ରେଭେନ୍ସା ବିଶ୍ବବିଦ୍ୟାଳୟ ଓ ତା’ର ଭବିଷ୍ୟତ

- ଶୁଭେନ୍ଦୁ ମହାନ୍ତି, ପ୍ରାକ୍ତନ ଛାତ୍ର ସଂସଦ ସଭାପତି, ରେଭେନ୍ସା କଲେଜ

ବିଶ୍ବର ପ୍ରଥମ ୨୫୦ଟି ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ କୌଣସି ଗୋଟିଏ ହେଲେ ବି ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ନିଜର ଏକ ସ୍ୱତନ୍ତ୍ର ଆସନ ଜାହିର କରିବାରେ ସଫଳ ହୋଇ ପାରିନାହିଁ। ଶ୍ରେଷ୍ଠତା ଓ ଉତ୍କର୍ଷ ସାଧନ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ହେଉଥିବା ୍କ ରେ ମଧ୍ୟ ରେଭେନ୍ସାର ସ୍ଥାନ ନ ରହିବା ଆଉ ଏକ ଦୁଃଖର ବିଷୟ। ରେଭେନ୍ସା କଲେଜ ଏକକ ବିଶ୍ବବିଦ୍ୟାଳୟରେ ପରିଣତ ହେବାର ୧୩ ବର୍ଷ ବିତି ଯାଇଥିଲେ ମଧ୍ୟ କେବଳ ଏହାର ଆଙ୍ଗିକ ବିକାଶ ହୋଇଛି। ଏ ଯାଏ ଆତ୍ମିକ ବିକାଶ ଘଟିନାହିଁ । ଏଥିପାଇଁ ଆମେ ତେବେ କାହାକୁ ଦାୟୀ କରିବା ? ସରକାର ନା ରାଜନେତା? ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନା ଛାତ୍ରଛାତ୍ରୀମାନଙ୍କୁ? ଏ ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ମୁଁ କେବଳ ଏତିକିରେ ଆଜି ଅଟକି ଯାଇଛି।

ବାସ୍ତବରେ, ରେଭେନ୍ସା ବିଶ୍ବବିଦ୍ୟାଳୟ ଏବେ ଦୁର୍ଦିନ ମଧ୍ୟ ଦେଇ ଗତି କରୁଛି। ଭିତ୍ତିଭୂମି ବିକାଶ ନାଁରେ ଏଠି କେବଳ ଯାହା ଅଟ୍ଟାଳିକା ନିର୍ମାଣ ଚାଲିଛି। ଗୁଣାତ୍ମକ ଶିକ୍ଷା ନାହିଁ କହିଲେ ଚଳେ। ଏଠି ଅଧ୍ୟାପକ ମରୁଡ଼ି ଯୋଗୁଁ ଗେଷ୍ଟ ଫାକଲ୍ଟିରେ ପ୍ରାୟ ସବୁ କାମ ଚାଲିଛି। ଗବେଷଣା କାର୍ୟ୍ୟ ପ୍ରାୟ ନାହିଁ କହିଲେ ଚଳେ। ଯାହା କିଛି ଚାଲିଛି ତାହା ସମୁଦ୍ରକୁ ଶଙ୍ଖେ। ଗବେଷଣା ପାଇଁ ସମୟ ଦେବା ହାତଗଣତି କିଛି ଅଧ୍ୟାପକ ପ୍ରାଧ୍ୟାପିକାଙ୍କ ପକ୍ଷରେ ଆଦୌ ସମ୍ଭବ ହେଉନି ବୋଲି ଶୁଣାଯାଏ। ଉପଯୁକ୍ତ ଉଚ୍ଚଶିକ୍ଷିତ ଅଧ୍ୟାପକ ମନୋନୟନକୁ ନେଇ ସବୁ ବେଳେ ବିବାଦ ଲାଗିଥିଲେ ବି ଉଚ୍ଚଶିକ୍ଷାବିଭାଗ କିନ୍ତୁ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଉଦାସୀନ। ବାସ୍ତବରେ ବିଶ୍ବବିଦ୍ୟାଳୟ ହେବାପରେ ଯାହା କିଛି ଆଶା କରାଯାଉଥିଲା ସେମିତି କିଛି ଆଖିଦୃଶିଆ କାର୍ୟ୍ୟ ଏଠାରେ ହେଲାନାହିଁ। ଶିକ୍ଷାର ବ୍ୟବସାୟୀକରଣ ରାଜ୍ୟରେ ଆବାସିକ ମହାବିଦ୍ୟାଳୟମାନଙ୍କୁ ଜନ୍ମ ଦେଲା, ଯାହା ଫଳରେ ରେଭେନ୍ସା ଭଳି ଐତିହ୍ୟସମ୍ପନ୍ନ ବିଶ୍ବବିଦ୍ୟାଳୟ ଶ୍ରୀହୀନ ହୋଇ ପଡ଼ିଥିବା କୁହାଯାଏ।

