ଏକ ଉଦାରତାଭରା ସ୍ବପ୍ନଲୋକର ସନ୍ଧାନରେ…

- ହେମେନ୍ଦ୍ର ନାରାୟଣ ଦାସ

ଅସହିଷ୍ଣୁତା ଓ ଅହଂକାରର କୁହେଳିକାରେ ଭରିଯାଇଛି ଆକାଶ। ସବୁ କିଛି ଲାଗୁଛି ଝାପ୍ସା ଝାପ୍ସା। ଖାଲି ବିଶ୍ବାସ ନୁହେଁ; ସତେ ଯେମିତି ପାଣି, ପବନ ସବୁଥିରେ ବିଷ। ପଡ଼ୋଶୀ ରାଜ୍ୟରେ ନିର୍ବାଚନର ବିଗୁଲ୍ ଶୁଭୁଛି। ଜାତି ଓ ସମ୍ପ୍ରଦାୟକୁ ନେଇ ଚାଲିଛି ବିଭାଜନର ରାଜନୀତି। ସବୁ କେବଳ କ୍ଷମତା ପାଇଁ, ସିଂହାସନ ପାଇଁ। ତା’ରି ଭିତରେ ବିକାଶ ଓ ବିଶ୍ବାସ ନାମରେ ଏକ ସ୍ବପ୍ନଲୋକ ଗଢ଼ି ଦେବାର ମାଳମାଳ ପ୍ରତିଶ୍ରୁତି। ଏହା କେବଳ ନିରୀହ ମତଦାତାଙ୍କର ଅକିଞ୍ଚନତାକୁ ହିଁ ଉପହାସ କରୁଛି। ଉଦାର ମାନବିକତା ଓ ସହନଶୀଳତାରେ ଗଢ଼ା ଏ ଦେଶର ମର୍ମଭୂମି। ସାମ୍ପ୍ରଦାୟିକତାର ବିଷାକ୍ତ ଲହରୀର ଆଘାତରେ ହଜାରହଜାର ବର୍ଷର ଏକ ପ୍ରାଣବନ୍ତ ଜାତି କ’ଣ ପକ୍ଷାଘାତଗ୍ରସ୍ତ ହୋଇ ପଡ଼ିବ? କିଏ ଦେବ ଏହାର ଉତ୍ତର? ଏ ପ୍ରଶ୍ନ ଆଜି ମଣିଷର ବିବେକକୁ, ତା’ର ଆତ୍ମାକୁ!

ଇତିହାସ କହେ ଏ ଦେଶକୁ ଅତୀତରେ ଆସିଛନ୍ତି ଅନେକ ଆକ୍ରମଣକାରୀ- ଗ୍ରୀକ୍, ହୁନ୍, ଶକ ଓ ଆହୁରି ଅନେକ; କିନ୍ତୁ ଏଇଠି ରହିଯାଇଛନ୍ତି, ଏକ ମମତାମୟ ଅନ୍ତରଙ୍ଗ ପରିବେଶର ଅଞ୍ଚଳ ଛାୟାତଳେ। ଏଇ ମାଟିର ସନ୍ତାନ ପାଲଟି ଯାଇଛନ୍ତି। ଯିଶୁଖ୍ରୀଷ୍ଟଙ୍କ ଜନ୍ମର ବହୁବର୍ଷ ପୂର୍ବରୁ ଇହୁଦୀମାନେ ଭାରତ ଆସିଥିଲେ। ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଖ୍ରୀଷ୍ଟଧର୍ମର ପ୍ରଥମ ପ୍ରବର୍ତ୍ତକ ସେଣ୍ଟ ଥୋମାସ୍ ଯେତେବେଳେ ମାଲ୍ବାର ଉପକୂଳରେ ପହଞ୍ଚିଲେ, ସେତେବେଳେ ତାଙ୍କୁ ବଂଶୀବାଦନ କରି ସ୍ବାଗତ ଜଣେଇଥିଲେ ଜଣେ ଇହୁଦୀ ବାଳିକା। ସେତିକି ନୁହେଁ; ମୁସଲମାନଙ୍କ ଭାରତବର୍ଷ ଆକ୍ରମଣର ଅନେକ ପୂର୍ବରୁ ଆରବ ଜଗତ ସହ ଗଢ଼ି ଉଠିଥିଲା ଦକ୍ଷିଣ ଭାରତର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାଣିଜ୍ୟ ସମ୍ପର୍କ।

ପରେପରେ ଆସିଲେ ଇଂରେଜମାନେ। ଶୋଷଣ ଓ ପୀଡ଼ନର ରକ୍ତମୁଖା ପଞ୍ଝା ତଳେ ଅତିଷ୍ଠ ହୋଇ ଉଠିଲା ଭାରତର ଜନଜୀବନ। ତା’ ବିରୋଧରେ ସିପାହି ବିଦ୍ରୋହ; ଯେଉଁଥିରେ ହିନ୍ଦୁ ଓ ମୁସଲ୍ମାନ ଏକାଠି ହୋଇ ଲଢ଼ିଥିଲେ। ତାହା ଥିଲା ଭାରତବର୍ଷର ପ୍ରଥମ ଜାତୀୟ ସଂଗ୍ରାମ। ଚତୁର ଇଂରେଜମାନେ ବୁଝିଗଲେ ଭାରତୀୟଙ୍କୁ ଶାସନ କରିବାକୁ ହେଲେ ଧର୍ମକୁ ହିଁ ଭିତ୍ତିକରି ବିଭାଜନ କରିବାକୁ ପଡ଼ିବ- ‘ଭାଗ କର ଓ ଶାସନ କର ନୀତି’। ଯେଉଁ ଭାରତବର୍ଷର ଇତିହାସ ଥିଲା ସବୁ ଧର୍ମ ଓ ଭାଷାର ଏକ ମଞ୍ଜୁଳ ସ୍ରୋତସ୍ବିନୀ ଧାରା, ତାକୁ ବିଖଣ୍ଡିତ କରି ନୂଆ ଧାରାରେ ଇତିହାସ ଲେଖାଗଲା। ଏହାର ଆଦ୍ୟ ରୂପକାର ହେଲେ ସ୍କଟିସ ବଂଶୋଦ୍ଭବ ଇଂରେଜ ଜେମ୍ସ୍ ମିଲ୍- ‘ଦି ହିଷ୍ଟ୍ରି ଅଫ୍ ବ୍ରିଟିଶ୍ ଇଣ୍ଡିଆ’ର ଲେଖକ, ଯାହାଙ୍କ ଅନୁସାରେ ହିନ୍ଦୁକାଳ, ମୁସ୍ଲିମ୍ କାଳ ଓ ବ୍ରିଟିଶ୍ କାଳ। ପରେପରେ ଏହି ବିଚାରଧାରାକୁ ସମର୍ଥନ କଲେ ଲର୍ଡ ମ୍ୟାକୁଲେ ଓ ଇଂଲଣ୍ଡରେ ଅବସ୍ଥାପିତ ଜର୍ମାନ ଦାର୍ଶନିକ ମ୍ୟାକ୍ସମୁଲର।

