଚାଳନା କମିଟିରେ ଗୃହୀତ ହୋଇଥିଲା। ଖଣି ଲିଜରୁ ୧୫ କୋଟି, ଜମା ସୁଧରୁ ୩୭ କୋଟି, ହୁଣ୍ଡିରୁ ୬ କୋଟି ଓ ରାଜ୍ୟ ସରକାର ୪୨ କୋଟି ଟଙ୍କା ସହାୟତା ଦେଇଥିବା ବଜେଟ୍‍ ରେ ଉଲ୍ଲେଖ ରହିଛି। ରଥଯାତ୍ରାରେ ୧୨ କୋଟି ୭୨ ଲକ୍ଷ ଟଙ୍କା, ପାଳିଆ ପୁରସ୍କାରରେ ୧୫ କୋଟି ଟଙ୍କା, ଉନ୍ନୟନ କାମରେ ୨୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କୋଣାର୍କ ମନ୍ଦିରର ମୁଖ୍ୟ ଦ୍ୱାରରେ ରୂପା ଛାଉଣି କରାଯିବ ବୋଲି ପ୍ରଶାସକ କହିଛନ୍ତି।

Comments are closed.