ଦ୍ରୌପଦୀଙ୍କ ପ୍ରାର୍ଥିତ୍ବ ନେଇ ବିରୋଧୀ ଶିବିର ବିଭାଜିତ

ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ପ୍ରାର୍ଥୀ କରି ବିରୋଧୀ ଶିବିରରେ ବିଭାଜନର ପଥ ପରିଷ୍କାର କରିଛି ବିଜେପି। ମମତା ବାନାର୍ଜୀଙ୍କ ପ୍ରଚେଷ୍ଟାରେ ୨୨ଟି ଦଳ ମଧ୍ୟରୁ ୧୮ଟି ଦଳ ଏକାଠି ହୋଇଥିଲେ ମଧ୍ୟ ଦ୍ରୌପଦୀଙ୍କୁ ପ୍ରାର୍ଥୀ କରାଯିବା ପରେ ଆଦିବାସୀ ପ୍ରସଙ୍ଗ ନେଇ ସେଥିରୁ କେତେକ ଦଳ ହାତଛଡ଼ା ହେବାର ଆଶଙ୍କା ପ୍ରକାଶ ପାଇଛି। ରାଷ୍ଟ୍ରପତି ନିର୍ବାଚନରେ ବ୍ୟକ୍ତିତ୍ବ ଅପେକ୍ଷା ଦଳ ଅଧିକ ଗୁରୁତ୍ବ ବହନ କରୁଛି। ସେ ଦୃଷ୍ଟିରୁ ଦ୍ରୌପଦୀ ଆଗୁଆ ଅଛନ୍ତି। ଆଦିବାସୀ ହୋଇଥିବାରୁ ହାୱା ତାଙ୍କ ସପକ୍ଷରେ ରହିଛି। ପ୍ରଥମେ ଝାଡ଼ଖଣ୍ଡ କଥା ବିଚାର କରାଯାଉ। ଏହା ୟୁପିଏ ବା କଂଗ୍ରେସ ସହିତ ଥିଲେ ମଧ୍ୟ ଆଦିବାସୀ ଭୋଟ୍‌ ଯୋଗୁଁ ଏବେ ଦ୍ବନ୍ଦ୍ବରେ ରହିଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ସଙ୍କଟରେ ପଡ଼ିଛନ୍ତି। ଯଶବନ୍ତ ସିହ୍ନା ଝାଡ଼ଖଣ୍ଡର ବାସିନ୍ଦା ଏବଂ ଦ୍ରୌପଦୀ ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟପାଳ ଥିବାରୁ ତାଙ୍କ ପାଇଁ ଆଉ ଏକ ଅଡ଼ୁଆ ରହିଛି। ଓଡ଼ିଶା ସ୍ବାଭାବିକ ଭାବେ ଦ୍ରୌପଦୀଙ୍କୁ ସମର୍ଥନ ଦ୍ବାରା ଏନ୍‌ଡିଏ ସପକ୍ଷକୁ ଯାଇଛି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି ମଧ୍ୟ ଏବେ ଦ୍ବନ୍ଦ୍ବରେ ରହିଛନ୍ତି। ସେହିପରି ଛତିଶଗଡ଼ର କଂଗ୍ରେସ ସରକାର ଦଳ ଦାୟରେ ସିହ୍ନାଙ୍କୁ ଧରିବେ କିମ୍ବା ଜାତି ଦାୟରେ ଦ୍ରୌପଦୀଙ୍କୁ ସମର୍ଥନ କରିବେ ତାହା ସ୍ପଷ୍ଟ ହୋଇ ନାହିଁ। ମଧ୍ୟପ୍ରଦେଶ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଇତ୍ୟାଦି ରାଜ୍ୟର କଂଗ୍ରେସ ସମାନ ସଙ୍କଟରେ ପଡ଼ିଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ମଧ୍ୟ ଏବେ ସୁଦ୍ଧା ଦ୍ବନ୍ଦ୍ବରେ ଅଛନ୍ତି।