ବିଖ୍ୟାତ ଐତିହାସିକ ରୋମିଲା ଥାପର ତାଙ୍କର କାଳଜୟୀ ପୁସ୍ତକ ‘ରିଫ୍ଲେକ୍ସନ୍ସ ଅଫ୍ ନ୍ୟାସନାଲିଜମ୍ ଆଣ୍ଡ୍ ହିଷ୍ଟ୍ରି’ରେ ଅତି ଚମତ୍କାର ଭାବରେ ଲେଖିଛନ୍ତି ଯେ ବାସ୍ତବରେ ଧାର୍ମିକ ସଂକୀର୍ଣ୍ଣତାର ପ୍ରଥମ ବିଷମଞ୍ଜି ବପନ କରିଛନ୍ତି ଏଇ ‘ତିନି ଏମ୍’- ଅର୍ଥାତ୍ ମିଲ୍, ମ୍ୟାକୁଲେ ଓ ମ୍ୟାକ୍ସମୁଲର। ଏମାନେ ସମସ୍ତେ ଥିଲେ ସୁବିଧାବାଦୀ। ଇତିହାସରେ ଆଦର୍ଶବାଦୀ ଓ ସ୍ବପ୍ନବାଦୀଙ୍କ ଅପେକ୍ଷା ସୁବିଧାବାଦୀମାନେ ଅଧିକ ବୁଦ୍ଧିମାନ ବୋଲି ବାରମ୍ବାର ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି; କିନ୍ତୁ ସମୟ ତାଙ୍କୁ ନିର୍ବୋଧ କରିଦେଇଥାଏ। କାଳର ଏହା ହିଁ ବିଡ଼ମ୍ବନା ଯେ ସେଇ ବିଭାଜିତ ଭାବନାର ବିଷମଞ୍ଜିଟିର ଅଙ୍କୁରୋଦ୍ଗମ ହୋଇ ସାରିଥିଲା। ଏବେ ଥିଲା ପଲ୍ଲବନର ସମୟ। ସେଇଥିରୁ ରୂପ ନେଲା ‘ମୁସଲମାନ ଚେତନା’ ଓ ‘ହିନ୍ଦୁତ୍ବ ଚେତନା’। ଆଧୁନିକ ଭାରତବର୍ଷରେ ହିନ୍ଦୁତ୍ବ ଚେତନାର ଜନକ ହେଉଛନ୍ତି ବୀର ସଭରକର୍। ଅସାଧାରଣ ଧୀଶକ୍ତିସମ୍ପନ୍ନ ଏଇ ବିଲାତ ଫେରନ୍ତା ବାରିଷ୍ଟର ତାଙ୍କ ରାଜନୈତିକ ଜୀବନର ଆରମ୍ଭରେ ଥିଲେ ହିନ୍ଦୁ-ମୁସଲମାନ ଏକତାର ଏକ ସ୍ପର୍ଦ୍ଧିତ ପ୍ରବର୍ତ୍ତକ। ତାଙ୍କ ଦ୍ବାରା ରଚିତ ‘ସିପାହି ବିଦ୍ରୋହ’ ପୁସ୍ତକରେ ସେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଛନ୍ତି ଯେ ହିନ୍ଦୁ ଓ ମୁସଲମାନ ସମସ୍ତେ ହେଉଛନ୍ତି ଭାରତମାତାର ସନ୍ତାନ ଓ ସେମାନଙ୍କ ସମ୍ପର୍କ ଅବିଚ୍ଛେଦ୍ୟ। ଇଂରେଜମାନେ ଦେଶଦ୍ରୋହ ଅପରାଧରେ ତାଙ୍କୁ ଆଣ୍ଡାମାନ୍ ଦ୍ବୀପରେ ଏଗାର ବର୍ଷ ବନ୍ଦୀ କରିଥିଲେ ଓ ଏକ ନାଟକୀୟ ଘଟଣାକ୍ରମରେ ସେ ମୁକ୍ତ ହେଲେ। ଏହା ହିଁ କ’ଣ ଥିଲା ଖିଆଲି ସମୟର ଏକ ଉତ୍କଟ ପରିହାସ ଯେ ସେତେବେଳକୁ ସେ ପରିବର୍ତ୍ତିତ ହୋଇସାରିଥିଲେ ଏକ ପ୍ରଚଣ୍ଡ ହିନ୍ଦୁତ୍ବବାଦୀ ଭାବରେ!

