ମୁଁ ଆଇଏଏସ ହେବି…ମୁଖ୍ୟମନ୍ତ୍ରୀଙ୍କୁ କହିଲେ ସୁନ୍ଦରଗଡ଼ର ଛାତ୍ରୀ ସିରିନ୍

ଅତ୍ୟାଧୁନିକ ସୁବିଧା ବିଷୟରେ ଆଗରୁ ଟିଭିରେ ଦେଖିଥିଲି, ଏବେ ମୋ’ ସ୍କୁଲରେ ଦେଖୁଛି: ଛାତ୍ରୀ ସିରିନ

ସୁନ୍ଦରଗଡ଼: ‘‘ବଡ଼ ବଡ଼ ସ୍କୁଲର ପରିବେଶ ଏବଂ ସେଠାରେ ମିଳୁଥିବା ବିଭିନ୍ନ ଅତ୍ୟାଧୁନିକ ସୁବିଧା ବିଷୟରେ ଆଗରୁ ମୁଁ ଟିଭିରେ ଦେଖିଥିଲି। ହେଲେ ଆଜି ଏହିସବୁ ବ୍ୟବସ୍ଥା ମୁଁ ମୋ’ ସ୍କୁଲରେ ଦେଖି ଖୁସି ଅନୁଭବ କରୁଛି। ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଫଳରେ ଆମ ସ୍କୁଲର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ଏଥିପାଇଁ ମୁଁ ଆମ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଉଛି’’, ରାଜ୍ୟ ସରକାରଙ୍କ ପ୍ରଥମ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଲୋକାର୍ପଣ ଉତ୍ସବରେ ସାମିଲ ହୋଇ ଏକଥା କହିଛନନ୍ତି ସୁନ୍ଦରଗଡ଼ ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସିରିନ୍ କୌଶର୍।

ସିରିନ୍ ସୁନ୍ଦରଗଡ଼ ସହରରେ ଥିବା ଶତାୟୁ ଶିକ୍ଷାନୁଷ୍ଠାନ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ ହୋଇଯାଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ୧୧ ତାରିଖରେ ରାଜ୍ୟର ଅନ୍ୟ ଜିଲ୍ଲା ସହିତ ସୁନ୍ଦରଗଡ଼ର ବିଭିନ୍ନ ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିଥିଲେ। ସୁନ୍ଦରଗଡ଼ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ଅନ୍ୟ ଅତିଥିଙ୍କ ସହ ଛାତ୍ରୀ ସିରିନ୍ ମଞ୍ଚରେ ବସିବାର ସୁଯୋଗ ପାଇଥିଲେ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ଠାରେ ଭରପୂର ସ୍ଥାନୀୟ ଦର୍ଶକ ଏବଂ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ପ୍ରମୁଖ ଯୋଡ଼ି ହୋଇଥିଲେ। ସଭା ମଞ୍ଚରେ ଜଣେ ଛାତ୍ରୀ ହିସାବରେ ନିଜର ଅନୁଭୂତି ବର୍ଣ୍ଣନା କରି ସିରିନ୍ କହିଥିଲେ ଯେ, ‘‘ଆଗରୁ ଆମେ କଳାପଟାରେ ପାଠ ପଢ଼ୁଥିଲୁ। କିନ୍ତୁ ଏବେ ସ୍ମାର୍ଟ କ୍ଲାସରୁମରେ ପାଠ ପଢ଼ିବାର ସୁଯୋଗ ପାଇଛୁ।’’

ସିରିନ୍ କହିଥିଲେ ଯେ, ‘‘ଆଇସିଟି କମ୍ପ୍ୟୁଟର ଲ୍ୟାବରେ ଇଣ୍ଟରନେଟ୍ ବ୍ୟବହାର କରି ଆମେ ଦେଶ ଦୁନିଆ ବିଷୟରେ ଅଧିକ ଜାଣିପାରୁଛୁ। ନୂଆ ପାଠାଗାରରେ ଥିବା ବିଭିନ୍ନ ବହି ଆମ ମନରେ ପାଠପଢ଼ା ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିଛି। ଆଗରୁ ପାନୀୟ ଜଳ ଏବଂ ଭଲ ଶୌଚାଳୟ ନଥିବାରୁ ଅନେକ ସମସ୍ୟା ହେଉଥିଲା। ହେଲେ ଏବେ ସେ ସବୁ ସମସ୍ୟା ଦୂର ହୋଇପାରିଛି ବଡ଼ ବଡ଼ ସହରର ଆଧୁନିକ ସ୍କୁଲଗୁଡ଼ିକରେ ଯେଉଁ ସୁବିଧା ଥିଲା ତାହା ଏବେ ଆମ ସ୍କୁଲରେ ଦେଖି ବହୁତ ଖୁସି ଲାଗୁଛି।’’

ଏହି କାର୍ଯ୍ୟକ୍ରମ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିରିନଙ୍କୁ ତାଙ୍କ ଭବିଷ୍ୟତର ସ୍ୱପ୍ନ ବିଷୟରେ ପଚାରିଥିଲେ। ଏହାର ଉତ୍ତର ଦେଇ ସିରିନ୍ କହିଥିଲେ ଯେ, ସେ ଜଣେ ଆଇଏଏସ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଥିଲେ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ, ବଣ ପାହାଡ଼ଘେରା, ଖଣି ପ୍ରଭାବିତ ତଥା ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ତାଙ୍କ ଭଳି ଶହ ଶହ ଛାତ୍ରଛାତ୍ରୀଙ୍କ କ୍ୟାରିଅର ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ।

