ତୃଣମୂଳସ୍ତରରୁ ଦଳକୁ ସଙ୍ଗଠିତ କରିବା ସପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ

ଭୁବନେଶ୍ବର: ତୃଣମୂଳସ୍ତରରୁ ସଙ୍ଗଠିତ କରାଯାଇ ପାରିଲେ କଂଗ୍ରେସ ପୁନର୍ବାର ନିଜର ସ୍ଥିତିକୁ ଫେରି ଆସି ପାରିବ ଏବଂ ବିପୁଳ ବହୁମତ ସହ କ୍ଷମତାକୁ ଫେରି ପାରିବ ବୋଲି ମତ ଦେଇଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଜଗନ୍ନାଥ ପଟ୍ଟନାୟକ । ଏକଦା ଦଳ ପକ୍ଷରୁ ରାଜସ୍ଥାନରେ ପର୍ଯ୍ୟବେକ୍ଷକ ଥିବା ଶ୍ରୀ ପଟ୍ଟନାୟକ ସେହି ରାଜ୍ୟରେ ସମ୍ପ୍ରତି ସୃଷ୍ଟି ହୋଇଥିବା ସମସ୍ୟା ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ଆଲୋଚନା କରିବା ସହ ଦଳରେ ସାଙ୍ଗଠନିକ ଶୃଙ୍ଖଳାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ରାଜସ୍ଥାନରେ କଂଗ୍ରେସ ସରକାର ପ୍ରତି କୌଣସି ବିପଦ ନାହିଁ ବୋଲି ଉଲ୍ଲେଖ କରି ଦଳରେ ଥିବା ମତାନ୍ତର ଓ ମନାନ୍ତରକୁ ନିଜ ପରିସର ମଧ୍ୟରେ ଆପୋଷ ସମାଧାନ କରାଯିବାର ଆବଶ୍ୟକତା ଥିବା କହିଛନ୍ତି ।

ଓଡ଼ିଶାରେ କଂଗ୍ରେସର ଭବିଷ୍ୟତ ନେଇ ଏହି ବରିଷ୍ଠ ନେତା ମଧ୍ୟ ବେଶ ଆଶାବାଦୀ । ପ୍ରତ୍ୟେକ ରାଜନୈତିକ ଦଳରେ କିଛି ନା କିଛି ଆଭ୍ୟନ୍ତରୀଣ ସମସ୍ୟା ରହିଛି ଏବଂ କଂଗ୍ରେସ ଏଥିରୁ ବାଦ ପଡ଼ିନାହିଁ । ମାତ୍ର କୌଣସି ବ୍ୟକ୍ତି ଦଳୀୟ ଶୃଙ୍ଖଳା ଓ ଅନୁଶାସନଠାରୁ ଉର୍ଧ୍ବରେ ନୁହନ୍ତି । ତୃଣମୂଳସ୍ତରରୁ ଦଳକୁ ସୁସଙ୍ଗଠିତ କରିବା ସହ ଐକ୍ୟ ସ୍ଥାପନ ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ବାରୋପ କରିଛନ୍ତି । ଦଳରେ ବହୁ ଅଭିଜ୍ଞ ନେତା ଅଛନ୍ତି, ଦକ୍ଷ ଯୁବ ନେତୃତ୍ବ ରହିଛନ୍ତି । ଏହି ଦୁଇ ପିଢ଼ି ମଧ୍ୟରେ ଉପଯୁକ୍ତ ସମନ୍ବୟ ଆଣିପାରିଲେ କଂଗ୍ରେସ ପୁଣି ଅପରାଜେୟ ହୋଇ ଉଭା ହେବ । ରାଜ୍ୟରେ ବେକାରୀ ସମସ୍ୟା, କୃଷକଙ୍କ ସମସ୍ୟା ଅତ୍ୟନ୍ତ ତୀବ୍ର । ଛାତ୍ର, ଯୁବ, ମହିଳା କଂଗ୍ରେସ ସହ ସେବାଦଳକୁ ସକ୍ରିୟ କରାଯାଇ ଏହାକୁ ଲୋକଲୋଚନକୁ ଅଣାଯିବାର ଆବଶ୍ୟକତା ଅଛି । ସେହିପରି ମହିଳା, ସଂଖ୍ୟାଲଘୁ ଓ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ଆସ୍ଥାଭାଜନ ହେବା ନିମନ୍ତେ କଂଗ୍ରେସକୁ ପୁଣିଥରେ କଠୋର ଅଧ୍ୟବସାୟ କରିବାକୁ ପଡ଼ିବ ଏବଂ ଏହା ହେଲେ ଦଳ ପୁଣି ଶକ୍ତିଶାଳୀ ହୋଇ ପାରିବ ।

ଅତ୍ୟନ୍ତ କଠୋର ଓ ନିଷ୍ଠୁର ଭାବରେ ଗତ ସାଧାରଣ ଓ ବିଧାନସଭା ନିର୍ବାଚନ ପରାଜୟର ସମୀକ୍ଷା କରାଯିବା ସହ ଦଳରେ ରହିଥିବା ତୃଟିବିଚ୍ୟୁତିକୁ ସୁଧାରିବାର ଆବଶ୍ୟକତା ରହିଛି । ଦଳଠାରୁ କେହି ଉପରେ ନୁହନ୍ତି, ତେଣୁ ଦଳ ପାଇଁ ନିଜନିଜ ମଧ୍ୟରେ ରହିଥିବା ମତଭେଦ ଦୂର କରିବା ଏବଂ ଛାମୁଆ ସଙ୍ଗଠନକୁ ସୁଦୃଢ଼ କରି ଲୋକଙ୍କ ଆସ୍ଥାଭାଜନ ପାଇଁ ପ୍ରଚେଷ୍ଟା କରିବା ଉପରେ ଏହି ବରିଷ୍ଠ ନେତା ମତ ଦେଇଛନ୍ତି ।

Comments are closed.