ସମୟର ଛନ୍ଦପତନ ଭିତରେ, ଘୋର ପରିତାପର ବିଷୟ ଦୁଇଟି ପରସ୍ପର ବିରୋଧୀ ଭାବନା ଧୀରେଧୀରେ ପକ୍ଷ ମେଲିବାକୁ ଲାଗିଥିଲା। ଭାରତବର୍ଷର ରାଜନୈତିକ ଆକାଶରେ ସାମ୍ପ୍ରଦାୟିକତାର କଳାବାଦଲ। ଏଥିରେ ବଳିପଡ଼ିଲେ ଅନନ୍ତ କରୁଣାର ପ୍ରତିରୂପ ପରମକାରୁଣିକ ‘ବାପୁଜୀ’। ସମଗ୍ର ଦେଶ ସ୍ତବ୍ଧ। ତଥାପି ସମୟର ମହାପ୍ରବାହ ଭିତରେ ଏ ଦେଶ ବଞ୍ଚିଛି। ଦେହରେ ହୁଏତ ଅନେକ ଝଡ଼ର କ୍ଷତଚିହ୍ନ; ତଥାପି ମରୁପ୍ରାନ୍ତରର ବନସ୍ପତି ପରି ଅବିଚଳିତ ଏହାର ଅସ୍ତିତ୍ବ ଓ ଅସ୍ମିତା। ସ୍ବପ୍ନ ଓ ସ୍ବପ୍ନଭଙ୍ଗର ଚିରନ୍ତନତା ଭିତରେ ସବୁ ଧର୍ମ, ସବୁ ସମ୍ପ୍ରଦାୟର ମଣିଷଙ୍କ ପାଇଁ ଏହା ପାଲଟି ଯାଇଛି ଏକ ନିଶ୍ଚିତ ଅବଲମ୍ବନ ରୂପରେ, ଯେଉଁଠି ସେମାନେ ପାଉଛନ୍ତି ଏକ ବିଲୟହୀନ ସ୍ବପ୍ନର ସନ୍ଧାନ। ଏ ସନ୍ଧାନ ଚିରନ୍ତନ। କେଉଁ ଏକ ଅଦୃଶ୍ୟ ସୂତାର ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି ହିନ୍ଦୁ, ମୁସଲମାନ ସବୁୁ ସମ୍ପ୍ରଦାୟର ଜନଗଣ।

୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ। ଭାରତର ଇତିହାସ ପୃଷ୍ଠାରେ ଏହା ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ଅତି ଶୋଚନୀୟ ଭାବରେ ପରାଜିତ ହୋଇଯାଇଛି ପାକିସ୍ତାନ। ବିଭାଜିତ ହୋଇଯାଇଛି ଧର୍ମକୁ ଆଧାର କରି ଗଢ଼ା ହୋଇଥିବା ଇସ୍ଲାମିକ୍ ପାକିସ୍ତାନ। ଭାରତବର୍ଷର ଧର୍ମନିରପେକ୍ଷତାର, ଭାଇଚାରାର ଏକ ଜ୍ବଳନ୍ତ ଚିତ୍ର ପ୍ରତିଫଳିତ ହେଉଛି ରଣକ୍ଷେତ୍ରରେ। ଭାରତୀୟ ଆକାଶବାହିନୀର ନେତୃତ୍ବ ନେଉଛନ୍ତି ଉତ୍ତର ସୀମାନ୍ତରେ ଜଣେ ମୁସଲମାନ- ଇଦ୍ରିସ୍ ହାସାନ୍ ଲତିଫ୍; ଦେଶର ସେନା କମାଣ୍ଡର ଜଣେ ପାର୍ସି- ଶାମ୍ ମାନେକ୍ସା; ଯେଉଁ ସେନା କମାଣ୍ଡର ପୂର୍ବ ପାକିସ୍ତାନ (ବାଂଲାଦେଶ) ଭିତରକୁ ଧସେଇ ପଶିଥିଲେ ସେ ହେଉଛନ୍ତି ଜଣେ ଶିଖ୍-ଜଗ୍ଜିତ୍ ସିଂ ଆରୋରା ଏବଂ ଯେଉଁ ଜେନେରାଲ୍ ପାକିସ୍ତାନ ସୈନ୍ୟବାହିନୀର ଆତ୍ମସମର୍ପଣ ପ୍ରକ୍ରିୟାର ନେତୃତ୍ବ ନେଇଥିଲେ ସେ ହେଉଛନ୍ତି ଜଣେ ଇହୁଦୀ- ଜେ.ଏଫ୍.ଆର୍ ଜାକବ୍। ତାହା ହିଁ ଥିଲା ଭାରତବର୍ଷର ଭାବନା ଓ ଚିତ୍ର, ଯାହା ଯୁଦ୍ଧଭୂମିରେ ଚମତ୍କାର ଭାବରେ ଅଭିନୀତ ହୋଇଥିଲା।

