ସ୍ୱାଧୀନତାର ପ୍ରଥମ ପୁଲକ

- ବିପିନ ବିହାରୀ ମିଶ୍ର

୧୯୩୦ ମସିହା। ବର୍ଷ ଆରମ୍ଭରୁ ମହାତ୍ମା ଗାନ୍ଧୀଙ୍କର ନିବେଦନ ଥିଲା ଯେ ସମସ୍ତ ଭାରତୀୟ ଜାନୁଆରୀ ମାସ ଶେଷ ରବିବାର ଦିନ ସ୍ୱାଧୀନତା ଦିବସ ପାଳନ କରିବେ। କୌଣସି ହିଂସା ହେବନାହିଁ, ସମସ୍ତେ କେବଳ ଗଠନମୂଳକ କାର୍ୟ୍ୟ ଯଥା ସୂତାକାଟିବା, ଦେଶୀପୋଷାକ ପିନ୍ଧିବା, ନିଶାନିବାରଣ ପାଇଁ ପ୍ରବର୍ତ୍ତାଇବା, ଅସ୍ପୃଶ୍ୟତା ନିବାରଣ କରିବା, ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଭ୍ରାତୃତ୍ୱ ବୃଦ୍ଧି କରିବା ଇତ୍ୟାଦି କାର୍ୟ୍ୟକରିବା ପାଇଁ ସେ ସ୍ୱତନ୍ତ୍ର ଅନୁରୋଧ କଲେ। ସାରା ଭାରତବାସୀଙ୍କର ପ୍ରତିକ୍ରିୟା ଥିଲା ସତେ ଯେମିତି ସ୍ୱାଧୀନତା ମିଳିଗଲା। ସେଇ ବର୍ଷ କଂଗ୍ରେସର ଅଧିବେଶନ ହେଲା ଲାହୋରରେ (ବର୍ତ୍ତମାନ ପାକିସ୍ତାନ) ଓ ଶ୍ରୀ ନେହେରୁ ହେଲେ ସଭାପତି। ତାଙ୍କ ଆତ୍ମଜୀବନୀରେ ଲେଖା ହେଉଛି ଯେ ବଡ଼ବଡ଼ ସହରମାନଙ୍କରେ, ଗଳି କନ୍ଦିରେ ପ୍ରତିଯୋଗିତା ଚାଲିଲା ସ୍ୱାଧୀନତା ଦିବସ ପାଳନ କରିବା ପାଇଁ। ଏପରି କି ଗାଁମାନଙ୍କରେ ‘ମହାତ୍ମା ଗାନ୍ଧୀ କି ଜୟ’, ‘ଭାରତମାତା କି ଜୟ’ ଧ୍ୱନି କରି ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱାଧୀନତାର ବାର୍ତ୍ତା ପଠାଇଲେ ପ୍ରତ୍ୟେକ ଭାରତୀୟଙ୍କୁ। ସମସ୍ତ ଦେଶବାସୀ ଅଭିଭୂତ ହୋଇଗଲେ।

ସମସ୍ତେ ଆଶାକଲେ ଯେ ସ୍ୱାଧୀନତା ବୋଧହୁଏ ହାତ ପହୁଞ୍ଚରେ। ମହାତ୍ମା ଗାନ୍ଧୀଙ୍କର ଚମ୍ପାରନ ଆନ୍ଦୋଳନ, ସର୍ଦ୍ଦାର ପଟେଲଙ୍କର ବର୍ଦୋଲଇ ଆନ୍ଦୋଳନକୁ ଏହା ଟପିଗଲା। ସମକକ୍ଷ ହେଲା ଲବଣାସତ୍ୟାଗ୍ରହ; କିନ୍ତୁ ସ୍ୱାଧୀନତାପ୍ରେମୀମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଲା ଦୀର୍ଘ ୧୭ବର୍ଷ। ତା’ର ଅନେକ କାରଣ ଅଛି। ସାରା ପୃଥିବୀରେ ମାନ୍ଦାବ୍ୟବସାୟ, ଦ୍ୱିତୀୟ ମହାଯୁଦ୍ଧର ପଦଧ୍ୱନି, କ୍ଷମତା ପିପାସୁ ଜିନ୍ନାଙ୍କର ପାକିସ୍ତାନବାଦୀ, ବାମପନ୍ଥୀମାନଙ୍କର ଇଂରେଜମାନଙ୍କୁ ସମର୍ଥନ ଓ କାଁ ଭାଁ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଦଙ୍ଗା। ଜାଠଦଳର ନେତା ଚର୍ଚ୍ଚିଲ ପ୍ରବଳ ଭାରତ ବିରୋଧୀ ଓ ଗାନ୍ଧୀ ନେହେରୁଙ୍କ ବିଷୟରେ। ସେ ବିଭିନ୍ନ କମିଟି ଇତ୍ୟାଦି ବସାଇଲେ, ଉଦ୍ଦେଶ୍ୟ ଥିଲା ଯେ ଯୁଦ୍ଧ ସମୟରେ ଭାରତରେ କିଛି ଗଣ୍ଡଗୋଳ ନ ହଉ। ତାଙ୍କ ଏହି କୁତ୍ସିତ ମନୋବୃତ୍ତି ଧରାପଡ଼ିଲା ଯେତେବେଳେ ଯୁଦ୍ଧ ସରିବା ପରେ ଜଣେ ସାମ୍ବାଦିକ ତାଙ୍କୁୁ ପଚାରିଲେ; ଭାରତ କେବେ ସ୍ୱାଧୀନ ହେବ? ତାଙ୍କ ଉତ୍ତର ଥିଲା, ମୁଁ କ’ଣ ସମ୍ରାଟଙ୍କର ପ୍ରଧାନମନ୍ତ୍ରୀ ହେଇଛି ସାମ୍ରାଜ୍ୟକୁୁ ଖଣ୍ଡଖଣ୍ଡ କରିଦେବା ପାଇଁ? ଯୁଦ୍ଧ ପରେ ହୋଇଥିବା ନିର୍ବାଚନରେ ସେ ହାରିଗଲେ, ଜିତିଥିଲେ ପାରୁପର୍ୟ୍ୟନ୍ତ ଚେଷ୍ଟା କରିଥାନ୍ତେ ଭାରତର ସ୍ୱାଧୀନତାକୁ ବନ୍ଦ କରିବାକୁ।

ପାଠକମାନଙ୍କୁ ମନେ ପକାଇଦେବା ପାଇଁ ଚାହେଁ ଯେ ଏ ଦ୍ୱିତୀୟ ମହାଯୁଦ୍ଧ ସମୟରେ ଯେତେବେଳେ ଜାପାନ ସିଙ୍ଗାପୁର ଆଦି ଦଖଲ କରି ବର୍ମା ଆଡ଼ୁ ଭାରତକୁ ଆକ୍ରମଣ କଲା ସେତେବେଳେ ମାଉଣ୍ଟବ୍ୟାଟନଙ୍କୁ ମୁଖ୍ୟ ସେନାପତି ଭାବରେ ପଠାଗଲା। ଯୁଦ୍ଧରେ ଇଂଲଣ୍ଡ ଆମେରିକା ଜିତିବା ପରେ ଜର୍ମାନୀରେ ଫିଲ୍ଡ ମାର୍ଶାଲ ମଣ୍ଟେଗୋମରୀ, ଜାପାନରେ ଜେନେରାଲ ଡଗଲାସ ମ୍ୟାକ ଆର୍ଥର ଓ ସିଙ୍ଗାପୁରରେ ଭାଇସ ଆଡ଼ମିରାଲ ମାଉଣ୍ଟବେଟେନ୍‌ଙ୍କ ନିକଟରେ ଜର୍ମାନୀ ଓ ଜାପାନ ଆତ୍ମସମର୍ପଣ କଲେ। ବିବାହ କରିବା ସମୟରେ ମାଉଣ୍ଟବେଟେନ ଯେତିକି ଖୁସିଥିଲେ, ତା’ଠାରୁ ବୋଧହୁଏ ବେଶୀ ଖୁସିଥିଲେ ଏଇ ଆତ୍ମସମର୍ପଣରେ। ଧଳା ପୋଷାକ ପିନ୍ଧି, ମେଡ଼ାଲ ଝୁଲାଇ ମାଉଣ୍ଟବେଟେନଙ୍କ ସାଙ୍ଗରେ ତାଙ୍କ ସେନାପତିମାନେ ବସିଲେ ଓ ସାମ୍ନାରେ ବସିଲେ ଜାପାନର ସେନାପତିମାନେ ମୁଣ୍ଡପୋତି। ଏ ସମସ୍ତ ବର୍ଣ୍ଣନା ଦରକାର କାରଣ ଦେଶବାସୀମାନେ ଜାଣିବା ପାଇଁ ଚାହୁଁଥିବେ ଯେ କେଉଁ ହିସାବରେ ଅଗଷ୍ଟ ପନ୍ଦରକୁ ବଛାଗଲା? କାରଣ ୧୯୩୦ରେ ଜାନୁଆରୀ ଶେଷ ରବିବାରକୁ ସ୍ୱାଧୀନତା ଦିବସ ବୋଲି ମହାତ୍ମା ଗାନ୍ଧୀ କହିଥିଲେ; କିନ୍ତୁ ଅଗଷ୍ଟ ପନ୍ଦର ତାରିଖ ସହିତ ମାଉଣ୍ଟବେଟେନଙ୍କର ଭାବ ପ୍ରବଣତା ସମ୍ପୃକ୍ତ ଥିଲା।