ଆଉ ବର୍ଷକ ପରେ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ପ୍ରଥମେ ଗୁଜରାତରେ ବିଧାନଦସଭା ନିର୍ବାଚନ ହେବାକୁ ଅଛି। ଏହି ରାଜ୍ୟ ଜନସଂଖ୍ୟାର ୧୪.୮ ପ୍ରତିଶତ ଆଦିବାସୀ ହୋଇଥିବାରୁ ସେମାନଙ୍କ ଭୋଟ ହାସଲ ପାଇଁ ବିଜେପି ଉଦ୍ୟମ ଚଳାଇଛି। ଗତ ରାଷ୍ଟ୍ରପତି ନିର୍ବାଚନରେ ଦଳିତ ସମ୍ପ୍ରଦାୟର ରାମନାଥ କୋବିନ୍ଦଙ୍କୁ ପ୍ରାର୍ଥୀ କରି ବି​ଜେପି ଉତ୍ତର ପ୍ରଦେଶ ସହ ଅନ୍ୟ କେତେକ ଅଞ୍ଚଳରେ ଦଳିତ ଭୋଟ ପାଇବାକୁ ସମର୍ଥ ହୋଇଥିଲା। ଏବେ ସମାନ ସୂତ୍ର ଅବଲମ୍ବନ ପୂର୍ବକ ଆଦିବାସୀ ଭୋଟ୍‌ ଉପରେ ଦଳ ଭରସା କରିଛି। ସାଧାରଣ ନିର୍ବାଚନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବା ଆଶା ରଖିଛି ଦଳ। ଛତିଶଗଡ଼ରେ ଆଦିବାସୀଙ୍କ ସଂଖ୍ୟା ହେଉଛି ମୋଟ ଜନସଂଖ୍ୟାର ୩୦.୬ ପ୍ରତିଶତ। ଝାଡ଼ଖଣ୍ଡରେ ୨୬.୨, ଓଡ଼ିଶାରେ ୨୨.୮, ମଧ୍ୟପ୍ରଦେଶରେ ୨୧.୧, ରାଜସ୍ଥାନରେ ୧୩.୫ ପ୍ରତିଶତ ଆଦିବାସୀ ଅଛନ୍ତି।
ନରେନ୍ଦ୍ର ମୋଦୀ ସରକାର ଦେଶର ଉତ୍ତର-ପୂର୍ବାଞ୍ଚଳ ପ୍ରତି ଅଧିକ ଧ୍ୟାନ ଦେଉଥିବାର ପ୍ରଚାର କରୁଛନ୍ତି। ଦେଖିବାକୁ ଗଲେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମଧ୍ୟରୁ ମିଜୋରାମରେ ଆଦିବାସୀଙ୍କ ସଂଖ୍ୟା ସର୍ବାଧିକ ୯୪.୪, ନାଗାଲାଣ୍ଡରେ ୮୬.୫, ମେଘାଳୟରେ ୮୬.୧, ଅରୁଣାଚଳ ପ୍ରଦେଶରେ ୬୮.୮, ମଣିପୁରରେ ୩୫.୧, ସିକିମ୍‌ରେ ୩୩.୮, ତ୍ରିପୁରାରେ ୩୧.୮ ପ୍ରତିଶତ ଆଦିବାସୀଙ୍କୁ ପ୍ରଭାବିତ କରିବା ପାଇଁ ମୁର୍ମୁଙ୍କ ପ୍ରାର୍ଥିତ୍ବ ସହାୟକ ହେବ ବୋଲି ସରକାର ମନେ କରିଛନ୍ତି। ଏହାକୁ ବିଚାର କଲେ ଯେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ଏନ୍‌ଡିଏ ବିରୋଧୀ ଦଳ ଶାସନରେ ଅଛନ୍ତି ସେମାନେ ନିଶ୍ଚୟ ଅଡ଼ୁଆରେ ପଡ଼ିବେ।

Comments are closed.