ଇତିହାସର ସ୍ରୋତମୁକୁରରେ ଏଇଭଳି ଅନେକ ପ୍ରତିବିମ୍ବ; ବେଳେବେଳେ ବେଦନାରେ ଦଗ୍ଧ କିନ୍ତୁ ସ୍ମୃତିରେ କେତେ ଉଳ। ୧୯୬୫ ମସିହାରେ ଭାରତ ପାକିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ। ପ୍ରତିଦିନ ପ୍ରତିମୁହୂର୍ତ୍ତ ହେଉଛି ନିର୍ଣ୍ଣାୟକ ମୁହୂର୍ତ୍ତ। ଦୁଇ ସୈନ୍ୟବାହିନୀ ମୁହଁାମୁହିଁ। ପାକିସ୍ତାନ ସେନାର ଜଣେ ବ୍ରିଗେଡିଅର ଗୋଟିଏ ଅତି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଲେ ତାଙ୍କର ଜଣେ ଯୁବ ଲେଫ୍ଟନାଣ୍ଟଙ୍କୁ, ଲୁଚିଛପି ଭାରତୀୟ ସୈନ୍ୟବାହିନୀ ପଟକୁ ଯାଇ ଜଣେ ଟ୍ୟାଙ୍କ୍ କମାଣ୍ଡରଙ୍କୁ ହତ୍ୟା କରିବାପାଇଁ। ପାକିସ୍ତାନୀ ଲେଫ୍ଟନାଣ୍ଟ ରାତିର ଘନ ଅନ୍ଧକାରର ସୁଯୋଗ ନେଇ ଆଗେଇ ଚାଲିଲେ। ଗୁଳ୍ମାକୀର୍ଣ୍ଣ ଋଣଭୂମି। ଚାରିଆଡ଼େ ଘେରି ରହିଥାଏ ଏକ ମୃତ୍ୟୁଶୀତଳ ନୀରବତା। ଅତି ସନ୍ତର୍ପଣରେ ସେ ଟ୍ୟାଙ୍କ ଉପରେ ଚଢ଼ିଯାଇ ଲକ୍ଷ୍ୟକଲେ ସେଇ ଭାରତୀୟ ମେଜର ମୁହଁପୋତି ଅତି ନିବିଷ୍ଟ ଚିତ୍ତରେ ପରବର୍ତ୍ତୀ ଦିନର ଯୁଦ୍ଧ ପାଇଁ ଯୁଦ୍ଧ-ମାନଚିତ୍ରକୁ ନିରୀକ୍ଷଣ କରୁଛନ୍ତି। ଆଉ କାଳବିଳମ୍ବ ନକରି ସେ ତାଙ୍କ ମୁଣ୍ଡକୁ ଗୁଳି ଚଳେଇଲେ। ହତ୍ୟାର ପ୍ରମାଣ ସ୍ବରୂପ ଆଣିଲେ ମୃତକଙ୍କ ପଦକ ଓ ତାଙ୍କ ମୁଣାରେ ଥିବା ଏକ ଧାର୍ମିକ ମୋହର।

