ଶେଷ ବଲ୍‌ରେ କଲକାତାକୁ ହରାଇଲା ଚେନ୍ନଇ

ଆବୁଧାବି, ୨୬।୯: ରବିବାର ଚଳିତ ଆଇପିଏଲ୍‌ରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଏଥିରେ ଶେଷ ବଲ୍‌ରେ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ୨ ୱିକେଟରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ପରାସ୍ତ କରିଛି। ରବିବାର ପ୍ରଥମ ମ୍ୟାଚ୍‌ରେ ରାହୁଲ ତ୍ରିପାଠୀଙ୍କ ୪୫ ଓ ନୀତୀଶ ରାଣାଙ୍କ ଅପରାଜିତ ୩୭ ରନ୍‌ ବଳରେ ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍‌ ୬ ୱିକେଟ​‌େ​‌ର ୧୭୧ ରନ୍‌ କରିଥିଲା। ପରେ ସିଏସ୍‌କେ ଓପ୍‌ନରଙ୍କ ଚମତ୍କାର ପ୍ରଦର୍ଶନ ପରେ ଶେଷଆଡ଼କୁ ରବୀନ୍ଦ୍ର ଜାଡ଼େଜାଙ୍କ ବିସ୍ଫୋରକ ଇନିଂସ ବଳରେ ଶେଷ ବଲ୍‌ରେ ୮ ୱିକେଟ ହରାଇ ଚେନ୍ନଇ ବିଜୟୀ ହୋଇଥିଲା। ୧୦ମ ମ୍ୟାଚ୍‌ରେ ଏହି ୮ମ ବିଜୟ ପରେ ଚେନ୍ନଇ ସୁପର କିଙ୍ଗ୍‌ସ ୧୦ ପଏଣ୍ଟ ପାଇ ଶୀର୍ଷକୁ ଉଠିବା ସହ ପ୍ଲେଅଫ୍‌ ଖେଳିବା ଦ୍ବାରରେ ପହଞ୍ଚିଛି। ଅନ୍ୟପକ୍ଷରେ ୧୦ମ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ପରେ କଲକାତା ୪ର୍ଥ ସ୍ଥାନରେ ରହିଛି।

୧୭୨ ରନ୍ ଲକ୍ଷ୍ୟରେ ଚେନ୍ନଇ ସୁପର କିଙ୍ଗ୍‌ସର ୨ ଓପ୍‌ନର ଫାଫ୍ ଡୁ ପ୍ଲେସି ଓ ଋତୁରାଜ ଗାଏକ୍‌ୱାଡ ୮.୧ ଓଭରରେ ୭୪ ରନ୍‌ ଯୋଗ କରିଥିଲେ। ଋତୁରାଜ ବିଧ୍ବଂସୀ ବ୍ୟାଟିଂକରି ୨୮ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୪୦ ରନ୍‌କରି ଆଉଟ ହୋଇଥିଲେ। ଡୁ ପ୍ଲେସି ୩୦ ବଲ୍‌ରୁ ୭ଟି ଚୌକା ସହ ୪୩ ରନ୍‌ କରିଥିଲେ। ପରେ ମୋଇନ୍ ଅଲୀ ୨୮ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୨ ରନ୍‌କରି ଆଉଟ ହୋଇଥିଲେ। ୧ ୱିକେଟରେ ୧୦୨ ରନ୍‌ କରିଥିବା ଚେନ୍ନଇ ୪୦ ରନ୍‌ରେ ପରବର୍ତ୍ତୀ ୫ଟି ୱିକେଟ ହରାଇଥିଲା। ଶେଷ ୨ ଓଭରରୁ ଚେନ୍ନଇ ୨୬ ରନ୍ ଆବଶ୍ୟକ କରୁଥିବା ବେଳେ ୧୯ଶ ଓଭରରେ ରବୀନ୍ଦ୍ର ଜାଡ଼େଜା ୨୨ ରନ୍‌ ନେଇ ପାରିଥିଲେ। ତେବେ ଶେଷ ଓଭରରେ ୪ ଏବଂ ଶେଷ ୩ଟି ବଲ୍‌ରୁ ୧ ରନ୍‌ ଆବଶ୍ୟକ ଥିବା ବେଳେ ଜାଡ଼େଜା ଆଉଟ ହୋଇ ଯାଇଥିଲେ। ଜାଡ଼େଜା ୮ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୨ ରନ୍ କରିଥିଲେ। ଶେଷ ବଲ୍‌ରୁ ୧ ରନ୍ ଆବଶ୍ୟକ ଥିବା ବେଳେ ଦୀପକ ଚହର ଏହା ନେଇ ପାରିଥିଲେ। ଶେଷ ଓଭରରେ ୨ଟି ସହ ସୁନୀଲ ନାରାୟଣ ୩ଟି ୱିକେଟ ନେଇଥିଲେ।
ଟସ୍‌ ଜିତି କେକେଆର୍ ବ୍ୟାଟିଂ ନେବା ପରେ ଓପ୍‌ନର ଶୁବ୍‌ମାନ ଗିଲ୍‌ ୯ ରନ୍‌କରି ରନ୍‌ଆଉଟ ହୋଇଥିଲେ। ତେବେ ଭେଙ୍କଟେଶ ଆୟର ଓ ରାହୁଲ ତ୍ରିପାଠୀ ସ୍କୋର୍‌କୁ ୫୦ ରନ୍‌ରେ ପହଞ୍ଚାଇଥିଲେ। ଆୟର ୧୮ ରନ୍ କରିଥିଲେ। ତ୍ରିପାଠୀ ୩୩ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୫ ରନ୍ କରିଥିଲେ। ଅଧିନାୟକ ଇଓନ୍ ମୋର୍ଗାନ୍ ୮ ରନ୍‌ କରିଥିଲେ। ନୀତୀଶ ରାଣା ଶେଷ ପର୍ଯ୍ୟନ୍ତ ବ୍ୟାଟିଂକରି ୨୭ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୭ ରନ୍‌କରି ଅପରାଜିତ ଥିଲେ। ଆ​‌େ​‌ନ୍ଦ୍ର ରସେଲ ୧୫ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୦ ଏବଂ ଦିନେଶ କାର୍ତ୍ତିକ ୧୧ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୬ ରନ୍‌ କରିଥିଲେ। ଜୋସ୍ ହାଜେଲଉଡ୍‌ ଓ ସାର୍ଦ୍ଦୁଳ ଠାକୁର ୨ଟି ଲେଖାଏଁ ୱିକେଟ ନେଇଥିଲେ। ଜାଡ଼େଜା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.