MEllora 950×100

ଜର୍ମାନୀରେ ପ୍ରବାସୀ ଭାରତୀୟ

ଆଜି ମୋର ଜର୍ମାନୀରେ ବସବାସ କରି ରହିବା ୬୨ବର୍ଷ ପୂରିଗଲା। ୧୯୬୦ ମସିହା ନଭେମ୍ବର ୨୨ ତାରିଖ ମୁଁ କଟକରୁ ବିଦାୟ ନେଇଥିଲି। ଓଡ଼ିଶା ମୋର ଜନ୍ମଭୂମି, ଜର୍ମାନୀ ମୋର ପିତୃଭୂମି। ଏଇ ଜର୍ମାନୀ ଦେଶ ମୋତେ ୬୨ ବର୍ଷ ଧରି ଆଶ୍ରୟ ଦେଇଛି। ୬୨ ବର୍ଷ ତଳେ ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଜର୍ମାନୀକୁ ଦେଖିବାର ସୁଯୋଗ ପାଇଲି ଜର୍ମାନୀ ବରଫରେ ଏକ ଧଳା ଚାଦରରେ ଘୋଡ଼ିହୋଇ ଶୋଇଥିବାର ମନେହେଲା। କିଛିବର୍ଷ ଏଠାରେ ରହିବା ପରେ ଦେଖିଲି କେବଳ ଜର୍ମାନୀ ଭୂଇଁରେ ନୁହେଁ ଜର୍ମାନ୍‍ ଲୋକମାନଙ୍କ ମନରୁ ମଧ୍ୟ ଯୁଦ୍ଧର ଦାଗ ନିଭି ନଥାଏ। କେବଳ ଚାପରେ ପଡ଼ି ଏହା ବାହାରକୁ ପ୍ରକାଶ କରିବାକୁ ବୋଧହୁଏ ଜର୍ମାନମାନେ ବାଟ ପାଇନଥାନ୍ତି। ସେହି କାରଣରୁ କେତେକ ରେଳଷ୍ଟେସନ ଓ ଗୀର୍ଜାଘର ଭାଙ୍ଗିରୁଜି ଭୂତ ଭଳି ଠିଆ ହୋଇଥାନ୍ତି। ଆଜିର ଜର୍ମାନୀ ଆଉ ସେ କାଳର ଜର୍ମାନୀ ହୋଇନାହିଁ। ଦୁଇ ଦୁଇଟା ମହାସମରରେ ହାରିଯାଇଥିବା କୌଣସି ଲକ୍ଷଣ ଆମେ ବର୍ତ୍ତମାନର ଜର୍ମାନରୁ ଦେଖିବାକୁ ପାଇବା ନାହିଁ। ଜର୍ମାନୀ ନୂତନ ଜନ୍ମ ଧାରଣ କରିଛି ଓ ଜନ୍ମ ହେବା ସଙ୍ଗେ ସଙ୍ଗେ ପୃଥିବୀରେ ପାରଙ୍ଗମ ହୋଇ ବାହାରିଛି। ଏ ବିଷୟରେ ବିସ୍ତୃତ ଆଲୋଚନା ଅନେକ ପ୍ରବନ୍ଧରେ କରିଛି। ତେବେ ମଧ୍ୟ ସାମାନ୍ୟ କିଛି ସୂଚନା ଦେବାକୁ ଉଚିତ ମନେକଲି। ବର୍ତ୍ତମାନ ମୁଖ୍ୟ ପ୍ରସଙ୍ଗକୁ ଆସିବା। ତାହା ହେଲା ‘ଜର୍ମାନୀରେ ପ୍ରବାସୀ ଭାରତୀୟ’।

ଚାକିରି, ଉଦ୍ୟୋଗ, ବ୍ୟବସାୟ-ବଣିଜ ତଥା ଅନ୍ୟାନ୍ୟ ସୁବିଧା-ସୁଯୋଗ ହାସଲ ପାଇଁ ନିଜ ଦେଶ ଛାଡ଼ି ଅନ୍ୟ ଦେଶକୁ ଚାଲିଯିବା ଆଜିକାଲି ଆଉ ନୂଆ କଥା ନୁହେଁ। ସତୁରି ଦଶକ ପରେ ପରେ ଆରମ୍ଭ ହୋଇଥିବା ଏହି ଧାରା କ୍ରମେ ସାରା ବିଶ୍ୱ ପାଇଁ ଏକ ନିୟମିତ ପ୍ରବାହରେ ପରିଣତ ହେଲାଣି। ଏହା ଦ୍ୱାରା ବିଭିନ୍ନ ଦେଶରେ ପ୍ରବାସୀମାନଙ୍କ ସଂଖ୍ୟା ବଢୁଛି। ଏଇ ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଏକ ଆକଳନରୁ ଜଣାପଡ଼ିଛି ଯେ ପ୍ରାୟ ୩୨ ନିୟୁତ ଭାରତୀୟ ଭାରତ ବାହାରେ ରୁହନ୍ତି ଏବଂ ଏହି ସଂଖ୍ୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଯୁକ୍ତରାଷ୍ଟ୍ର, ବ୍ରିଟେନ ଏବଂ କାନାଡ଼ା ପରି ଦେଶମାନଙ୍କ ତୁଳନାରେ ଜର୍ମାନୀରେ ବସବାସ କରୁଥିବା ଭାରତୀୟମାନଙ୍କ ସଂଖ୍ୟା କମ୍‍ ହେଲେ ମଧ୍ୟ ସମ୍ପ୍ରତି ଜର୍ମାନୀ ସମସ୍ତଙ୍କ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ହୋଇପାରିଛି। ସିଧାସିଧା କହିଲେ ଜର୍ମାନୀ ଏକ ସମୃଦ୍ଧ ଭାରତୀୟ ସମ୍ପ୍ରଦାୟର ଆଶ୍ରୟସ୍ଥଳ ହୋଇପାରିଛି ତେଣୁ ଏଠାରେ ବସବାସ କରୁଥିବା ଭାରତୀୟଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି।

ସରକାରୀ ପରିସଂଖ୍ୟାନ ଅନୁଯାୟୀ ୨୦୨୧ ଶେଷ ସୁଦ୍ଧା ଜର୍ମାନୀରେ ପ୍ରାୟ ୧୭୨୦୦୦ ଭାରତୀୟ ରହୁଥିଲେ। ୨୦୨୧ ମସିହା ଶେଷ ସୁଦ୍ଧା ଜର୍ମାନୀରେ ରହୁଥିବା ପ୍ରାୟ ୫୩୦୦୦ ଭାରତୀୟଙ୍କ ତୁଳନାରେ ଏହା ଯଥେଷ୍ଟ ଅଧିକ ଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ବିଚାର କଲେ ଜଣାଯାଏ ଯେ ପୁରୁଷମାନଙ୍କ ସଂଖ୍ୟା ମହିଳାମାନଙ୍କ ତୁଳନାରେ ବେଶ୍‍ ଅଧିକ। କେବଳ ୬୮୦୦୦ରୁ କମ୍‍ ମହିଳାଙ୍କ ତୁଳନାରେ ଭାରତର ୧୦୪,୦୦୦ରୁ ଅଧିକ ପୁରୁଷ ଜର୍ମାନୀକୁ ନିଜର ଘର ବୋଲି ମାନିଥାନ୍ତି। ଜର୍ମାନୀରେ ଅବସ୍ଥାପିତ ଭାରତୀୟମାନଙ୍କ ମଧ୍ୟରେ ଅଧିକାଂଶ ଯୁବବର୍ଗର। ଏଠାରେ ରହୁଥିବା ଭାରତୀୟ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକ ୨୪ରୁ ୩୩ ବର୍ଷ ମଧ୍ୟରେ ଅଛନ୍ତି; ୪୦ ବର୍ଷ ବା ତଦୂର୍ଦ୍ଧ୍ବ ବୟସର ଲୋକଙ୍କ ସଂଖ୍ୟା ଯଥେଷ୍ଟ କମ୍‍। ପ୍ରାୟ ୨୦୦୦୦ ପିଲା ୧୦ ବର୍ଷ ବୟସ୍କ କିମ୍ବା ତା’ଠାରୁ ସାନ।

