MEllora 950×100

ଉତ୍କଳ ବିଶ୍ବବିଦ୍ୟାଳୟର ସ୍ବର୍ଣ୍ଣିମ ଇତିହାସ

ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟାଳୟର ପୂର୍ବ ଠିକଣା, ଶିକ୍ଷାବର୍ଷ ୧୯୬୩-୬୪ ପର୍ଯ୍ୟନ୍ତ ସର୍କିଟ୍‌ହାଉସ୍‌, କଟକ ଏବଂ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷାଦାନ ବିଭାଗଗୁଡ଼ିକ ରେଭେନ୍ସା କଲେଜ, କଟକରେ କାର୍ଯ୍ୟକରୁଥିଲା। ଏହି ଉକ୍ତି ପାଠକମାନଙ୍କର ଭ୍ରୂକୁଞ୍ଚନ କରିପାରେ; କିନ୍ତୁ ଓଡ଼ିଶାରେ ସ୍ନାତକୋତ୍ତର ଶିକ୍ଷାପ୍ରାପ୍ତ ଅଶୀତିପର ପାଠକଙ୍କ ନିମ​‌େ​ନ୍ତେ ଏହା ଏକ ନିରାଟ ସତ୍ୟ। ବ୍ରିଟିଶ ଉପନିବେଶବାଦ ଶାସନର ଅନ୍ତର୍ଭୁକ୍ତ ପରାଧୀନ ଅଖଣ୍ଡ ଭାରତର ଓଡ଼ିଶା ପ୍ରଦେଶରେ ପ୍ରଥମ ବିଶ୍ବବିଦ୍ୟାଳୟ ଭାବରେ ୧୯୪୩ ମସିହା ନଭେମ୍ବର ୨୭ ତାରିଖରେ, ଓଡ଼ିଶାର ସର୍ବପ୍ରଥମ ବାଣୀପୀଠରୂପେ ପରିଚିତ ରେଭେନ୍ସା ମହାବିଦ୍ୟାଳୟର ରୁମ ନମ୍ବର ୧୫ରେ ଏହି ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା କରାଯାଇଥିଲା।

୧୯୩୬ ମସିହା ଏପ୍ରିଲ ପହିଲାରେ ଓଡ଼ିଶା ଭାଷାଭିତ୍ତିକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନହେବା ପରେ, ୧୯୩୯ରେ ୨ୟ ବିଶ୍ବଯୁଦ୍ଧ ଆରମ୍ଭର ଘନଘଟା ମଧ୍ୟରେ ୧୯୪୩ ମସିହା ନଭେମ୍ବର ୨୭ ତାରିଖରେ କଟକ ସହରରେ ଓଡ଼ିଶାର ଗର୍ବ ଓ ଗୌରବ ସର୍ବପ୍ରଥମ ବିଶ୍ବବିଦ୍ୟାଳୟ ଭାବରେ ଉତ୍କଳ ବିଶ୍ବବିଦ୍ୟାଳୟ ଆତ୍ମପ୍ରକାଶ କଲା। ପ୍ରତିଷ୍ଠା ସମୟରେ ଏହା ସମଗ୍ର ଭାରତ ଭୂଖଣ୍ଡ (ବର୍ତ୍ତମାନର ଭାରତ, ପାକିସ୍ତାନ ଓ ବଙ୍ଗଳା ଦେଶ ସହିତ ମିଳିତ ଭାବରେ)ର ୧୭ଶ ବିଶ୍ବବିଦ୍ୟାଳୟର ମର୍ଯ୍ୟାଦା ହାସଲ କରିିଥିଲା। ପ୍ରଥମ ପର୍ଯ୍ୟାୟରେ ବିଶ୍ବବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟାଳୟ କଟକର ଷ୍ଟେସନ ବଜାରସ୍ଥିତ ବର୍ଦ୍ଧମାନ ହାଉସ/ କମ୍ପାଉଣ୍ଡରେ ଓ ୧୯୫୭ରେ କଟକ ସର୍କିଟ୍‌ ହାଉସ (ବର୍ତ୍ତମାନର ହରିହର କର୍କଟ ଚିକିତ୍ସା ପ୍ରତିଷ୍ଠାନ) ସୌଧରେ ୧୯୬୩-୬୪ ଶିକ୍ଷାବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲା। ୧୯୪୩ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବାରୁ, ରେଭେନ୍ସା କଲେଜର ତତ୍କାଳୀନ ଅଧ୍ୟକ୍ଷ ପ୍ରଫେସର ଡଃ. ପ୍ରାଣକୃ​ଷ୍ଣ ପରିଜାଙ୍କୁ ପଦୋନ୍ନତି ସ୍ବରୂପ ୧୯୪୩ ନଭେମ୍ବରରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବରେ ଅଧିଷ୍ଠିତ କରାଯାଇଥିଲା। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଗଭର୍ଣ୍ଣର ରୂପେ ସାର୍‌ ହାଉଥୋର୍ଣ୍ଣ ଲେୱିସ ଅବସ୍ଥାପିତ ଥିବାରୁ ସେ ମଧ୍ୟ ଉତ୍କଳ ବିଶ୍ବବିଦ୍ୟାଳୟର କୁଳାଧିପତି ପଦବୀରେ ଅଧିଷ୍ଠିତ ହୋଇଥିଲେ।

ଓଡ଼ିଶାର ସର୍ବପ୍ରଥମ ବାଣୀପୀଠ ରେଭେନ୍ସା କଲେଜର ୭୫ତମ ପ୍ରତିଷ୍ଠା ବର୍ଷ ତଥା ପ୍ଲାଟିନମ୍‌ ଜୟନ୍ତୀ ପାଳନ ଅସବରରେ ୧୯୪୩ରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ହେବାପରେ, ପୂର୍ବରୁ ଆନ୍ଧ୍ର ବିଶ୍ବବିଦ୍ୟାଳୟ ଏବଂ ପାଟନା ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଓଡ଼ିଶାର ସମସ୍ତ ସ୍କୁଲ କଲେଜ, ଉତ୍କଳ ବିଶ୍ବବିଦ୍ୟାଳୟର ଅନ୍ତର୍ଭୁକ୍ତ ହୋଇଗଲା। ୧୯୪୪ ଜାନୁଆରୀ ମାସରୁ ସେ ବର୍ଷର ମାଟ୍ରିକ୍ୟୁଲେସନ୍‌, ଆଇ,ଏ/ଆଇ.ଏସ୍‌ସି, ବି.ଏ/ବି.ଏସ୍‌ସି ଏବଂ ଆଇନ୍‌/ଲ’ ପରୀକ୍ଷା ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ପରିଚାଳିତ ହେଲା। ବିଶ୍ବବିଦ୍ୟାଳୟ ଦ୍ବାରା ୧୯୪୪ରୁ ୧୯୫୭ ବାର୍ଷିକ ପରୀକ୍ଷା ପର୍ଯ୍ୟନ୍ତ ମାଟ୍ରିକ୍ୟୁଲେସନ୍‌ ପରୀକ୍ଷା ପରିଚାଳନା କରାଯାଉଥିଲା; କିନ୍ତୁ ୧୯୫୭ରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଗଠନ କରାଯାଇ, ୧୯୫୭ ସପ୍ଲିମେଣ୍ଟାରି ପରୀକ୍ଷାଠାରୁ ପରିଷଦକୁ ମାଟ୍ରିକ୍ୟୁଲେସନ ପରୀକ୍ଷା ପରିଚାଳନାର ସମ୍ପୂର୍ଣ୍ଣ ଦାୟିତ୍ବ ଅର୍ପଣ କରାଯାଇଥିଲା।

