ନିଖିଳ ଓଡ଼ିଶା ଆନ୍ତଃବିଦ୍ୟାଳୟ ଟେବୁଲ ଟେନିସ୍‌; ଉର୍ଜା, ଅଙ୍କୁର ଓ ଜିଜ୍ଞାଶୁ ସିଙ୍ଗଲ୍‌ସ ଚମ୍ପିଆନ୍‌

କଟକ: ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍ ଆସୋସିଏସନ୍‌ ପକ୍ଷରୁ କଟକର ଜବାହାରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଚାଲିଥିବା ନିଖିଳ ଓଡ଼ିଶା ଆନ୍ତଃବିଦ୍ୟାଳୟ ଟେବୁଲ ଟେନିସ୍ ଚମ୍ପିଆନ୍‌ସିପ୍‌ ପ୍ରତିଯୋଗିତା ରବିବାର ସମାପ୍ତ ହୋଇଛି। ୨ୟ ଦିନରେ ସିଙ୍ଗଲ୍‌ସରେ ପୁରୀ ଗୁରୁ ନାନକ ସ୍କୁଲ୍‌ର ଶ୍ବେତପଦ୍ମା ଦଳାଇ ଚମ୍ପିଆନ୍ ହୋଇଥିବା ବେଳେ ରବିବାର ୩ୟ ଦିନରେ ବାକି ୩ଟି ସିଙ୍ଗଲ୍‌ସ ଟାଇଟଲ ଜିତିଛନ୍ତି ଉର୍ଜା ବର୍ମା, ଅଙ୍କୁର ବିଶ୍ବାଳ ଓ ଜିଜ୍ଞାଶୁ ସାହୁ। ରବିବାର କନିଷ୍ଠ ବାଳିକା ସିଙ୍ଗଲ୍‌ସରେ କଟକ ଷ୍ଟିୱାର୍ଟ ସ୍କୁଲ୍‌ର ସାକ୍ଷୀ ଭଗତଙ୍କୁ ୩-୧ ଗେମ୍‌ରେ ହରାଇ କଟକର ସାଇ ଇଣ୍ଟିଗ୍ରେଟେଡ୍‌ ସ୍କୁଲ୍‌ର ଉର୍ଜା ବର୍ମା ଚମ୍ପିଆନ୍ ହୋଇଛନ୍ତି। କନିଷ୍ଠ ବାଳକ ସିଙ୍ଗଲ୍‌ସରେ କଟକର ସେଣ୍ଟ୍‌ ଜାଭିଏର୍ସ ସ୍କୁଲ୍‌ର ଟାକ୍‌ମିଲ ମହମ୍ମଦଙ୍କୁ ୩-୦ ଗେମ୍‌ରେ ହରାଇ ସିଡିଏ ଡିଏଭି ପବ୍ଲିକ୍‌ ସ୍କୁଲ୍‌ର ଜିଜ୍ଞାଶୁ ସାହୁ ଚମ୍ପିଆନ୍ ହୋଇଛନ୍ତି। ବରିଷ୍ଠ ବାଳକ ସିଙ୍ଗଲ୍‌ସରେ ସିଡିଏ ଡିଏଭି ପବ୍ଲିକ୍‌ ସ୍କୁଲ୍‌ର ଆୟାନ୍ ମୁସ୍ତାକ୍‌ଙ୍କୁ ହରାଇ ଡିପିଏସ୍‌ କଳିଙ୍ଗର ଅଙ୍କୁର ବିଶ୍ବାଳ ଚମ୍ପିଆନ୍ ହୋଇଛନ୍ତି।
ଦଳଗତ ବିଭାଗର କନିଷ୍ଠ ବାଳକରେ ସିଡିଏ ଡିଏଭି ପବ୍ଲିକ୍‌ ସ୍କୁଲ୍‌ ଚମ୍ପିଆନ୍ ହୋଇଛି। ଫାଇନାଲରେ ସିଡିଏ ଡିଏଭି ୩-୧ ମ୍ୟାଚ୍‌ରେ ଭୁବନେଶ୍ବରର କେନ୍ଦ୍ରୀୟ ବିଦ୍ୟାଳୟ-୧କୁ ପରାସ୍ତ କରିଛି। ଡିଏଭି ପାଇଁ ସିଙ୍ଗଲ୍‌ସରେ ଜିଜ୍ଞାଶୁ ସାହୁ ୨ଟି ମ୍ୟାଚ୍‌ ଜିତିଥିବା ବେଳେ ଡବଲ୍‌ସରେ ଜିଜ୍ଞାଂଶୁ ଓ ପୀୟୂଷ ପଟ୍ଟନାୟକ ଯୋଡ଼ି ଜିତିଥିଲେ। କେଭି-୧ ପାଇଁ ରତିକାନ୍ତ ଗୌଡ଼ ଏକମାତ୍ର ମ୍ୟାଚ୍‌ ଜିତିଥିଲେ। ସିନିୟର ବାଳକ ଫାଇନାଲରେ ଡିପିଏସ୍‌ କଳିଙ୍ଗକୁ ୩-୧ ମ୍ୟାଚ୍‌ରେ ପରାସ୍ତକରି କଟକର ନ୍ୟୁ ଷ୍ଟିୱାର୍ଟ ସ୍କୁଲ୍‌ ଚମ୍ପିଆନ୍ ହୋଇଛି। ନ୍ୟୁ ଷ୍ଟିୱାର୍ଟ ପାଇଁ ମହମ୍ମଦ ଜିିସାନ୍‌ ୨ଟି ସିଙ୍ଗଲ୍‌ସ ମ୍ୟାଚ୍‌ ଜିତିଥିବା ବେଳେ ଆବୁ ସୁଫିୟାଁ ଓ ମହମ୍ମସ ଜିସାନ୍‌ ଡବଲ୍‌ସ ମ୍ୟାଚ୍‌ ଜିତିଥିଲେ। ଡିପିଏସ୍‌ର ଅଙ୍କୁର ବିଶ୍ବାଳ ଏକମାତ୍ର ମ୍ୟାଚ୍‌ ଜିତିଥିଲେ। ଆନ୍ତଃସ୍କୁଲ୍‌ ଟୁର୍ଣ୍ଣାମେଣ୍ଟ ସରିବା ପରେ ରବିବାରଠାରୁ ୱାଜିଟିଟିଏ ରାଜ୍ୟ ରାଙ୍କିଙ୍ଗ୍‌ ଟେବୁଲ ଟେନିସ୍ ଚମ୍ପିଆନ୍‌ସିପ ଆରମ୍ଭ ହୋଇଛି। ଏଥିରେ ସାରାରାଜ୍ୟରୁ ୧୪୦ ବାଳକ ଓ ୧୧୦ ବାଳିକା; ମୋଟ ୨୫୦ ପ୍ରତିଯୋଗୀ ଭାଗ ନେଇଛନ୍ତି। ୧୧ ବର୍ଷରୁ କମ୍ ବାଳକ ସିଙ୍ଗଲ୍‌ସ ଫାଇନାଲରେ କଟକର ଶୁଭଙ୍କର ମାହାଲି ଓ ଆରୁଷ ମାଣିଆଙ୍କ ମଧ୍ୟ​‌େ​‌ର ମୁକାବିଲା ହେବ। ସେମିଫାଇନାଲରେ ଶୁଭଙ୍କର ୩-୦ (୧୧-୪, ୧୫-୧୩, ୧୧-୭) ଗେମ୍‌ରେ କଟକର ପୀୟୂଷ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି। ୨ୟ ସେମିରେ ଆରୁଷ ୩-୨ (୧୧-୭, ୬-୧୧, ୧୦-୧୨, ୧୨-୧୦, ୧୧-୫) ଗେମ୍‌ରେ ପୁରୀର ଜିଜ୍ଞାଶୁ ସାଇକିରଣ ପ୍ରଧାନଙ୍କୁ ପରାସ୍ତ କରିଛନ୍ତି। ୧୧ ବର୍ଷରୁ କମ୍ ବାଳିକା ବର୍ଗରେ କଟକର ଶ୍ବେତା ବର୍ମା ଓ ଆରାଧ୍ୟା ସାହୁଙ୍କ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଦୁହେଁ ରାଉଣ୍ଡ ରବିନ୍ ଲିଗ୍‌ ପରେ ଶୀର୍ଷରେ ରହି ଫାଇନାଲରେ ପହଞ୍ଚିଛନ୍ତି। ଉଭୟ ଆନ୍ତଃସ୍କୁଲ୍‌ ଓ ୱାଇଜିଟିଟିଏ ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହେବ।

Comments are closed.