ଫେରିଆସି ପରମ ତୃପ୍ତିର ସହ ବଢ଼େଇଦେଲେ ଆଣିଥିବା ଏହାକୁ ନିଜ ବ୍ରିଗେଡିୟରଙ୍କ ହାତକୁ। କହିଲେ, ‘ସାର୍, ମୁଁ ବିଶ୍ବାସ କରିପାରୁ ନାହିଁ, ଭାରତବର୍ଷର ସେନାବାହିନୀରେ ମଧ୍ୟ ମୁସଲମାନ ସୈନିକ ଅଛନ୍ତି, ଯେଉଁମାନେ ଏପରି ଅଙ୍ଗୀକାରବଦ୍ଧତାର ସହ ପାକିସ୍ତାନ ବିରୋଧରେ ଲଢ଼େଇ କରିପାରୁଛନ୍ତି।’ ବ୍ରିଗେଡିୟର ତାକୁ ସ୍ପର୍ଶ କରିବାମାତ୍ରେ ତାଙ୍କ ହାତ ଥରିବାକୁ ଲାଗିଲା ଓ ପାଟିରୁ ବାହାରି ଆସିଲା- ‘ମେରେ ଛୋଟୁ’। ଅସ୍ପଷ୍ଟ ସ୍ବରରେ ସେ ଲେଫ୍ଟନାଣ୍ଟଙ୍କୁ କହୁଛନ୍ତି, ‘ମୁଁ ଯାହାକୁ ହତ୍ୟା କରିବାପାଇଁ ତମକୁ ପଠେଇଥିଲି ସେ ହେଉଛି ମୋର ଅତି ଆଦରର ସାନଭାଇ ମେଜର ଏମ୍.ଆର୍.ଶେଖ, ଯାହାକୁ ତା’ର କଅଁଳ ବୟସରେ ଗେହ୍ଲାରେ ଡାକୁଥିଲି ‘ଛୋଟୁ’।’ ଏକ ଅକୁହା ଆବେଗର ଧାରା କୋହ ନମାନି ବୋହି ଚାଲିଥାଏ ପାକିସ୍ତାନୀ ବ୍ରିଗେଡିଅରଙ୍କ ଆଖିରୁ। ଅନନ୍ତ ଯୁଗର ସଞ୍ଚିତ ବେଦନା ଯେପରି ଫୁଟି ଉଠୁଥିଲା ସେଇ ବିଳାପ ଭିତରେ।

ଧର୍ମ ନିର୍ବିଶେଷରେ ଦେଶ ପାଇଁ ବଳିଦାନର କେତେକେତେ କରୁଣ କାହାଣୀରେ ଗଢ଼ା ଏ ଦେଶର ଇତିହାସ। ଧାର୍ମିକ ସଂକୀର୍ଣ୍ଣତାର ଊର୍ଦ୍ଧ୍ବରେ, ରାଷ୍ଟ୍ରଭକ୍ତିର ଜୁଆରରେ ଗଢ଼ା ଏ କାହାଣୀ। ଦେଶର ରାଜନୀତିରେ ଆଜି ଅସହିଷ୍ଣୁତା, ଅବିଶ୍ବାସ ଓ ଅହମିକାର ସଂଘର୍ଷ। ରାଷ୍ଟ୍ରଭକ୍ତିର ପ୍ରମାଣ ଦେବାପାଇଁ କେହିକେହି ଛାତିର ଚଉଡ଼ାକୁ ଦେଖାଉଛନ୍ତି; କିନ୍ତୁ ଇତିହାସ ମାପିବ ନାହିଁ ରାଷ୍ଟ୍ରଭକ୍ତିକୁ ଛାତିର ଚଉଡ଼ାରେ, ମାପିବ ହୃଦୟର ଗଭୀରତାରେ; ଯେଉଁଠି ସବୁ ଧର୍ମ, ସବୁ ଜାତି ସମାନ। ଅବିଶ୍ବାସ, ହୃଦୟହୀନତା ଓ ନିଷ୍ପ୍ରାଣତାକୁ ବାଦ୍ଦେଇ ଗଢ଼ା ହେଉ ଉଦାରତାର ଏକ ନୂତନ ସ୍ବପ୍ନଲୋକ। ଧର୍ମ ନାମରେ ମଣିଷକୁ ହତ୍ୟା କରା ନଯାଉ, ସୃଷ୍ଟି କରା ନହେଉ ଏକ ଅସ୍ଥିର ଶ୍ମଶାନ, ଯେଉଁ ଶ୍ମଶାନରୁ ବାଟ ଫିଟିଯାଏ କ୍ଷମତାର ସିଂହାସନକୁ।

Comments are closed.