ତାଲାବନ୍ଦ କୋହଳ ଗୁଜବ, ଖଣ୍ଡନ କଲେ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ

ଭୁବନେଶ୍ବର: କେତେକ ଗଣମାଧ୍ୟମ ଜନସାଧାରଣଙ୍କ ନିକଟରେ ଖୁବ୍ଶୀଘ୍ର ତଥ୍ୟ ପହଞ୍ଚାଇବା ଲାଗି ଏବେ ସାମାଜିକ ଗଣମାଧ୍ୟମକୁ ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି। ଆସନ୍ତା ତାଲାବନ୍ଦରେ କ’ଣ ଖୋଲା ରହିବ ଏନେଇ ଏକ ଭ୍ରମାତ୍ମକ ଖବର ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ଏହାକୁ ଖଣ୍ଡନ କରିଛନ୍ତି ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ।

ଆସନ୍ତା ୧୭ ତାରିଖରେ ପରିସ୍ଥିତି ଅନୁଧ୍ୟାନ କରି ରାଜ୍ୟ ସରକାର ତାଲାବନ୍ଦରେ କାହାକୁ କଟକଣା ମୁକ୍ତ କରାଯିବ ସେନେଇ ନିଷ୍ପତ୍ତି ନେବେ। ଏପର୍ଯ୍ୟନ୍ତ ସେ ସମ୍ପର୍କରେ କିଛି ବି ନିଷ୍ପତ୍ତି ହୋଇ ନ ଥିବା ବେଳେ କେତେକ ଗଣମାଧ୍ୟମ ଜନସାଧାରଣଙ୍କୁ ବିଭ୍ରାନ୍ତି କରିବା ଲାଗି କିଛି ତଥ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସ୍ବତନ୍ତ୍ର ରିଲିଫ ଆୟୁକ୍ତ ପ୍ରଦୀପ ଜେନା ଅବଗତ ହେବା ପରେ ଏହା ଏକ ବିଭ୍ରାନ୍ତିକର ତଥ୍ୟ ବୋଲି ସାମାଜିକ ଗଣମାଧ୍ୟମ ଟୁଇଟରରେ ସ୍ପଷ୍ଟ କରିଛନ୍ତି। ସେହିପରି ଏଭଳି ଭ୍ରମାତ୍ମକ ତଥ୍ୟ ପ୍ରସାରଣକୁ ତୁରନ୍ତ ପ୍ରତ୍ୟାହାର ଲାଗି ଗଣମାଧ୍ୟମକୁ ନିବେଦନ କରିବା ସହିତ ଜନସାଧାରଣଙ୍କୁ ଅଯଥାରେ ଦ୍ବନ୍ଦ୍ବରେ ପକାଉଥିବା ଭୁଲ୍ ଖବର ପ୍ରସାରଣର ଅନୁସନ୍ଧାନ ଲାଗି ପୁଲିସ ମହାନିର୍ଦେଶକଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ଏହି ଘଟଣା ସମ୍ପର୍କରେ ସେ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଥିବା ଜଣାପଡ଼ିଛି।

Comments are closed.