ମୁଁ ଯେତେବେଳେ ୧୯୬୦ ମସିହାରେ ଜର୍ମାନୀକୁ ଆସିଥିଲି ସେତେବେଳେ ପଶ୍ଚିମ ଜର୍ମାନୀରେ ଭାରତୀୟଙ୍କ ସଂଖ୍ୟା ପ୍ରାୟ ୧୫୦ରୁ ୧୬୦ ଥିଲା। ତା ମଧ୍ୟରୁ ୫୨ ଜଣ ଭାରତୀୟ ମୋ ପଢୁଥିବା କ୍ଲାଉସ୍ଥଲ ବିଶ୍ୱବିଦ୍ୟାଳୟରେ ମାଇନିଂ ବା ମେଟାଲର୍ଜି ପଢୁଥିଲେ। ଭାରତୀୟମାନେ କେବଳ ଉଚ୍ଚଶିକ୍ଷା ପାଇଁ ବା କୌଣସି ଭାରତୀୟ ସଂସ୍ଥା ତରଫରୁ ବୈଷୟିକ ତାଲିମ୍‍ ପାଇଁ ଜର୍ମାନୀ ଆସୁଥିଲେ। ଏଠାରେ ଚାକିରି କରି ଜୀବନଯାପନ କରି ପ୍ରବାସୀ ହୋଇ ରହିବା ଏ ଦେଶର ସଂବିଧାନରେ ନିଷେଧ ଥିଲା। ଏଇ ୬୨ ବର୍ଷ ଭିତରେ ଅନେକ କିଛି ବଦଳିଯାଇଛି।

ଦ୍ୱିତୀୟ ମହାସମର ପରେ ଓ ଜର୍ମାନୀ ଦେଶର ପୁନର୍ଗଠନ ପରେ କଳ କାରଖାନା ଇତ୍ୟାଦି ଚଳାଇବାକୁ ଶ୍ରମିକର ଅଭାବ ପଡ଼ିଲା। ଏଣୁ ୧୯୫୬ ମସିହାରେ ଜର୍ମାନୀ ସରକାର ତୁର୍କୀ ଦେଶର ପାଞ୍ଚଲକ୍ଷ ଶ୍ରମିକଙ୍କୁ ଜର୍ମାନୀକୁ ଆସିବାକୁ ସୁଯୋଗ ଦେଲେ। ଏହା ଭିତରେ ୬୬ ବର୍ଷ ବିତିଗଲାଣି। ୧୯୫୬ ମସିହାର ସେହି ୫ ଲକ୍ଷଙ୍କ ସଂଖ୍ୟା ବଢ଼ି ବଢ଼ି ବର୍ତ୍ତମାନ ୧୦କୋଟିରେ ପହଞ୍ଚିଲାଣି। ତା’ ମାନେ ଆମ ଓଡ଼ିଶାର ପ୍ରାୟ ସାଢ଼େ ୪ କୋଟିର ଲୋକଙ୍କ ହିସାବରେ ଏହି ଛୋଟିଆ ଜର୍ମାନୀ ଦେଶରେ ଦୁଇଗୁଣରୁ ବହୁତ ବେଶୀ ତୁର୍କୀୟ ଲୋକ ବସବାସ କରନ୍ତି। ପରିଣତ ବୟସରେ (ଷାଠିଏ ବର୍ଷରୁ ଊର୍ଦ୍ଧ୍ବ) ଏମାନଙ୍କ ଭିତରୁ ଅନେକ ନିଜ ଦେଶକୁ ୨/୩ ମାସ କେବଳ ବୁଲିବାକୁ ଯାଆନ୍ତି ଓ ପୁଣି ଜର୍ମାନୀ ଫେରିଆସନ୍ତି। ଏଇ ବୟସ୍କ ଲୋକମାନଙ୍କୁ ଛାଡ଼ିଦେଲେ ଅନ୍ୟମାନେ ତୁର୍କୀ ବାହାରେ ରହିବାଦ୍ୱାରା କୌଣସି ପ୍ରକାର ଅଭାବବୋଧ ଅନୁଭବ କରନ୍ତି ନାହିଁ।
ଜର୍ମାନରେ ରହୁଥିବା ତୁର୍କୀ ଦେଶର ଲୋକମାନଙ୍କ ଜୀବନଶୈଳୀ ପ୍ରାୟ ଜର୍ମାନମାନଙ୍କ ଭଳି ଓ ସେମାନେ ସମ୍ମାନର ସହିତ ଏଠାରେ ବସବାସ କରନ୍ତି। ଏମାନଙ୍କ ପିଲାମାନେ କେହିହେଲେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇ ନାହାନ୍ତି କାରଣ ଜର୍ମାନୀରେ ଶିକ୍ଷା ବାଧ୍ୟତାମୂଳକ। ଜର୍ମାନ ଭାଷାରେ ଏମାନଙ୍କୁ Gastarbeiter (ଅତିଥି ଶ୍ରମିକ) ବୋଲି ସମ୍ବୋଧନ କରାଯାଏ ଯଦିଓ ସେମାନଙ୍କ ଭିତରୁ ୯୦ ଭାଗରୁ ଅଧିକ ଜର୍ମାନୀର ନାଗରିକତ୍ୱ ନେଇସାରିଲେଣି ଓ ଜର୍ମାନୀର ସ୍ଥାୟୀ ବାସିନ୍ଦା ହୋଇସାରିଲେଣି। ସମ୍ପ୍ରତି ଜର୍ମାନୀ ପାର୍ଲିଆମେଣ୍ଟର ୩ ଜଣ (ବୟସ ୩୫-୪୦ ବର୍ଷ) ଜର୍ମାନୀ ନାଗରିକତ୍ୱ ନେଇଥିବା ତୁର୍କୀ ଦେଶର ଯୁବକ ସାଂସଦ ଭାବରେ କାର୍ଯ୍ୟରତ। ଏହି ତୁର୍କୀମାନେ ମଧ୍ୟ ଅନେକ ଛୋଟବଡ଼ କାରଖାନା ଜର୍ମାନୀରେ ତିଆରି କଲେଣି ଯାହାଦ୍ୱାରା କି ସେମାନେ ଅନେକ ଜର୍ମାନ ଲୋକଙ୍କୁ କର୍ମନିଯୁକ୍ତି ପାଇଁ ସୁଯୋଗ ଦେଉଛନ୍ତି।

