ଓଡ଼ିଶା ପୁରୁଷ ହକି ବିଶ୍ବକପ : ୧୭ ଦିନରେ ୪୪ ମ୍ୟାଚ

ଆର୍ଜେଣ୍ଟିନା-ଦକ୍ଷିଣ ଆଫ୍ରିକା ଉଦ୍‌ଘାଟନୀ ମ୍ୟାଚ୍‌

ନୂଆଦିଲ୍ଲୀ: ଭୁବନେଶ୍ବର-ରାଉରକେଲାରେ ଖେଳାଯିବାକୁ ଥିବା ଏଫଆଇଏଚ୍‌ ପୁରୁଷ ହକି ବିଶ୍ବକପ -୨୦୨୩ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଖେଳାଯିବ। ଏଥିପାଇଁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ପକ୍ଷରୁ କାର୍ଯ୍ୟସୂଚୀ ଘୋଷିତ ହୋଇଛି । ପ୍ରତିଯୋଗିତାରେ ମେଟ ୪୪ଟି ମ୍ୟାଚ ଖେଳାଯିବ । ସେଥିମଧ୍ୟରୁ କଳିଙ୍ଗ ଷ୍ଟାଡ଼ିୟମରେ ଫାଇନାଲ ସହ ୨୪ଟି ଓ ନବନିର୍ମିତ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ୨୦ଟି ମ୍ୟାଚ ଖେଳାଯିବ । ପୁଲ-ଏ ର ୨୦୧୬ ରିଓ ଅଲିମ୍ପିକ୍‌ସ ବିଜେତା ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ କଳିଙ୍ଗ ଷ୍ଟାଡ଼ିୟମରେ ଜାନୁଆରୀ ୧୩ରେ ଖେଳାଯିବ।

ଉକ୍ତ ଦିନ ଦ୍ବିତୀୟ ମ୍ୟାଚରେ ବିଶ୍ବର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ପ୍ରଥମ ବିଶ୍ବକପ ମ୍ୟାଚ ପୁଲ-ଡି ର ଇଂଲଣ୍ଡ ଓ ୱେଲ୍‌ସ ମଧ୍ୟରେ ଖେଳାଯିବ। ରାଉରକେଲାରେ ଭାରତ ଲିଗ୍‌ ପର୍ଯ୍ୟାୟରେ ୩ଟି ମ୍ୟାଚ ଖେଳିବ। ଜାନୁଆରୀ ୧୩ ଓ ୧୪ରେ ୪ଟି ଲେଖାଏଁ ଲିଗ୍‌ ମ୍ୟାଚ ଖେଳାଯିବ। ଭୁବନେଶ୍ବରରେ ଦୁଇଟି ଓ ରାଉରକେଲାରେ ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ଅପରାହ୍ନ ୩ଟା ଓ ଦ୍ବିତୀୟ ମ୍ୟାଚ ରାତି ୭ଟାରୁ ଖେଳାଯିବ। ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଜାନୁଆରୀ ୨୦ ପର୍ଯ୍ୟନ୍ତ ଖେଳାଯିବ। ଜାନୁଆରୀ ୨୩ରେ କ୍ରସ ଓଭର ମ୍ୟାଚ, ୨୩ ,୨୪ ଓ ୨୫ରେ ୪ଟି କ୍ବାର୍ଟର ଫାଇନାଲ ମ୍ୟାଚ, ୨୭ରେ ଦୁଇଟି ଯାକ ସେମିଫାଇନାଲ ମ୍ୟାଚ ସହ ୨୯ରେ ୩ୟ ସ୍ଥାନ ଓ ଫାଇନାଲ ମ୍ୟାଚ ରାଉରକେଲାରେ ଖେଳାଯିବ।

ଉଦ୍‌ଘାଟନୀ ଉତ୍ସବ ରାଉରକେଲାରେ ହେବା ନେଇ ଯୋଜନା ରହିଥିବା ଜଣାପଡିଛି। ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିବେ। ଗ୍ରୁପ-ଏ ରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଥିବାବେଳେ ଗ୍ରୁପ-ବି ରେ ବେଲଜିୟମ, ଜର୍ମାନୀ, କୋରିଆ, ଜାପାନ, ଗ୍ରୁପ-ସି ରେ ନେଦରଲାଣ୍ଡ୍‌ସ, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲି ଓ ଗ୍ରୁପ-ଡି ରେ ଭାରତ, ଇଂଲଣ୍ଡ, ୱେଲ୍‌ସ ଓ ସ୍ପେନ ରହିଛନ୍ତି। ଚିଲି ଓ ୱେଲ୍‌ସ ପ୍ରଥମ ଥର ପାଇଁ ବିଶ୍ବକପ ଲାଗି ଯୋଗ୍ୟତା ହାସଲ କରିଛନ୍ତି।

Comments are closed.