ଆମ ପାଇଁ ଆନନ୍ଦ ଉଲ୍ଲାସର କଥା, ତାଙ୍କ ପାଇଁ ଭାବପ୍ରବଣତା ଓ ବୀରଦର୍ପତାର କଥା। ସେତେବେଳେ ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ ଚାଲିଥାଏ, ସୈନ୍ୟବିଭାଗର ଅଫିସର, ଆଇ.ସି.ଏସ, ଆଇ.ପି. ସମେତ ବଡ଼ ଅଫିସରମାନଙ୍କର ଭାଗଭାଗ ହବା, ଶରଣାର୍ଥୀଙ୍କର ଥଇଥାନ ଏବଂ ଆହୁରି ଅନେକ ସମସ୍ୟାର ବୋଝଥିଲା ଭାରତୀୟ ନେତାମାନଙ୍କ ମୁଣ୍ଡରେ। ତେଣୁ ମାଉଣ୍ଟବେଟେନଙ୍କୁ ଅସନ୍ତୁଷ୍ଟ ନକରିବା ପାଇଁ ଆମ ନେତାମାନେ ଚାହିଁଲେ। ବରଂ ପଣ୍ଡିତ ନେହେରୁ ଓ ଜିନ୍ନାଙ୍କ ମଧ୍ୟରେ ମୌଖିକ ରାଜିନାମା ହେଲା ଯେ ମାଉଣ୍ଟବେଟେନ ଉଭୟ ଭାରତ, ପାକିସ୍ତାନର ଗଭର୍ଣ୍ଣର ଜେନେରାଲ ହେବେ; କିନ୍ତୁ ଜିନ୍ନା ସ୍ୱାଧୀନତା ଦିବସର ତାରିଖ ଠିକଣା ହେଲାପରେ ନିଜେ ପାକିସ୍ତାନର ଗଭର୍ଣ୍ଣର ଜେନେରାଲ ହୋଇଗଲେ। ବୁଦ୍ଧିମାନ ଓ ଧୂର୍ତ୍ତ ଜିନ୍ନା ଏହାଦ୍ୱାରା ମସ୍ତବଡ଼ ଭୁଲ୍‌କଲେ। ପ୍ରଥମ ହେଲା ଯେ ସେ ଗଭର୍ଣ୍ଣର ଜେନେରାଲଙ୍କଠାରେ ସମସ୍ତ କ୍ଷମତା ଠୁଳକଲେ ଓ ପ୍ରଧାନମନ୍ତ୍ରୀଙ୍କର କୌଣସି ପ୍ରାଧାନ୍ୟ ରହିଲା ନାହିଁ। ଭବିଷ୍ୟତରେ (୧୯୫୮) ଯେଉଁ ସାମରିକ ଶାସନହେଲା ସେଥିପାଇଁ ଜିନ୍ନା ବହୁ ପରିମାଣରେ ଦାୟୀ। ଦ୍ୱିତୀୟ ଭୁଲ ହେଲା ଯେ ମାଉଣ୍ଟବେଟେନ ଅପମାନିତ ହେଲେ ଓ ସେ ସମ୍ପୂର୍ଣ୍ଣ ଭାବରେ ଭାରତକୁ ସମର୍ଥନ କଲେ। ସର୍ଦାର ପଟେଲ ଦେଶୀୟ ରାଜ୍ୟମାନଙ୍କୁ ମିଶ୍ରଣ ପାଇଁ ଯେଉଁ ଚେଷ୍ଟାକଲେ ସେଥିରେ ମାଉଣ୍ଟବେଟେନଙ୍କ ସମର୍ଥନ ଥିଲା ଯଦିବା ବିରୋଧୀ ଦଳର ନେତା ଚର୍ଚ୍ଚିଲ ଚାହୁଁଥିଲେ ଭାରତ ଖଣ୍ଡଖଣ୍ଡ ହେଇଯାଉ। ପ୍ରତ୍ୟେକ ଦେଶୀୟ ରାଜ୍ୟ ଏକ ଏକ ରାଷ୍ଟ୍ର ହେଇଯାଉ।