ପ୍ରାସଙ୍ଗିକତା ଦୃଷ୍ଟିରୁ ଜର୍ମାନୀର ତୁର୍କୀଶ୍ରମିକ ବିଷୟରେ ଉପରୋକ୍ତ ବିବରଣୀ ଦେଲାପରେ ଆଉ ଥରେ ଆଜିର ଜର୍ମାନୀରେ ପ୍ରବାସୀ ଭାରତୀୟଙ୍କ ନିକଟକୁ ଫେରିଆସିବା। ଜଣେ ଭାରତୀୟ ହିସାବରେ ମୁଁ ଆଜି ଗର୍ବ କରୁଛି ଯେ ଏତେ ବେଶୀ ଭାରତୀୟ ଭାଗ୍ୟ ଅନ୍ୱେଷଣରେ ମୋ ଭଳି ବର୍ତ୍ତମାନ ଜର୍ମାନୀରେ ବସବାସ କଲେଣି। ଏଇ ସଂଖ୍ୟା ଭବିଷ୍ୟତରେ ବଢ଼ିପାରେ। ଏଇ ଭାରତୀୟମାନଙ୍କ ଭିତରେ ଅନେକ ଓଡ଼ିଆ ଅଛନ୍ତି ଯେଉଁମାନେ ମୋ ନାତିନାତୁଣୀ ବୟସର। ଏହା ଭିତରେ ଏକ ଅଚିନ୍ତନୀୟ, ଅବିଶ୍ୱସନୀୟ ତଥା କଳ୍ପନାତୀତ ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ ଓ ଆଚମ୍ବିତ କରିଦେଇଛି। ଗତ ଅକ୍ଟୋବର ୨୪ ତାରିଖ, ଦୀପାବଳି ଦିନ ଏଭଳି ଏକ ବିସ୍ମୟକର ଘଟଣା ଆମ ସମସ୍ତଙ୍କର ଦୃଷ୍ଟିଗୋଚର ହୋଇଛି। ଯେଉଁ ଭାରତକୁ ଦିନେ ଇଂଲଣ୍ଡ ତାର ଉପନିବେଶ ରୂପେ ଶାସନ କରୁଥିଲା ଏବଂ ସଗର୍ବେ ଘୋଷଣା କରୁଥିଲେ ଯେ, ବ୍ରିଟିଶ ସାମ୍ରାଜ୍ୟରେ ସୂର୍ଯ୍ୟାସ୍ତ ହୁଏନାହିଁ, ସେହି ବ୍ରିଟେନର ପ୍ରଧାନମନ୍ତ୍ରୀ ଆଜି ରିଷି ସୁନକ ନାମକ ଜଣେ ଭାରତୀୟ ବଂଶୋଦ୍ଭବ ହିନ୍ଦୁ। ଏଇ ପରିପ୍ରେକ୍ଷୀରେ ନିଶ୍ଚିତ ଭାବରେ ମୁଁ ଆଶା କରିବି ଜଣେ କେହି ମୋର ଏଇ ଓଡ଼ିଆ ଭାଇ ଭବିଷ୍ୟତରେ ଜର୍ମାନୀର ‘ଚାନ୍ସଲର୍‍’ ପଦବୀ ମଣ୍ଡନ କରନ୍ତୁ।

