ଅବସର ପ୍ରତ୍ୟାହାର କଲେ ରାଜପକ୍ଷ

କଲମ୍ବୋ: ଚଳିତ ମାସ ୩ରେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ ଶ୍ରୀଲଙ୍କାର ବ୍ୟାଟ୍‌ସମ୍ୟାନ୍ ଭାନୁକା ରାଜପକ୍ଷ। ହେଲେ ଗୁରୁବାର ରାଜପକ୍ଷ ଓଲଟା ମୋଡ଼ ନେଇଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେବାର ନିଷ୍ପତ୍ତିରୁ ଓହରିଯିବା ସହ ରାଜପକ୍ଷ କହିଛନ୍ତି ଯେ ଶ୍ରୀଲଙ୍କା ଦଳ ପାଇଁ ସେ ଖେଳିବା ଜାରିରଖିବେ। ସମସ୍ତ ପ୍ରକାର କ୍ରିକେଟ୍‌ରେ ଶ୍ରୀଲଙ୍କା ଦଳ ପାଇଁ ଖେଳିବା ଲାଗି ସେ ପ୍ରସ୍ତୁତ ଅଛନ୍ତି ବୋଲି ରାଜପକ୍ଷ କହିଛନ୍ତି। ଫଳରେ ୧୦ ଦିନ ତଳେ ଆକ୍ରମଣାତ୍ମକ ଉପର ଅର୍ଡରର ବାମହାତି ବ୍ୟାଟ୍‌ସମ୍ୟାନ୍‌ ଭାନୁକା ରାଜପକ୍ଷଙ୍କ କ୍ରିକେଟ୍‌ ଜୀବନ ନେଇ ଆଲୋଚନା ଚାଲିଥିଲା; ତା’ର ଅନ୍ତଃ ଘଟିଛି।

୧୦ ଦିନ ତଳେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା ବେଳେ ରାଜପକ୍ଷ କହିଥିଲେ ଯେ ନିକଟରେ ସେ ପିତା ହେବାକୁ ଯାଉଛନ୍ତି। ଏହାସହ ସେ ପରିବାର ସହ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି। ତେଣୁ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିବା ତାଙ୍କ ପାଇଁ ସମ୍ଭବପର ନୁହେଁ। ୨୦୧୯ରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ଭାନୁକା ରାଜପକ୍ଷ ଅଦ୍ୟାବଧି ମାତ୍ର ୫ଟି ଦିନିକିଆ ଓ ୧୮ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଗୁରୁବାର ରାଜପକ୍ଷ ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ନମଲ ରାଜପକ୍ଷଙ୍କୁ ଭେଟିଥିଲେ। ମନ୍ତ୍ରୀ ଏବଂ ପରେ ଜାତୀୟ ମନୋନୟନକାରୀଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଭାନୁକା ରାଜପକ୍ଷ କହିଛନ୍ତି। ପରେ ସେ ଶ୍ରୀଲଙ୍କା କ୍ରିକେଟ୍‌କୁ ଏକ ପତ୍ର ଲେଖି ଅବସର ପ୍ରତ୍ୟାହାର ଲାଗି ଅନୁମତି ଦେବାକୁ ଅନୁରୋଧ କରିଥିଲେ। ୨୦୧୦ରେ ୧୯ ବର୍ଷରୁ କମ୍ କ୍ରିକେଟ୍‌ ବିଶ୍ବକପ୍‌ରେ ଶ୍ରୀଲଙ୍କା ପାଇଁ ସର୍ବାଧିକ ରନ୍‌ କରିଥିବା ରାଜପକ୍ଷ ଘରୋଇ କ୍ରିକେଟ୍‌ରେ ଜଣେ ସଫଳ ବ୍ୟାଟ୍‌ସମ୍ୟାନ୍‌। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସେ ୪୦୦୦ ଓ ଲିଷ୍ଟ-ଏ କ୍ରିକେଟ୍‌ରେ ୨୮୦୦ରୁ ଅଧିକ ରନ୍‌ କରିଛନ୍ତି। ହେଲେ ରାଜପକ୍ଷଙ୍କ ବିଶୃଙ୍ଖଳ ଆଚରଣ ଯୋଗୁଁ ସେ ଚର୍ଚ୍ଚାରେ ଥିଲେ। ଫିଟ୍‌ନେସ ପରୀକ୍ଷାରେ ବିଫଳ ହେବା ପରେ ସେ ଶ୍ରୀଲଙ୍କା କ୍ରିକେଟ୍‌କୁ ସମାଲୋଚନା କରିଥିବା ବେଳେ ମୁଖ୍ୟ ପ୍ରଶିକ୍ଷକ ମିକି ଆର୍ଥରଙ୍କ ସହ ତାଙ୍କର ତିକ୍ତ ସମ୍ପର୍କ ଥିଲା।

Comments are closed.