ଅଗଷ୍ଟ ପନ୍ଦରରେ ସ୍ୱାଧୀନତା ହେଉଛି ଜାଣି ଜ୍ୟୋତିଷମାନେ ଲାଗିପଡ଼ିଲେ ରାଶିଚକ୍ର ଅନୁଧ୍ୟାନ କରିବା ପାଇଁ ଏବଂ ଅଧିକାଂଶ ମତ ଦେଲେ ଯେ ପ୍ରବଳ ଭାବରେ ଅଶୁଭ ଦିନ। ଚଉଦ ତାରିଖରେ କରାଯାଉ। ପଣ୍ଡିତ ନେହେରୁ ଜ୍ୟୋତିଷଶାସ୍ତ୍ରରେ ବିଶ୍ୱାସ କରୁନଥିଲେ; କିନ୍ତୁ ତାଙ୍କର ଅଧିକାଂଶ ସହକର୍ମୀ ଏପରିକି ଇନ୍ଦିରା ଗାନ୍ଧୀ ବିଶ୍ୱାସ କରୁଥିଲେ ବୋଲି ଅଧିକାଂଶଙ୍କର ଧାରଣା। ମାଉଣ୍ଟବେଟେନଙ୍କର ଜିଦ୍‌ ଓ ଜ୍ୟୋତିଷଙ୍କର ଦୃଢ଼ୋକ୍ତିର ଗୋଲକଧନ୍ଦାରେ ପଡ଼ି ନେହେରୁ ଅନେକଙ୍କର ମତ ନେଲେ ଏବଂ ଜଣେ ବିଜ୍ଞ ବ୍ୟକ୍ତିଙ୍କର ପ୍ରସ୍ତାବ ସମସ୍ତଙ୍କୁ ସୁହାଇଲା। ସେ କହିଲେ ଯେ ଆମ ହିନ୍ଦୁମାନଙ୍କର ଦିନ ଆରମ୍ଭ ହୁଏ ସୂର୍ଯ୍ୟୋଦୟ ସମୟରେ। ପାଶ୍ଚାତ୍ୟ ଦେଶମାନଙ୍କର ଦିନ ଆରମ୍ଭ ହୁଏ ରାତି ବାରଟାପରେ। ତେଣୁ ବାରଟା ପାଞ୍ଚ ଦଶ ମିନିଟ ପରେ ଯଦି ସ୍ୱାଧୀନତା ଘୋଷଣା କରାଯାଏ ତେବେ ଗ୍ରହମାନଙ୍କର କୋପ ଓ ମାଉଣ୍ଟବେଟେନଙ୍କର ଜିଦ୍‌ରୁ ରକ୍ଷାପାଇବା। ଅନେକ ଜାଣିବାକୁ ଇଚ୍ଛୁକଥିବେ ଯେ ରାତି ଅଧରେ କାହିଁକି ସ୍ୱାଧୀନତା ଘୋଷଣା କରାଗଲା ଓ ଏହାର ଏହି ଉତ୍ତର ଦେଇଛନ୍ତି ଐତିହାସିକମାନେ।

୧୮୫୭ ମସିହାରେ ଦକ୍ଷିଣଭାରତର କେତେକ ସ୍ଥାନ ଛାଡ଼ି ପ୍ରାୟ ସବୁ ସ୍ଥାନରେ ସିପାହୀ ବିଦ୍ରୋହ ହେଲା। ତାକୁ ଆମ ଐତିହାସିକମାନେ ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ବୋଲି କହିଲେ ଓ ସମର୍ଥିତ ହେଲେ। ସ୍ୱାଧୀନତାର ବୀଜ ବୁଣାଗଲା ସେଇ ବର୍ଷ ଓ ଫଳ ଫଳିଲା ନବେ ବର୍ଷ ପରେ। ଅନେକ ଇଂରେଜ ଇଂଲଣ୍ଡକୁ ଫେରିଗଲେଣି। ସେମାନଙ୍କ ମଧ୍ୟରୁ ଅନେକେ ଆଇସିଏସ ଓ ଆଇପିଏସ ଅଫିସର। ସେମାନେ ଧୋତିପିନ୍ଧା ଭାରତୀୟଙ୍କ ଦ୍ୱାରା ଶାସିତ ହେବେନାହିଁ ବୋଲି ସ୍ଥିର କଲେ। ଜଣେ ଇଂରେଜ ହାକିମ ହତାଶ ଓ କ୍ଷୁବ୍ଧ ହୋଇ ଲେଖିଲେ, ‘କାହିଁ ଗଲା କୋଟ, ସୁଟ୍‌ ଓ ଟାଇ, ଆସିଲେ ଧୋତି ଓ ଗାନ୍ଧୀଟୋପି ପିନ୍ଧା ସାଧାରଣ ଭାରତୀୟ ଗୁଡ଼ାଏ।’ ସେମାନଙ୍କ ପାଇଁ ସବୁଠାରୁ ବିରକ୍ତିକର ଘଟଣା ଥିଲା ଯେ କଲିକତାରେ ଜଣେ ଭାରତୀୟ ଇଂରେଜ ଗଭର୍ଣ୍ଣରଙ୍କ ମୁଣ୍ଡରେ ଗାନ୍ଧୀ ଟୋପିଟିଏ ଲଗେଇ ଦେଲେ। କହିଲେ ଜଣେ ଇଂରେଜ ‘ସରିଗଲା ଇଂରେଜ ରାଜତ୍ୱ ଓ ସାରା ବିଶ୍ୱରେ ଇଂଲଣ୍ଡର ପ୍ରଭୁତ୍ୱ।’

