ଦକ୍ଷିଣ କୋରିଆକୁ ୩-୨ରେ ହରାଇଲା ଘାନା

ଅଲ୍ ରାୟାନ୍: ଚଳିତ ଫିଫା ଫୁଟ୍ବଲ ବିଶ୍ବକପ୍ରେ ସୋମବାର ପ୍ରଥମ ମ୍ୟାଚ୍ ପରି ୨ୟ ମ୍ୟାଚ୍ରେ ମଧ୍ୟ ରୋଚକ ମୁକାବିଲା ଦେଖିବାକୁ ମିଳିଛି। ଗ୍ରୁପ୍ ‘ଏଚ୍’ ମ୍ୟାଚ୍ରେ ଦକ୍ଷିଣ କୋରିଆକୁ ୩-୨ ଗୋଲ୍ରେ ଘାନା ପରାସ୍ତ କରିଛି। ମ୍ୟାଚ୍ରେ ଉଭୟ ଦଳଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା। ପ୍ରଥମାର୍ଦ୍ଧରେ ଆଫ୍ରିକୀୟ ଦେଶ ଘାନା ୨ଟି ଗୋଲ୍ଦେଇ ଆଗୁଆ ହୋଇ ଯାଇଥିଲା। ହେଲେ ଏସୀୟ ଦେଶ ଦକ୍ଷିଣ କୋରିଆ ଦ୍ବିତୀୟାର୍ଦ୍ଧରେ ୩ ମିନିଟ ମଧ୍ୟରେ ଉଭୟ ଗୋଲ୍ ସୁଝାଇ ଦେଇଥିଲା। ହେଲେ ଏହାର ୭ ମିନିଟ ପରେ ଘାନା ପାଇଁ କ୍ୟୁଡୁସ୍ ମହମ୍ମଦ ଦଳ ପାଇଁ ୩ୟ ତଥା ବିଜୟସୂଚକ ଗୋଲ୍ ଦେଇଥିଲେ। ପ୍ରଥମ ମ୍ୟାଚ୍ରେ ପର୍ତ୍ତୁଗାଲ୍ଠାରୁ ପରାସ୍ତ ହୋଇଥିବା ଘାନା ଏହି ବିଜୟ ସହ ୩ ପଏଣ୍ଟ ପାଇ ଖାତା ଖୋଲିଛି ଏବଂ ପ୍ରିକ୍ବାର୍ଟରଫାଇନାଲ ଖେଳିବା ଦୌଡ଼ରେ ରହିଛି। ଅନ୍ୟପକ୍ଷରେ ଉରୁଗୁଏ ସହ ପ୍ରଥମ ମ୍ୟାଚ୍ ଡ୍ର ରଖିଥିବା ଦକ୍ଷିଣ କୋରିଆ ଏହି ପରାଜୟ ପରେ ୧ ପଏଣ୍ଟରେ ରହି ସଙ୍କଟରେ ପଡ଼ିଯାଇଛି। ଘାନା ଶେଷମ୍ୟାଚ୍ରେ ଉରୁଗୁଏକୁ ଏବଂ ଦକ୍ଷିଣ କୋରିଆ ଦଳ ପର୍ତ୍ତୁଗାଲ୍ ବିପକ୍ଷରେ ଅନ୍ତିମ ଲିଗ୍ ମ୍ୟାଚ୍ ୨ରେ ଖେଳିବେ।
ଦକ୍ଷିଣ କୋରିଆ ଆରମ୍ଭରୁ ଆକ୍ରମଣାତ୍ମକ ଫୁଟ୍ବଲ ଖେଳିଥିଲା। ୪ର୍ଥ ମିନିଟ୍ରେ ଦକ୍ଷିଣ କୋରିଆ ଗୋଲ୍ଦେବା ସ୍ଥିତିରେ ଥିବା ବେଳେ ଡାନିଏଲ୍ ଆମାର୍ଟି ଏହାକୁ ପଣ୍ଡ କରି ଦେଇଥିଲେ। ମ୍ୟାଚ୍ର ପ୍ରଥମ ୧୬ ମିନିଟରେ କୋରିଆ ୭ଟି କର୍ଣ୍ଣର ପାଇଥିଲେ ହେଁ ଗୋଟିଏ ମଧ୍ୟ ଫଳପ୍ରଦ ହୋଇନଥିଲା। ପ୍ରଥମ ୨୦ ମିନିଟେର କୋରିଆ ପ୍ରାଧାନ୍ୟ ବିସ୍ତାର