ଦିଲ୍ଲୀକୁ ୩ ୱିକେଟରେ ହରାଇଲା କଲକାତା

ଶାରଜା: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ବିଜୟୀ ହୋଇଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ବୋଲରଙ୍କ ଭଲ ପ୍ରଦର୍ଶନ ପରେ ନୀତୀଶ ରାଣାଙ୍କ ଲଢ଼ୁଆ ଇନିଂସ ବଳରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୩ ୱିକେଟରେ କେକେଆର୍ ପରାସ୍ତ କରିଛି। ଏହି ଧିମା ପିଚ୍‌ରେ ଷ୍ଟିଭେନ୍ ସ୍ମିଥ୍ ଓ ଋଷଭ ପନ୍ତ୍ ୩୯ ରନ୍‌ ଲେଖାଏଁ କରିବାରୁ ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ ୯ ୱିକେଟରେ ୧୨୭ ରନ୍‌ କରିଥିଲା। ପରେ ନୀତୀଶ ରାଣାଙ୍କ ଅପରାଜିତ ୩୬ ରନ୍‌ ବଳରେ ୧୮.୨ ଓଭରରେ ୭ ୱିକେଟ ହରାଇ କଲକାତା ବିଜୟୀ ହୋଇଥିଲା। ୧୧ଶ ମ୍ୟାଚ୍‌ରେ ୩ୟ ପରାଜୟ ସତ୍ତ୍ବେ ଦିଲ୍ଲୀ ୨ୟ ସ୍ଥାନ ବଜାୟ ରଖିଛି। ୧୧ଶ ମ୍ୟାଚ୍‌ରେ ୫ମ ବିଜୟ ପରେ ୧୦ ପଏଣ୍ଟ ସହ କଲକାତା ୪ର୍ଥ ସ୍ଥାନରେ ରହିଛି।
କଲକାତା ନାଇଟ୍‌ ରାଇଡର୍ସ ୧୨୮ ରନ୍‌ ଲକ୍ଷ୍ୟର ପିଛାକରି ଓପ୍‌ନିଂ ଯୋଡ଼ିରେ ୨୮ ରନ୍ କରିଥିଲେ। ଭେଙ୍କଟେଶ ଆୟର ୧୪ ରନ୍‌କରି ବିଦାୟ ନେଇଥିଲେ। ପରେ ଅନ୍ୟ ସଫଳ ବ୍ୟାଟ୍‌ସମ୍ୟାନ୍ ରାହୁଲ ତ୍ରିପାଠୀ ୯ ରନ୍‌କରି ବିଦାୟ ନେଇଥିଲେ। ପରେ ଓପ୍‌ନର ଶୁବ୍‌ମାନ ଗିଲ୍‌ ଓ ନୀତୀଶ ରାଣା ସ୍କୋର୍‌କୁ ୬୭ ରନ୍‌ରେ ପହଞ୍ଚାଇଥିଲେ। ସେହି ସ୍କୋର୍‌ରେ କେକେଆର୍ ଆଉ ୨ଟି ୱିକେଟ ହରାଇଥିଲା। ଗିଲ୍‌ ୩୩ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୩୦ ରନ୍‌କରି ଆଉଟ ହୋଇଥିଲେ। ଅଧିନାୟକ ଇଓନ୍ ମୋର୍ଗାନ୍ ତାଙ୍କ ଖରାପ ଫର୍ମ ଜାରିରଖି ଖାତା ଖୋଲିବା ପୂର୍ବରୁ ଫେରି ଯାଇଥିଲେ। ପରେ ଦିନେଶ କାର୍ତ୍ତିକ ୧୨ ରନ୍‌କରି ଆଉଟ ହୋଇଯିବା ପରେ ଦିଲ୍ଲୀ ମ୍ୟାଚ୍‌କୁ ଫେରିବାର ପ୍ରୟାସ କରିଥିଲା। ହେଲେ ନୀତୀଶ ରାଣା ଓ ସୁନୀଲ ନାରାୟଣ ୨୬ ରନ୍‌ ଯୋଡ଼ି କେକେଆର୍‌କୁ ବିଜୟର ନିକଟବର୍ତ୍ତୀ କରାଇଥିଲେ। ବାମହାତି ନାରାୟଣ ୧୦ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ଦ୍ରୁତ ୨୧ ରନ୍‌ କରିଥିଲେ। ନୀତୀଶ ରାଣା ଶେଷ ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ଦଳକୁ ଜିତାଇଥିଲେ। ବାମହାତି ରାଣା ୨୭ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୬ ରନ୍‌କରି ଅପରାଜିତ ଥିଲେ। ଆଭେସ୍ ଖାଁ ୩ଟି ୱିକେଟ ନେଇଥିଲେ।

ଟସ୍ ଜିତି କଲକାତା ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ୫ ଓଭର​‌େ​‌ର ଦିଲ୍ଲୀର ଦୁଇ ଓପ୍‌ନର ସ୍କୋର୍‌କୁ ୩୫ ରନ୍‌ରେ ପହଞ୍ଚାଇଥିଲେ। ଫର୍ମରେ ଥିବା ଶିଖର ଧାୱନ ୨୦ ବଲ୍‌ରୁ ୫ଟି ଚୌକା ସହ ୨୪ ରନ୍‌ କରିଥିଲେ। ପରେ ଶେୟାସ ଆୟର ୧ ରନ୍‌କରି ବିଦାୟ ନେଇଥିଲେ। ଓପ୍‌ନର ଷ୍ଟିଭେନ୍ ସ୍ମିଥ୍ ୧୩ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ୩୪ ବଲ୍‌ରୁ ୪ଟି ଚୌକା ସହ ୩୯ ରନ୍‌ କରିଥିଲେ। ମଧ୍ୟକ୍ରମର ବିଫଳତା ଯୋଗୁଁ ଦିଲ୍ଲୀ ଶେଷ ୯ ଓଭରରୁ ମାତ୍ର ୫୪ ରନ୍ କରି ପାରିଥିଲା। ଅଧିନାୟକ ଋଷଭ ପନ୍ତ୍ ଶେଷ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିବାରୁ ଦିଲ୍ଲୀ ୧୨୭ ରନ୍‌ରେ ପହଞ୍ଚିଥିଲା। ଋଷଭ ୩୬ ବଲ୍‌ରୁ ୩ଟି ଚୌକା ସହ ୩୯ ରନ୍‌ କରିଥିଲେ। ଶେଷ ଆଡ଼କୁ କେହି ବଡ଼ ସ୍କୋର୍ କରି ପାରିନଥିଲେ। ଲୋକି ଫର୍ଗୁସନ୍, ସୁନୀଲ ନାରାୟଣ ଓ ଭେଙ୍କଟେଶ ଆୟର ୨ଟି ଲେଖାଏଁ ୱିକେଟ ନେଇଥିଲେ। ସୁନୀଲ ନାରାୟଣ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.