ମଞ୍ଚ ଉପରେ ଥିଲେ ଛାତ୍ରୀ ସିରିନ୍ ସାମ୍ନାରେ ଶହ ଶହ ଦର୍ଶକଙ୍କ ଭିତରେ ବସିଥିଲେ ତାଙ୍କ ସହପାଠୀ, ଶିକ୍ଷକ ଶିକ୍ଷୟିତ୍ରୀମାନେ ମୋଟ ୫ଟି ଜିଲ୍ଲାକୁ ଯୋଡ଼ି ହେଉଥିବା ଏହି ଲୋକାର୍ପଣ କାର୍ଯ୍ୟକ୍ରମ ବେଳେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଏବଂ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସିରିନ୍ ସମସ୍ତଙ୍କ ଆଗରେ ଦୃଢ଼ତାର ସହ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ।

‘‘ସ୍କୁଲରେ ତିଆରି ହୁଏ ଦେଶ ତଥା ଜାତିର ଭବିଷ୍ୟତ। ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ତେଣୁ ଏହି ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ୱ’’, ଏହି ଲୋକାର୍ପଣ ଅବସରରେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ହାଇସ୍କୁଲ ରୂପାନ୍ତରଣକୁ ୫-ଟି କାର୍ଯ୍ୟକ୍ରମର ଏକ ଶ୍ରେଷ୍ଠ ଉଦାହରଣ ଭାବେ ସେ ବର୍ଣ୍ଣନା କରିଥିଲେ। ୫-ଟିରେ ଦର୍ଶାଯାଇଥିବା ୫ଟି ଦିଗ – ଟେକ୍ନୋଲୋଜି, ଟିମ୍ ଓ୍ୱାର୍କ, ଟାଇମ୍, ଟ୍ରାନ୍ସପରେନ୍ସି ଏବଂ ଟ୍ରାନ୍ସଫର୍ମେସନକୁ ଆଧାରକରି ହାଇସ୍କୁଲର ରୂପାନ୍ତରଣ ସମ୍ଭବ ହୋଇପାରିଛି। ଫଳରେ ଗାଁ ଏବଂ ସହରରେ ଥିବା ସ୍କୁଲଗୁଡ଼ିକ ଭିତରେ ଶିକ୍ଷାଦାନର ସୁବିଧାକୁ ନେଇ ଯେଉଁ ତାରତମ୍ୟ ଥିଲା ତାହା ଏବେ ଦୂର ହୋଇପାରୁଛି ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ।

ସ୍ମାର୍ଟ କ୍ଲାସ୍ ଦ୍ୱାରା ପିଲାମାନେ ଏକ ନୂଆ ଅନୁଭୂତି ପାଉଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଭିଡିଓ, ବିଭିନ୍ନ ପ୍ରକାରର ଆନିମେସନ ଏବଂ ପିପିଟି ବ୍ୟବହାର କରି ପିଲାଙ୍କୁ ପାଠ ପାଉଛନ୍ତି। ସେହିପରି ସ୍କୁଲରେ ଆଧୁନିକ ବିଜ୍ଞାନାଗାର ହେବା ଫଳରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବୈଜ୍ଞାନିକ ଉପକରଣ ବ୍ୟବହାର କରିପାରୁଛନ୍ତି। ଫଳରେ ସେମାନଙ୍କ ମନରେ ବୈଜ୍ଞାନିକ ଓ ଗବେଷଣା ମନୋଭାବ ସୃଷ୍ଟି ହୋଇପାରୁଛି କମ୍ପ୍ୟୁଟର ଲ୍ୟାବ୍ ଏବଂ ଇ-ଲାଇବ୍ରେରି ପିଲାଙ୍କୁ ଦେଶ ଦୁନିଆ ସହ ଯୋଡ଼ି ପାରିଛି। ସ୍କୁଲର ସାମଗ୍ରିକ ପରିବେଶରେ ବ୍ୟାପକ ଉନ୍ନତି ଏବଂ କ୍ରୀଡ଼ାର ବିକାଶ ସହ ବିଶୁଦ୍ଧ ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଏବେ ପ୍ରତିଟି ରୂପାନ୍ତରିତ ହାଇସ୍କୁଲ ପାଇଁ ଆକର୍ଷଣ ପାଲଟିଛି।

ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକ୍ ଏବଂ ୩ଟି ପୌରପାଳିକାରେ ରୂପାନ୍ତରିତ ୬୭ଟି ସରକାରୀ ହାଇସ୍କୁଲର ଲୋକାର୍ପଣ ହୋଇଯାଇଛି। ପର୍ଯ୍ୟାୟକ୍ରମେ ଅନ୍ୟ ବିଦ୍ୟାଳୟଗୁଡ଼ିକର ରୂପାନ୍ତରିତ କାର୍ଯ୍ୟ ଚାଲିଛି।

ଲୋକାର୍ପଣ ଉତ୍ସବରେ ଛାତ୍ରୀ ସିରିନ୍ କୌଶର୍ କହିଛନ୍ତି ଯେ, ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଏହି ଆଖିଦୃଶିଆ ରୂପାନ୍ତରଣ ଫଳରେ ଏବେ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ନୂଆ ଉଚ୍ଚତାକୁ ଛୁଇଁ ପାରିବ ତାଙ୍କ ଭାଷାରେ – ‘‘ଆମେ ପଢ଼ିବୁ, ବଢ଼ିବୁ ଏବଂ ଓଡ଼ିଶା ପାଇଁ ସୁନାମ ଆଣିବୁ।’’

Comments are closed.