କରିଥିଲା। ୨୪ ମିନିଟରେ ଘାନା ପ୍ରଥମ ଗୋଲ୍ ଦେଇଥିଲା। ଜୋର୍ଡାନ୍ ଅୟିଉ ଦେଇଥିବା ପାସ୍ରୁ ମହମ୍ମଦ ସାଲିସୁ ଗୋଲ୍ ଦେଇଥିଲେ। ଏହି ଗୋଲ୍ ଘାନା ଦଳର ମନୋବଳ ବୃଦ୍ଧି କରିଥିଲା। ୩୪ ମିନିଟରେ ଘାନା ୨ୟ ଗୋଲ୍ ଦେଇଥିଲା। ପୁଣିଥରେ ଜୋର୍ଡାନ୍ ଅୟିଉ ଏକ ଚମତ୍କାର ପାସ୍ ଦେଇଥିଲେ; ଯେଉଁଥିରୁ କ୍ୟୁଡୁସ୍ ମହମ୍ମଦ ହେଡ୍କରି ବଲ୍କୁ ନେଟ୍ ମଧ୍ୟକୁ ପଠାଇ ଦେଇଥିଲେ।
ଏହାପରେ ଦକ୍ଷିଣ କୋରିଆ ମ୍ୟାଚ୍ର ଗତି ବଢ଼ାଇଥିଲା ଏବଂ ଅଧିକ ଆକ୍ରମଣ କରିଥିଲେ ହେଁ ସଫଳ ହୋଇନଥିଲା। ପ୍ରଥମାର୍ଦ୍ଧରେ ଘାନା ୨-୦ ଗୋଲ୍ରେ ଆଗୁଆ ଥିଲା। ୫୦ ମିନିଟରେ ଘାନାର ତାରିକ୍ ଲାମ୍ପ୍ଟି ସଟ୍ ମାରିଥିଲେ ହେଁ ବଲ୍ ଗୋଲ୍କୋଷ୍ଟ ବାହାରେ ଚାଲି ଯାଇଥିଲା। ୫୩ ମିନିଟରେ କୋରିଆର ଚୋ ଜ୍ୟୁସଙ୍ଗ୍ଙ୍କ ହେଡରକୁ ଚମତ୍କାର ଭାବେ ଘାନା ଗୋଲ୍ରକ୍ଷକ ଲରେନ୍ସ ଆଟି ଜିଗି ରୋକି ଦେଇଥିଲେ। ତେବେ ୫୮ ମିନିଟରେ ହେଡ୍କରି ଦକ୍ଷିଣ କୋରିଆ ପାଇଁ ପ୍ରଥମ ଗୋଲ୍ ଦେଇଥିଲେ। ୩ ମିନିଟ ପରେ ଚୋ ଜ୍ୟୁସଙ୍ଗ୍ ବ୍ୟକ୍ତିଗତ ଭାବେ ଏବଂ ଦଳ ପାଇଁ ୨ୟ ଗୋଲ୍ ଦେଇଥିଲେ।
ଏକ ଜୋର୍ଦାର ହେଡ୍କରି ଚୋ ଜ୍ୟୁସଙ୍ଗ୍ ଘାନା ଗୋଲ୍ରକ୍ଷକ ଆଟି ଜିଗିଙ୍କୁ ପରାସ୍ତ କରିଥିଲେ। ପରେ କୋରିଆର ଖେଳାଳି ଲି ଏକ ଚମତ୍କାର ଫ୍ରିକିକ୍ ମାରିଥିଲେ ମଧ୍ୟ ଆଟି ଜିଗି ଏହାକୁ ରୋକି ଦେଇଥିଲେ। ୬୮ ମିନିଟରେ କ୍ୟୁଡୁସ୍ ମହମ୍ମଦ ବ୍ୟକ୍ତିଗତ ୨ୟ ଏବଂ ଘାନା ପାଇଁ ୩ୟ ଗୋଲ୍ଦେଇ ଦଳକୁ ଆଗୁଆ କରିଥିଲେ। ୮୪ ମିନିଟେର କୋରିଆର କିମ୍ ଜିନ୍-ସୁ ଏକ ସୁଯୋଗ ପାଇଥିଲେ ହେଁ ସେ ଗୋଲ୍ପୋଷ୍ଟ ଉପରେ ମାରି ଦେଇଥିଲେ। ପରେ ଆଟି ଜିଗି ଆଉ ଏକ କୋରିଆ ଆକ୍ରମଣକୁ ପଣ୍ଡ କରି ଦେଇଥିଲେ।
Comments are closed.