ଭାରତର ପ୍ରତ୍ୟେକ ଗାଁରେ, ସହରରେ ପତାକାଧରି ଓ ଗାନ୍ଧୀଟୋପି ପିନ୍ଧି ସବୁଧର୍ମ ଓ ଜାତିର ଲୋକ ‘ମହାତ୍ମା ଗାନ୍ଧୀକି ଜୟ’ ‘ଭାରତ ମାତାକି ଜୟ’ର ସ୍ଲୋଗାନ ଦେଇ ଶୋଭାଯାତ୍ରା କଲେ। କୌଣସି ସ୍ୱତନ୍ତ୍ର ନିୟମ ସେତେବେଳେ ହୋଇ ନଥିଲା। ତେଣୁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ପାଳନ କରାଗଲା। ବମ୍ବେରେ ମେୟର ତାଜ ହୋଟେଲରେ ଧ୍ୱଜା ଉତ୍ତୋଳନ କଲେ। ଆସାମରେ ଗଭର୍ଣ୍ଣରଙ୍କର ଅଧ୍ୟକ୍ଷତାରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ଯୁବକ ଓ ଯୁବତୀ ପତାକା ଉତ୍ତୋଳନ କଲେ ଓ ବାଜିଲା ବାଇଦ, ଡେଙ୍ଗୁରା ଓ ଫୁଙ୍କାଗଲା ପେଁକାଳି। ଚର୍ଚ୍ଚିଲ କହିଥିଲେ କି, ‘ସ୍ୱାଧୀନତା ହେଲାମାତ୍ରେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ହାଣକାଟ ହେବ ଓ ଦେଶ ଖଣ୍ଡଖଣ୍ଡ ହୋଇଯିବ। ଭାରତରେ କେବେ ଏକତା ନଥିଲା ଓ କେବେ ରହିବ ନାହିଁ।’

ଅନେକ ଇଂରେଜ ଓ ଆମେରିକୀୟ ବୁଦ୍ଧିଜୀବୀ ଏ ମତକୁ ସମର୍ଥନ କରୁଥିଲେ। ଉତ୍ତର ମିଳିଲା ବନାରସର ଏକ ବିଶିଷ୍ଟ ଘଟଣାରୁ, ଯଥା- ହିନ୍ଦୁମାନଙ୍କର ପବିତ୍ର ମନ୍ଦିରରେ ଜଣେ ମୁସଲମାନ ପତାକା ଉତ୍ତୋଳନ କରିବାର। ସାରା ପୃଥିବୀର ପର୍ୟ୍ୟବେକ୍ଷକମାନେ ଚକିତ ହୋଇଗଲେ ଓ ପ୍ରଶ୍ନକଲେ, ‘ଭାରତୀୟମାନେ ନିଜେ ଖଣ୍ଡଖଣ୍ଡ ହେବା ପାଇଁ ଚାହୁଁଥିଲେ ନା ସେମାନଙ୍କୁ ଖଣ୍ଡଖଣ୍ଡ କରି ଦିଆଗଲା?’
ଦିଲ୍ଲୀରେ ଲେଜିସ୍ଲେଟିଭ କାଉନସିଲ୍‌ (ପାର୍ଲାମେଣ୍ଟ) ହେଲା ଉଦ୍ଭାସିତ। ସନ୍ଧ୍ୟାବେଳୁ ଅତିଥିମାନଙ୍କୁ ନେଇ ଭରପୂର। ରାତି ଗୋଟାଏରେ ‘ବନ୍ଦେ ମାତରମ୍‌…’ ବୋଲାଗଲା। ଦୁଇ ମିନିଟ ନିରବ ପ୍ରାର୍ଥନା କରାଗଲା ସହିଦମାନଙ୍କର ଆତ୍ମାର ସଦଗତି ପାଇଁ। ସାରା ଦେଶର ଲୋକେ ରେଡିଓକୁ କାନେଇଲେ। ଯେଉଁମାନଙ୍କର ଘରେ ରେଡିଓ ଥିଲା ଓ ଦୋକାନ ହୋଟେଲମାନଙ୍କରେ ପ୍ରବଳ ଭିଡ଼ ଓ ଠେଲାପେଲା। ସମସ୍ତେ ଚାହୁଁଥିଲେ ଶୁଣିବାପାଇଁ ମହାତ୍ମା ଗାନ୍ଧୀ, ନେହେରୁ ଓ ଅନ୍ୟମାନଙ୍କୁ। ରେଡିଓ ସେମାନଙ୍କୁ ନିରାଶ କଲାନାହିଁ।

