ରମେଶ ପାୱାର ହେଲେ ମହିଳା କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ

ନୂଆଦିଲ୍ଲୀ: ଦୁଇବର୍ଷ ପରେ ପୂର୍ବତନ ସ୍ପିନର ରମେଶ ପାୱାର ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦକୁ ଫେରିଛନ୍ତି। ଡବ୍ଲୁଭି ରମଣଙ୍କ ସ୍ଥାନରେ ପାୱାର ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଛନ୍ତି। ଏ ନେଇ ବିସିସିଆଇ କ୍ରିକେଟ ପରାମର୍ଶଦାତା କମିଟି ପକ୍ଷରୁ ଗୁରୁବାର ଅନୁମୋଦନ ମିଳିଛି।

୨୦୧୮ ଟ୍ବେଣ୍ଟି୨୦ ବିଶ୍ବକପ ପରେ ଦିନିକିଆ ଦଳର ଅଧିନାୟିକା ମିତାଲି ରାଜ୍‌ଙ୍କ ସହିତ ବିବାଦରୁ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଥିବା ରମେଶଙ୍କୁ କ୍ରିକେଟ ପରାମର୍ଶଦାତା କମିଟି ପୁନଃ ନିଯୁକ୍ତି କରିବାକୁ ମୋହର ମାରିଛି। କ୍ରିକେଟ ପରାମର୍ଶଦାତା କମିଟି ମୁଖ୍ୟ ମଦନ ଲାଲ୍‌ଙ୍କ ନେତୃତ୍ବରେ ଆବେଦନ କରିଥିବା ୮ ଜଣଙ୍କ ମଧ୍ୟରୁ ପାୱାରଙ୍କୁ ମନୋନୀତ କରିଛି। ବିସିସିଆଇ ପକ୍ଷରୁ ରମେଶ ପାୱାରଙ୍କୁ ମହିଳା କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ନେଇ ଘୋଷଣା କରାଯାଇଛି। ୨୦୧୮ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ବିଶ୍ବକପ ସେମିଫାଇନାଲରେ ମିତାଲି ରାଜ୍‌ଙ୍କୁ ବାଦ୍‌ ଦେଇ ହରମାନ୍‌ପ୍ରୀତ୍‌ ସିଂହଙ୍କୁ ଅଧିନାୟକ ପଦ ଦେବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏ ନେଇ ମିତାଲି ବିସିସିଆଇ ନିକଟରେ ରମେଶ ପାୱାରଙ୍କ ନାମରେ ଅଭିଯୋଗ କରିଥିଲେ। ଫଳରେ ବିସିସିଆଇ ପାୱାରଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦରୁ ହଟାଇ ଦେଇଥିଲା।

ନ୍ୟୁଜିଲାଣ୍ଡରେ ଆସନ୍ତା ବର୍ଷ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ବକପ ପାୱାରଙ୍କପାଇଁ ବଡ ଆହ୍ବାନ ହେବ। ୭ ବର୍ଷ ପରେ​‌ଭାରତ ଆସନ୍ତା ଜୁନ୍‌ ୧୬ରୁ ​ଖେଳିବାକୁ ଥିବା ଟେଷ୍ଟ ମ୍ୟାଚରୁ ପାୱାର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ବିଶ୍ବକପ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ। ମୁଖ୍ୟ ପ୍ରଶିକ୍ଷକ ଦୌଡ଼ରେ ରମେଶଙ୍କ ସହ ପୂର୍ବତନ ୱିକେଟକିପର ଅଜୟ ରାତ୍ରା, ମୁଖ୍ୟ ମନୋନୟନକାରୀ ହେମଲତା କୌର ଓ ୫ଜଣ ମହିଳା କ୍ରିକେଟର ରହିଥିଲେ।

Comments are closed.