କେହି କେହି ମୋର ଏଇ ଭାବନାକୁ ମୋର ଦିବାସ୍ୱପ୍ନ ବୋଲି କହି ହସି ଉଡ଼େଇ ଦେଇ ପାରନ୍ତି। ଗୋଟିଏ ପ୍ରଶ୍ନ ମୋର ମନକୁ ଆଜି ଆନ୍ଦୋଳିତ କରୁଛି। ‘ଓଡ଼ିଶା ବାହାରେ ଓଡ଼ିଆ ଶ୍ରମିକ’ ଓ ତୁର୍କୀ ଦେଶର ବାହାରେ ଜର୍ମାନୀରେ ବଞ୍ଚୁଥିବା ତୁର୍କୀ ଦେଶର ଶ୍ରମିକମାନଙ୍କର ଜୀବନଚର୍ଯ୍ୟାରେ ପ୍ରଭେଦ କାହିଁକି? ଏହି ପ୍ରଶ୍ନ ଏକ ଉତ୍ପୀଡ଼କ ପ୍ରଶ୍ନ। ମୋର ଯାହା ମନେହୁଏ, ଅନ୍ୟାନ୍ୟ ଦେଶ ବା ଭୂଖଣ୍ଡର ଶ୍ରମିକମାନେ ବାହାର ଭୂଖଣ୍ଡରେ ବସତି ବିସ୍ତାର କରୁଥିବାବେଳେ ସେମାନେ ନିଜର ଏକ ଗୋଷ୍ଠୀଗତ ମର୍ଯ୍ୟାଦାବୋଧକୁ ବଜାୟ ରଖିଥାନ୍ତି। ମାତ୍ର ଆମ ଓଡ଼ିଆଏ ଓଡ଼ିଶା ଭିତରେ ଯେମିତି, ଓଡ଼ିଶା ବାହାରେ ବି ସେମିତି ଗୋଠଖଣ୍ଡିଆ ଜୀବନଶୈଳୀରେ ଅଭ୍ୟସ୍ତ। ଏପରି କି ସେମାନେ ନିଜର କରଣୀୟ ଓ ଅକରଣୀୟ କର୍ମ ମଧ୍ୟରେ ସୁଦ୍ଧା ପ୍ରଭେଦ ଦେଖନ୍ତି ନାହିଁ – ଉପାର୍ଜନ ଯେ କୌଣସି ଉପାୟରେ ହେଲେ ହେଲା – ପେଟ ପୋଷ ନାହିଁ ଦୋଷ! ଏ ପ୍ରକାର ଦୃଷ୍ଟିଭଙ୍ଗୀ ଆମ ଜାତୀୟ ସ୍ୱାଭିମାନ ପକ୍ଷରେ ଘୋର ହାନିକାରକ ବୋଲି ପ୍ରମାଣିତ ହେଲାଣି।

ବ୍ୟକ୍ତିରୁ ବ୍ୟକ୍ତି, ସମୟରୁ ସମୟ ଓ ପରିବେଶରୁ ପରିବେଶ ଭିତରେ ମୋ ସମୟର ପିଲାଦିନର ଚିତ୍ର ଆଜି ବଦଳିଯାଇଛି। ଆଜି ଏଇ ପ୍ରବନ୍ଧ ଜରିଆରେ ୬୨ବର୍ଷ ତଳର ଓଡ଼ିଶାକୁ ଖୋଜୁ ଖୋଜୁ କେତେ କ’ଣ ଲେଖିଗଲିଣି। ଅନେକ ଜାଗା ଓ ଅନେକ ବ୍ୟକ୍ତି ମୋ ଭିତରକୁ ଚାଲିଆସୁଛନ୍ତି। କଟକ ସହିତ ମୋର ଦୀର୍ଘ ୮୨ ବର୍ଷର ସମ୍ପର୍କ ମୋତେ ଆଜି ଆଲୋଡ଼ିତ କରୁଛି। ବୟସର ଚାପରେ ଅନେକ କଥାକୁ ଅନ୍ତର ଭରି ଗ୍ରହଣ କରିବାକୁ ମୋତେ କଷ୍ଟ ହେଉଛି। ଏସବୁ ସତ୍ତ୍ବେ ବନ୍ଧୁ ଦେବଦାସ ଛୋଟରାୟଙ୍କ ‘କଟକ’ କବିତାର ଭାଷାରେ ମୁଁ କହିବାକୁ ଚାହେଁ,
“ମୁଁ ପୁଣି ଆସିବି ଫେରି ମଲା ପରେ
ଲକ୍ଷେ ଥର କଟକ ସହର
ଦେଖିବି କିପରି ଦିଶେ
ଅମଳିନ ଧବଳ ଟଗର।”

Comments are closed.