ପ୍ରଥମେ ଜଣେ ମୁସଲମାନ ନେତା ଚୌଧୁରୀ ଖଲି କ୍ୱାଜାମନ୍‌ ହିନ୍ଦୀ ଭାଷାରେ ରାଷ୍ଟ୍ରୀୟ ଏକତା ପାଇଁ ନିବେଦନ କଲେ। ‘ସମସ୍ତ ମୁସଲମାନ ଭାଇମାନେ ଭାରତବର୍ଷର ଜନ୍ମ ହେଇଛନ୍ତି ଓ ଏହାକୁ ଜନ୍ମଭୂମି ଭାବେ ଗ୍ରହଣ କରିଛନ୍ତି ଓ କରିବେ ମଧ୍ୟ। ଧଳାଧୋତି, ଧଳା ଲମ୍ବା କୁର୍ତ୍ତା ଓ ଧଳା ପଗଡ଼ି ପିନ୍ଧି ବିଶିଷ୍ଟ ଦାର୍ଶନିକ ଓ ବାଗ୍ମୀ ଡକ୍ଟର ରାଧାକ୍ରିଷ୍ଣନ ଭାଷଣ ଦେଇ ସମସ୍ତଙ୍କୁ ଚକିତ କରିଦେଲେ। ତାଙ୍କର ପ୍ରତ୍ୟେକ ଶବ୍ଦ ମୁ୍‌କ୍ତାପରି ବାହାରୁଥିଲା ପାଟିରୁ ରହିରହି। ତାଙ୍କ ପରେ କହିଲେ ପଣ୍ଡିତ ନେହେରୁ। ସେ ଧଳା ଚିପା ପାଇଜାମା ସାଙ୍ଗରେ ଲମ୍ବା ଧଳା କୁର୍ତ୍ତା ଓ ଧଳା ଜ୍ୟାକେଟ ଓ ଧଳା ଗାନ୍ଧୀ ଟୋପି ପିନ୍ଧି ଯେତେବେଳେ ମାଇକ ପାଖକୁ ଗଲେ ସାରା ପାର୍ଲାମେଣ୍ଟ ଭବନ କରତାଳିରେ ଫାଟି ପଡ଼ିଲା। ବାହାରେ ପୁଲିସ ଓ ସୈନ୍ୟବାହିନୀ ନାକେଦମ। ଲୋକଙ୍କ ସାଙ୍ଗେ ଠେଲାପେଲା। ସମସ୍ତେ ‘ଭାରତମାତା କି ଜୟ’, ‘ମହାତ୍ମା ଗାନ୍ଧୀକି ଜୟ’ କହି ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରୁଥାନ୍ତି। ଠିକ୍‌ ସମୟରେ ଜଣେ ପୁଲିସ ଅଫିସର ନିଷ୍ପତ୍ତି ନେଲେ ପାର୍ଲାମେଣ୍ଟର ସବୁ କବାଟ ବନ୍ଦ କରିଦେବା ପାଇଁ। ଅନେକ ନେତା ଜନତାଙ୍କୁ ଅନୁରୋଧ କରୁଥାନ୍ତି ଶୃଙ୍ଖଳିତ ହୋଇ ରହିବା ପାଇଁ; କିନ୍ତୁ ସେମାନଙ୍କର ଉତ୍ସାହ, ଉଦ୍ଦୀପନାର ବିରାଟ ଲହଡ଼ିକୁ ସମ୍ଭାଳିବା ପାଇଁ ସମର୍ଥ ହେଲେ ନାହିଁ। ଉତ୍ସାହ ଆହୁରି ବଢ଼ିଗଲା ଯେତେବେଳେ ନେହେରୁ କହିଲେ ଓ ଲାଉଡ୍‌ ସ୍ପିକରରେ ଶୁଣାଗଲା। ‘ଯେତେବେଳେ ମଧ୍ୟରାତ୍ରିର ଘଣ୍ଟି ବାଜିବ ଓ ସାରା ପୃଥିବୀ ଶୋଇଥିବ ସେତେବେଳେ ଭାରତବର୍ଷ ନୂତନଜୀବନ ଓ ସ୍ୱାଧୀନତା ପାଇଁ ଜାଗିଉଠିବ। ଏଭଳି ମୁହୂର୍ତ୍ତ ଇତିହାସରେ ଦୁର୍ଲଭ। ଆମେ ସେତେବେଳେ ପୁରୁଣାରୁ ନୂଆ ଯୁଗକୁ ଯିବା ସେତେବେଳେ ଆମ ଦେଶର ଏ ପର୍ୟ୍ୟନ୍ତ ଦଳିତ ହୋଇଥିବା ଆତ୍ମାର ପୁନର୍ଜନ୍ମ ହେବ। ପୁଣି ଥରେ ହିନ୍ଦୁ, ମୁସଲମାନ ଓ ଶିଖ୍‌ମାନେ ସମସ୍ୱରରେ ‘ଭାରତ ମାତାକି ଜୟ’ର ଧ୍ୱନି ଦେଲେ।