୧୮୦୩ ମସିହାରେ ସମଗ୍ର ଓଡ଼ିଶା ବ୍ରିଟିଶ ଶାସନାଧୀନ ହୋଇଥିଲେ ମଧ୍ୟ, ୧୮୬୫ ଜୁଲାଇ ମାସରେ ଥୋମାସ୍‌ ଏଡ଼ୱାଡ୍‌ ରେଭେନ୍ସା ନାମକ ଜଣେ ଇଂରେଜ ଅଫିସର ୧୮୬୫ ଜୁଲାଇରେ କଟକ, ପୁରୀ ଓ ବାଲେଶ୍ବର ଜିଲାକୁ ନେଇ ଗଠିତ ଓଡ଼ିଶା ଡିଭିଜନ୍‌ର କମିସନର ନିଯୁକ୍ତ ହୋଇଥିଲେ। ସଂଯୋଗବଶତଃ ସେ ଜଣେ ଶିକ୍ଷାପ୍ରେମୀ ପ୍ରଶାସକ ଥିଲେ। ୧୮୫୧ରେ କଟକରେ ପ୍ରତିଷ୍ଠିତ ଓଡ଼ିଶାର ସର୍ବପ୍ରଥମ ହାଇସ୍କୁଲ ‘କଟକ ଜିଲା ସ୍କୁଲ’କୁ ‘କଟକ କଲିଜିଏଟ୍‌ ସ୍କୁଲ’ ଭାବରେ ନାମ ପରିବର୍ତ୍ତନ କରାଯାଇ, ସେଠାରେ ୧୮୬୮ ମସିହାରେ ‘କଟକ କଲେଜ’ର ଶୁଭାରମ୍ଭ କରାଯାଇ ଏଫ.ଏ (First Arts) ପାଠ୍ୟକ୍ରମର କ୍ଲାସ ଆରମ୍ଭ କରାଗଲା। କଟକ କଲେଜର ସ୍ବତନ୍ତ୍ର ଅଟ୍ଟାଳିକା ନିର୍ମାଣ ପାଇଁ ସେ ସମୟରେ ମୟୂରଭଞ୍ଜର ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ୨୦ହଜାର ଟଙ୍କା ପ୍ରଦାନ କରିଥିଲେ। ଓଡ଼ିଶା ଡିଭିଜନ୍‌ର କମିସନର ଟି.ଇ.ରେଭେନ୍ସାଙ୍କ ସୁପାରିସକ୍ରମେ ୧୮୭୬ରେ କଟକ କଲେଜକୁ କାଲ୍‌କାଟା ୟୁନିଭର୍ସିଟି ସହିତ ଅନୁବନ୍ଧିତ କରାଯାଇଥିଲା। କଟକ କଲେଜକୁ ଏକ ଡିଗ୍ରୀ କଲେଜରେ ପରିଣତ କରାଯିବା ଦ୍ବାରା ଏହି କଲେଜ ୧୮୭୮ ପର୍ଯ୍ୟନ୍ତ ଓଡ଼ିଶାର ଏକମାତ୍ର ଡିଗ୍ରୀ କଲେଜ ଭାବରେ ପ୍ରତିଷ୍ଠା ଲାଭ କରିଥିଲା।

ଓଡ଼ିଶା ଡିଭିଜନ୍‌ର କମିସନର ରେଭେନ୍ସା ୧୮୭୮ ଏପ୍ରିଲରେ ଓଡ଼ିଶାରୁ ବିଦାୟ ନେବାପରେ, ତାଙ୍କର ଓଡ଼ିଶାରେ ଉଚ୍ଚ ଶିକ୍ଷା ସପକ୍ଷରେ ବିଶେଷ ଅବଦାନର ସ୍ମୃତି ରକ୍ଷା କରିବା ନିମନ୍ତେ, ମୟୂରଭଞ୍ଜ ମହାରାଜଙ୍କ ପ୍ରସ୍ତାବ କ୍ରମେ, ସେହି ୧୮୭୮ରେ ‘କଟକ କଲେଜ’ର ନାମକୁ ପରିବର୍ତ୍ତନ କରାଯାଇ ‘ରେଭେନ୍ସା କଲେଜ’ କରାଗଲା। ରେଭେନ୍ସା କଲେଜକୁ ୧୮୮୧ରେ ଚିରସ୍ଥାୟୀ ମର୍ଯ୍ୟାଦା ପ୍ରଦାନ କରାଯାଇ ଏକ ସ୍ବୟଂସଂପୂର୍ଣ୍ଣ ଡିଗ୍ରୀ କଲେଜରେ ପରିଣତ କରାଗଲା। ରେଭେନ୍ସା କଲେଜର ଅଫିସକୁ ୧୯୦୪ ରେଭେନ୍ସା କଲିଜିଏଟ୍‌ ସ୍କୁଲରୁ ଅଲଗା କରାଯାଇ ସ୍ବତନ୍ତ୍ର ଭାବେ କାର୍ଯ୍ୟକ୍ଷମ କରାଗଲା। ରେଭେନ୍ସା କଲେଜର ଅନୁବନ୍ଧନ ୧୯୧୭ ଅକ୍ଟୋବର ପହିଲାରେ କାଲକାଟା ୟୁନିଭର୍ସିଟିରୁ ପାଟଣା ୟୁନିଭର୍ସିଟିକୁ ପରିବର୍ତ୍ତନ କରାଯାଇ, ସେଠାରେ କେବଳ ଆଇଇଏସ (IES) କ୍ୟାଡରର ଅଧ୍ୟାପକଙ୍କୁ ନିଯୁକ୍ତି ଦେବା ଆରମ୍ଭ କରାଗଲା ଏବଂ କଲେଜ ମାଗାଜିନ୍‌ ‘ରେଭେନ୍ସାଭିୟାନ’ର ପ୍ରକାଶନର ଶୁଭାରମ୍ଭ କରାଗଲା। ୧୯୧୯ ନଭେମ୍ବର ୧୧ ତାରିଖରେ କଟକରେ ରେଭେନ୍ସା କଲେଜର ସ୍ଥାୟୀ ଅଟ୍ଟାଳିକା ନିର୍ମାଣ ପାଇଁ ଚାଉଳିଆଗଞ୍ଜସ୍ଥିତ ଚକ୍ର ପଡ଼ିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ, ଏହା ୧୯୨୧ ମସିହା ଜୁଲାଇ ମାସରେ ୮୭ ଏକର କ୍ଷେତ୍ରଫଳ ବିଶିଷ୍ଟ ଚକ୍ରପଡ଼ିଆରେ ସରକାରଙ୍କ ଦ୍ବାରା ନବନିର୍ମିତ ଇଟାରଙ୍ଗର ସୁବୃହତ୍‌ ଦ୍ବିତଳ ପ୍ରସାଦକୁ ସ୍ଥାନାନ୍ତରିତ ହୋଇଥିଲା। ୧୯୨୨ ଏପ୍ରିଲ ୫ ତାରିଖରେ ପ୍ରିନ୍ସିପାଲ ଏଚ୍‌ ଲ୍ୟାମ୍ବଟଙ୍କ ଦ୍ବାରା ରେଭେନ୍ସା କଲେଜର ଆନୁଷ୍ଠାନିକ ଉଦ୍‌ଘାଟନ କରାଯାଇଥିଲା। ରେଭେନ୍ସା କଲେଜର ପ୍ରଥମ ଓଡ଼ିଆ ଅଧ୍ୟକ୍ଷ ଥିଲେ ପ୍ରଫେସର ଡକ୍ଟର ଶ୍ୟାମଚନ୍ଦ୍ର ତ୍ରିପାଠୀ। ତାଙ୍କ ପରେ ପ୍ରଫେସର ଡକ୍ଟର ପ୍ରାଣକୃଷ୍ଣ ପରିଜା ରେଭେନ୍ସା କଲେଜର ଅଧ୍ୟକ୍ଷ ଭାବ​‌େ​‌ର ୧୯୩୮ରୁ ୧୯୪୫ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟର କ୍ୟାମ୍ପସର ସ୍ଥାୟୀ ପରିସର ଭୁବନେଶ୍ବରରେ ଅବସ୍ଥାପିତ ହେବାପାଇଁ ଯୋଜନା କରାଯାଇ, ପାଞ୍ଚନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ୩୯୮.୨୭୬ ଏକର ପରିମିତ ଜମି ଉପରେ ୧୯୫୮ ଜାନୁଆରୀ ପହିଲାରେ ଭାରତର ପ୍ରଥମ ରାଷ୍ଟ୍ରପତି ଡଃ. ରାଜେନ୍ଦ୍ର ପ୍ରସାଦଙ୍କ ଦ୍ବାରା ନୂତନ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ, ଏହି କ୍ୟାମ୍ପସର ନାମ ‘ବାଣୀବିହାର’ ରଖାଯାଇଥିଲା। ୧୯୬୩ ମସିହା ଜାନୁଆରୀ ୨ ତାରିଖରେ ବାଣୀବିହାର କ୍ୟାମ୍ପସ ପରିସରରେ ଉତ୍କଳ ବିଶ୍ବବିଦ୍ୟାଳୟର ନବନିର୍ମିତ ଭବନକୁ ଭାରତର ଦ୍ବିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଦ୍ବାରା ଉଦ୍‌ଘାଟନ କରାଯିବା ସହିତ, ସେ ମଧ୍ୟ ଉତ୍କଳ ବିଶ୍ବବିଦ୍ୟାଳୟର ୧୯ତମ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ।

