ପୁରୁଣା ପରମ୍ପରା ବଜାୟ ରଖିବା ସପକ୍ଷରେ ଦ୍ରାବିଡ଼

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ପୂର୍ବତନ କ୍ରିକେଟର୍‌ ରାହୁଲ ଦ୍ରାବିଡ଼ ନିଯୁକ୍ତି ପାଇଛନ୍ତି। ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇବା ପରେ ଭାରତୀୟ କ୍ରିକେଟ୍‌ରେ ରହି ଆସିଥିବା କେତେକ ପୁରୁଣା ପରମ୍ପରାକୁ ଦ୍ରାବିଡ଼ ବଜାୟ ରଖିବାକୁ ଚାହୁଁଥିବା ତାଙ୍କର କାର୍ଯ୍ୟକଳାପରୁ ସୁସ୍ପଷ୍ଟ।
ଉଦାହରଣ ସ୍ବରୂପ ପୂର୍ବରୁ ପିଚ୍‌ ପ୍ରସ୍ତୁତକାରୀଙ୍କୁ ଭଲ ପିଚ୍‌ ପ୍ରସ୍ତୁତ ନିମନ୍ତେ ଅର୍ଥ ପୁରସ୍କାର ଦିଆଯିବାର ପରମ୍ପରା ରହିଥିଲା। କପିଳ ଦେବଙ୍କ ଠାରୁ ଆରମ୍ଭ କରି ମହେନ୍ଦ୍ର ସିଂହ ଧୋନିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପାଳନ କରୁଥିଲେ। ତେବେ ପରବର୍ତ୍ତୀ ସମୟରେ ଏହା ସଂପୂର୍ଣ୍ଣ ଭାବେ ଉଭାନ୍‌ ହୋଇଗଲା। ଅନ୍ୟପକ୍ଷରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କାନପୁର ଓ ୱାଙ୍ଖଡେ ଷ୍ଟାଡ଼ିୟମରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ ନିମନ୍ତେ ପିଚ୍‌ ପ୍ରସ୍ତୁତକାରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ଦ୍ରାବିଡ଼ ଅର୍ଥ ପୁରସ୍କାର ଦେଇ ସେହି ପରମ୍ପରା ଫେରାଇ ଆଣିଛନ୍ତି। ଏହାବାଦ୍‌ ପୂର୍ବରୁ ନବାଗତ ଖେଳାଳିଙ୍କୁ ପୂର୍ବତନ ମହାନ୍‌ କ୍ରିକେଟର୍‌ମାନେ ଦଳକୁ ସ୍ବାଗତ ପୂର୍ବକ ଟୋପି ପ୍ରଦାନ କରିବାର ପରମ୍ପରା ଥିଲା। ତାହାକୁ ପୁଣି ଆପଣାଇଛନ୍ତି ଦ୍ରାବିଡ଼। ଯାହାର ଉଦାହରଣ ହେଉଛି ଶ୍ରେୟାସ ଆୟାରଙ୍କୁ ଟେଷ୍ଟ ପଦାର୍ପଣ ଟୋପି ପ୍ରଦାନ କରିଥିଲେ ମହାନ୍‌ କ୍ରିକେଟର୍‌ ସୁନୀଲ ଗାଭାସ୍କର।

ଏତଦ୍‌ବ୍ୟତୀତ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଭାରତୀୟ କ୍ରିକେଟ୍‌ ଦଳରେ ସାମିଲ କରାଯିବା ସପକ୍ଷରେ ଦ୍ରାବିଡ଼ ନ ଥିବା ଜଣାପଡ଼ିଛି। ସେହିପରି ଯେଉଁ କ୍ରିକେଟର୍‌ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି ତାଙ୍କୁ ନିଜ ଫିଟନେସ୍‌ ଓ ପ୍ରଦର୍ଶନର ପ୍ରମାଣ ଦେବାକୁ ପଡ଼ିବ ବୋଲି ଦ୍ରାବିଡ଼ ସ୍ପଷ୍ଟ କରି ଦେଇଛନ୍ତି। ଖରାପ ଫର୍ମ ଓ ଫିଟନେସ୍‌ ଅଭାବରୁ ଯେଉଁ କ୍ରିକେଟର୍‌ ଜାତୀୟ ଦଳରୁ ବାଦ୍‌ ପଡ଼ିବେ ସେ ପୁନର୍ବାର ଜାତୀୟ ଦଳକୁ ଫେରିବାକୁ ହେଲେ ଘରୋଇ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ଦ୍ରାବିଡ଼ ମତ ଦେଇଛନ୍ତି।

Comments are closed.