ରାତି ଅନେକ ହେଲାଣି। ସକାଳ ସାଢ଼େ ଆଠଟାବେଳେ ପୁଣି ଅନ୍ୟାନ୍ୟ କାର୍ୟ୍ୟକ୍ରମ। ମାଉଣ୍ଟବେଟେନ ଭାରତୀୟ ନ ହୋଇକି ଗଭର୍ଣ୍ଣର ଜେନେରାଲ ଭାବରେ ଶପଥ ନେଲେ ଓ ମନ୍ତ୍ରୀମାନଙ୍କୁ ଶପଥ କରାଇବେ। ସେ ପଣ୍ଡିତ ନେହେରୁଙ୍କୁ ମନ୍ତ୍ରୀମାନଙ୍କ ତାଲିକା ମାଗିଲେ ଓ ପଣ୍ଡିତଜୀ ତାଙ୍କୁ ଏକ ଲଫାପା ଦେଲେ। ପରେ ମାଉଣ୍ଟବେଟେନ ଲଫାପା ଖୋଲି ଦେଖିଲେ ନେହେରୁ ଭୁଲ୍‌ରେ ସାଦା କାଗଜ ଖଣ୍ଡେ ପୂରାଇ ଦେଇଛନ୍ତି। ଶପଥଗ୍ରହଣ ପୂର୍ବରୁ ସେ ତାଲିକା ଥିବା କାଗଜ ପଠାଇଲେ। ଘଟଣାଟି କୌତୂହଳପୂର୍ଣ୍ଣ ଓ ଗାମ୍ଭୀର୍ୟ୍ୟର ଅଭାବ ବୋଲି କୁହାଯାଇପାରେ; କିନ୍ତୁ ସ୍ଥାନେସ୍ଥାନେ ବିଉଙ୍ଗ ହେଲେ କାବ୍ୟରେ ମାଧୁର୍ୟ୍ୟ ଆସେ ବୋଲି ସାହିତ୍ୟିକମାନେ କହନ୍ତି।

କିଏ ମନ୍ତ୍ରୀ ହେବେ? କେତେଜଣ ମନ୍ତ୍ରୀ ହେବେ? କାହାକୁ ନେବେ, କାହାକୁ ଛାଡ଼ିବେ? କ’ଣ ଯୋଗ୍ୟତା ଦେଖାଯିବ? ଯୁଆଡ଼କୁ ଅନେଇବ ଖାଲି ବଡ଼ବଡ଼ ନେତା ଓ ପ୍ରତ୍ୟେକ ଇତିହାସରେ ପାଦଚିହ୍ନ ଛାଡ଼ିବା ଯୋଗ୍ୟ। ସର୍ଦାର ପଟେଲ, ମୌଲାନା ଅବୁଲ୍‌କାଲାମ ଆଜାଦଙ୍କ ପରାମର୍ଶ ନେଇ ସେ ପନ୍ଦରଜଣ ମନ୍ତ୍ରୀଙ୍କୁ ବାଛିଲେ। ସେମାନଙ୍କ ମଧ୍ୟରେ ଥିଲେ ଅଣକଂଗ୍ରେସ ନେତା ତିନିଜଣ।
ସନ୍‌ମୁଖ ଚେଟ୍ଟୀ, ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ବିଆର ଆମ୍ବେଦକରଙ୍କୁ ମନ୍ତ୍ରିମଣ୍ଡଳରେ ନେଇ ପରମ ସହିଷ୍ଣୁତାର ଉଦାହରଣ ଦେଲେ। ଏଇମାନେ କମ୍ୟୁନିଷ୍ଟ ନେତାଙ୍କ ସହିତ ମିଶି ଏକଦା ସ୍ୱାଧୀନତା ଆନ୍ଦୋଳନକୁ ବିରୋଧ କରୁଥିଲେ। ତା’ଛଡ଼ା ମୁଖାର୍ଜୀ ଥିଲେ ଘୋର କଂଗ୍ରେସ ବିରୋଧୀ ଓ ଆମ୍ବେଦକର ମହାତ୍ମା ଗାନ୍ଧୀଙ୍କୁ ବିରୋଧ କରୁଥିଲେ। ସକାଳ ସାଢ଼େ ଆଠଟାରେ ଶପଥଗ୍ରହଣ ହେବାମାତ୍ରେ ହୃଦୟତନ୍ତ୍ରୀକୁ ଥରେଇଦେବା ମୁହୂର୍ତ୍ତ ଆସିଲା। ବିଗୁଲବାଦନ ଓ ପେପଧ୍ୱନି ସାଙ୍ଗରେ ଯେତେବେଳେ ବ୍ରିଟିଶ ପତାକା ଖସୁଥାଏ ଓ ଆମ ଜାତୀୟପତାକା ଶୀର୍ଷସ୍ଥାନକୁ ଉଠୁଥାଏ, ଘନଘନ କରତାଳି, ବନ୍ଦେ ମାତରମ୍‌ ଓ ମହାତ୍ମା ଗାନ୍ଧୀ କି ଜୟ ସହିତ ଅନେକ କାନ୍ଦକାନ୍ଦ ହେଇଯାଉଥାନ୍ତି। ନିଖୋଜ ହୋଇଥିବା ପୁଅଟି ବହୁ ବର୍ଷପରେ ମା’ପାଖକୁ ଫେରି ଆସିଲେ ମା’ର ଯାହା ଭାବାବେଗ ହୁଏ ଠିକ୍‌ ସେଇପରି ଲକ୍ଷଣ ଅନେକଙ୍କ ଠାରେ ଦେଖାଗଲା।

‘ମହାତ୍ମା ଗାନ୍ଧୀକି ଜୟ’, କିନ୍ତୁ ମହାତ୍ମା ଗାନ୍ଧୀ ଥିଲେ କେଉଁଠି? ସତେଇଶ ବର୍ଷର ଯୁଦ୍ଧ ଜିତିଥିବା ପ୍ରଧାନ ସେନାପତି ଉତ୍ସବ ପାଳନ କରୁନଥିଲେ। ପୂର୍ବଦିନ ରାତ୍ରିରେ ଜଣେ ବକ୍ତା କହିଥିଲେ ଚାଲନ୍ତୁ, ଆଜିର ଦିବସ ମହାତ୍ମାଙ୍କୁ ସମର୍ପି ଦେବା। ତା’ପରେ ଭୀଷଣ କରତାଳି ଓ ‘ମହାତ୍ମାଗାନ୍ଧୀଙ୍କ ଜୟ’ର ଧ୍ୱନି। ସେ ଧ୍ୱନି ଓ କରତାଳି ମହାତ୍ମାଙ୍କ କାନରେ ପଡ଼ିଲା ନାହିଁ। ସେ କଲିକତାର ଜଣେ ଗରିବ ଲୋକର ଖଟିଆରେ ବିଷଣ୍ଣ ହୋଇ ବସିଥାନ୍ତି। ଜଣେ କେହି ପ୍ରଶ୍ନ କରିବାରୁ ଉତ୍ତର ଦେଲେ, କାହାର ସ୍ୱାଧୀନତା, କି ସ୍ୱାଧୀନତା? ଭାରତର ଏକ ଅଙ୍ଗ କଟିଗଲା। ହିନ୍ଦୁ, ମୁସଲମାନଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଗଣମାଧ୍ୟମ କହିଲେ ଦେଶପ୍ରତି ଏକ ବର୍ତ୍ତା ଦିଅନ୍ତୁ ଓ ଗାନ୍ଧିଜୀ ମୁହଁ ଶୁଖେଇ କହିଲେ- କି ବାର୍ତ୍ତା ଦେବି ? ବାର୍ତ୍ତା ସରିଗଲା, ଶବ୍ଦ ସରିଗଲା, ସବୁକିଛି ସରିଗଲା। କାହିଁକି ଉତ୍ସବ ପାଳନ କରୁଛ? ଲୋକ ଭୋକରେ ମରୁଛନ୍ତି, ଦଙ୍ଗାହଙ୍ଗାମା ଚାଲିଛି, ଅଥଚ ଉତ୍ସବ ପାଳନ। ମୋ ପାଇଁ ଏହା ଏକ କଳାଦିବସ ଓ ମୁଁ ଉପବାସ କରିବି।’
ସାରା ପୃଥିବୀ ଅନେଇ ରହିଥିଲା ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଶୁଣିବା ପାଇଁ। ବିବିସି ଓ ହିନ୍ଦୁସ୍ତାନ ଟାଇମ୍‌ସର ପ୍ରତିନିଧିମାନେ ବାରମ୍ବାର ଅନୁରୋଧ କଲେ ଏକ ବାର୍ତ୍ତା ଦେବା ପାଇଁ। ମହାତ୍ମା ଗାନ୍ଧୀ କହିଲେ, ‘ଯାଅ, ଜବାହରକୁ କହିବ।’ ସେୟା ଥିଲା ତାଙ୍କର ବାର୍ତ୍ତା। ‘ଯାଅ ଜବାହରକୁ ପଚାର’- ଏ ବାର୍ତ୍ତାର ବିଭିନ୍ନ ଅର୍ଥ ବାହାର କରାଯାଇପାରେ।

Comments are closed.