ଉତ୍କଳ ୟୁନିଭର୍ସିଟିର ପ୍ରଶାସନିକ କାର୍ଯ୍ୟାଳୟ କଟକର ମଙ୍ଗଳାବାଗସ୍ଥିତ ସର୍କିଟ୍‌ ହାଉସରୁ ନବ ନିର୍ମିତ ବାଣୀବିହାର କ୍ୟାମ୍ପସକୁ ୧୯୬୩-୬୪ରେ ସ୍ଥାନାନ୍ତରିତ କରାଗଲା। ନୂତନ କ୍ୟାମ୍ପସରେ କେବଳ ସ୍ନାତକୋତ୍ତର ପାଠ୍ୟକ୍ରମଗୁଡ଼ିକରେ ଶିକ୍ଷାପ୍ରଦାନ, ଓଡ଼ିଶାର ସମସ୍ତ କଲେଜକୁ ଅନୁବନ୍ଧିତ କରିବା ଏବଂ ୟୁନିଭର୍ସିଟି ଦ୍ବାରା ପରୀକ୍ଷା ପରିଚାଳନା କରାଯାଇ ଶିକ୍ଷାର୍ଥୀମାନଙ୍କୁ ଡିଗ୍ରୀପ୍ରଦାନ କରିବା ଉଦ୍ଦେଶ୍ୟରେ, ୧୯୬୬ରୁ ୧୯୭୩ ମଧ୍ୟରେ ବାଣୀବିହାର ପରିସରରେ ପର୍ଯ୍ୟାୟକ୍ରମେ ସମସ୍ତ କଳା, ବିଜ୍ଞାନ,ବାଣିଜ୍ୟ ବିଭାଗ ସହିତ ଅନ୍ୟ କେତେକ ଆନୁଷଙ୍ଗିକ ବିଭାଗରେ ଉପାଧ୍ୟୁତ୍ତର ଶ୍ରେଣୀର ଉଦ୍‌ଘାଟନ କରାଗଲା; କିନ୍ତୁ ରେଭେନ୍ସା କଲେଜକୁ ୧୯୬୫-୬୬ରେ ଉତ୍କଳ ୟୁନିଭର୍ସିଟିର ଔପାଦାନିକ କଲେଜ (Constituent College)ଭାବରେ ମାନ୍ୟତା ପ୍ରଦାନର ପୁନଃନବୀକରଣ କରାଯାଇଥିଲା। ୧୯୪୯ରେ ପ୍ରତିଷ୍ଠିତ ମଧୁସୂଦନ ଲ’କଲେଜ ମଧ୍ୟ ୟୁନିଭର୍ସିଟିର ଅନ୍ୟ ଏକ ଔପାଦାନିକ କଲେଜ ଭାବରେ ଚାଲୁରହିଲା। ମାତ୍ର ରେଭେନ୍ସା କଲେଜରେ ୧୯୫୬ରେ ଆରମ୍ଭ କରାଯାଇଥିବା ଉପାଧ୍ୟୁତ୍ତର ଭୂତତ୍ତ୍ବ (Geology) ବିଭାଗକୁ ୧୯୭୭ରେ ବାଣୀବିହାର କ୍ୟାମ୍ପସକୁ ସ୍ଥାନାନ୍ତରିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ୟୁନିଭର୍ସିଟି ଲ’କଲେଜ ଏବଂ ଦୂର ନିରନ୍ତର ନିର୍ଦେଶାଳୟ (DDCE)କୁ ୟୁନିଭର୍ସିଟିର ଔପାଦାନିକ କଲେଜ ଭାବରେ ସ୍ବୀକୃତି ପ୍ରଦାନ କରାଯାଇଥିଲା।

ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟର ସ୍ବର୍ଣ୍ଣିମ ଇତିହାସର କେତେକ ଉଲ୍ଲେଖନୀୟ ସମୟାନୁକ୍ରମିକ ଘଟଣାବଳୀର ଅବତାରଣା କରାଯିବା ଏଠା​‌େ​‌ର ସମୀଚୀନ ହେବ। ଉତ୍କଳ ୟୁନିଭର୍ସିଟି ଏବଂ ରେଭେନ୍ସା କଲେଜର ମିଳିତ ଆନୁକୂଲ୍ୟରେ ଭାରତୀୟ ବିଜ୍ଞାନ କଂଗ୍ରେସ ଆସୋସିଏସନ୍‌ (ISCA)ର ୪୯ତମ ବାର୍ଷିକ ଅଧିବେଶନ ୧୯୬୨ ମସିହାରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ରେଭେନ୍ସା କଲେଜ ପରିସରରେ ଏବଂ ଉତ୍କଳ ୟୁନିଭର୍ସିଟି ଆନୁକୂଲ୍ୟରେ ଏହାର ୬୪ତମ ଅଧିବେଶନ ୧୯୭୭ରେ ଉତ୍କଳ ୟୁନିଭର୍ସିଟିର ବାଣୀବିହାର କ୍ୟାମ୍ପସରେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉତ୍କଳ ୟୁନିଭର୍ସିଟିର ରଜତ ଜୟନ୍ତୀ ୧୯୬୮ରେ, ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ୧୯୯୩ରେ ଏବଂ ପ୍ଲାଟିନମ ଜୟନ୍ତୀ ଉତ୍ସବ ୨୦୧୯ ମସିହା ନଭେମ୍ବର ମାସ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ବାଣୀବିହାରଠାରେ ସମାରୋହରେ ପାଳନ କରାଯିବା ଅତି ଆନନ୍ଦର ବିଷୟ। ଚଳିତ ୨୦୨୨-୨୩ ଶିକ୍ଷାବର୍ଷରେ ଉତ୍କଳ ୟୁନିଭର୍ସିଟି ବାଣୀବିହାର କ୍ୟାମ୍ପସରେ ୩୦ଗୋଟି ସ୍ନାତକୋତ୍ତର ଶିକ୍ଷାବିଭାଗ ସହିତ ଅନ୍ୟ କେତେକ ଆନୁଷଙ୍ଗିକ ବିଭାଗ ମଧ୍ୟ କାର୍ଯ୍ୟକରୁଅଛନ୍ତି।

ପରବର୍ତ୍ତୀ ସମୟରେ କେତେକ ନୂତନ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଏବଂ କେତେକ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ସ୍ତରକୁ ଉନ୍ନୀତ କରାଯିବା ଏବଂ କେତେକ ବେସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା କରାଯିବା ଦ୍ବାରା, ଚଳିତ ଶିକ୍ଷାବର୍ଷ ୨୦୨୨-୨୩ରେ ସମଗ୍ର ଓଡ଼ିଶାରେ ୧୮ଗୋଟି ଷ୍ଟେଟ୍‌ ୟୁନଭର୍ସିିଟି, ଗୋଟିଏ ସେଣ୍ଟ୍ରାଲ ୟୁନିଭର୍ସିଟି, ୮ଗୋଟି ପ୍ରାଇଭେଟ୍‌ ବୈଷୟିକ ୟୁନିଭର୍ସିଟି ଏବଂ ଅନ୍ୟ କେତେକ ଏକକ ୟୁନିଭର୍ସିଟି ସହିତ ମୋଟ୍‌ରେ ୩୦ ଗୋଟି ୟୁନିଭର୍ସିଟି କାର୍ଯ୍ୟ କରୁଅଛନ୍ତି।

Comments are closed.