ରେଭେନ୍ସାକୁ ଠିକଣା ରାସ୍ତାକୁ ଆଣିବାକୁ ହେଲେ ଶିକ୍ଷା ଦେବାର ତରିକା ସହ ସମସ୍ତ ପ୍ରଶାସନିକ ବ୍ୟବସ୍ଥା ଓ କାର୍ୟ୍ୟଧାରାକୁ ବଦଳାଇବାକୁ ହେବ। କେବଳ ବ୍ରାଣ୍ଡ ଦେଖି ଯେଉଁ ଛାତ୍ରଛାତ୍ରୀ ଏଠି ନାମଲେଖା ପାଇଁ ଗହଳି ଲଗାଉଥିଲେ,ଏବେ ସେମାନେ ପ୍ରାୟ ଘରୋଇ ଶିକ୍ଷାନୁଷ୍ଠାନକୁ ପ୍ରଥମ ପସନ୍ଦ ଭାବେ ନେଲେଣି। ଗେଷ୍ଟ ଫାକ୍ଲଟିଙ୍କୁ( ଅତିଥି ଅଧ୍ୟାପକଙ୍କୁ) ନେଇ ଶିକ୍ଷାଦାନ କରିବା ଫଳରେ ପ୍ରକୃତ ଉତ୍ତରଦାୟୀ ଯେହେତୁ କାହାକୁ କରି ହେଉନି, ତେଣୁ ଦୋଷ କେହି ନିଜ ଉପରକୁ ନେବାକୁ ନାରାଜ। ପ୍ରଶାସନିକ ଅବ୍ୟବସ୍ଥା ଭିତରେ ଗତି କରୁଥିବା ରେଭେନ୍ସା ପାଇଁ ସରକାର ନା କିଛି ଚିନ୍ତା କରୁଛନ୍ତି ନା ରେଭେନ୍ସା ବ୍ରାଣ୍ଡରେ ପ୍ରତିଷ୍ଠିତ କୌଣସି ଭଦ୍ର ବ୍ୟକ୍ତି ଏ ନେଇ ଟିକେ ଭାବୁଛନ୍ତି। ସେ ଯାହା ହେଉ ପ୍ରତ୍ୟେକ ଶିକ୍ଷା ବର୍ଷ ଶେଷରେ ରେଭେନ୍ସା ତା’ର ଡିଗ୍ରୀ କିମ୍ବା ତଦୂର୍ଦ୍ଧ୍ବ ଶିକ୍ଷା ସାର୍ଟିଫିକେଟ୍‌ ଦେବାରେ ସକ୍ଷମ ହେଉଛି।

ଉଚ୍ଚ ପଦବୀକୁ ନେଇ ଏଠି ପ୍ରାୟ ସବୁବେଳେ ଚାଲେ ଟଣାଓଟରା। ଠିକା କର୍ମଚାରୀ, ଠିକା ଅଧ୍ୟାପକ, ଠିକା ପ୍ରଶାସକ ଏବେ ରେଭେନ୍ସାର ଗୋଟିଏ ଗୋଟିଏ ନୂଆ ସ୍ଳୋଗାନ। ମୁଁ ରେଭେନ୍ସାର ଛାତ୍ର ସଂସଦର ସଭାପତି ଥିବାବେଳେ ରେଭେନ୍ସାରେ ଅଧ୍ୟାପକ ପ୍ରାଧ୍ୟାପକଙ୍କ ଏମିତି ଅଭାବ ନଥିଲା। ଅଧ୍ୟାପକମାନେ ମିଳିମିଶି ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ କାର୍ୟ୍ୟ କରୁଥିଲେ। ରେଭେନ୍ସାର ତତ୍କାଳୀନ ଖ୍ୟାତିସମ୍ପନ୍ନ ଅଧ୍ୟାପକ ପ୍ରାଧ୍ୟାପକ ଭାବେ ସର୍ବଶ୍ରୀ ମନ୍ମଥ ନାଥ ଦାଶ, ଖାରବେଳ ମହାନ୍ତି, ଅନନ୍ତ ଚରଣ ସାହୁ, ହରିହର ପଣ୍ଡା, ଜଗନ୍ନାଥ ପଟ୍ଟନାୟକ, ବିଦ୍ୟୁତ୍ ସାମଲ (ଇତିହାସ ବିଭାଗ), ଭ୍ରମର ବର ଜେନା, ଭଗବାନ କର,ପରେଶ ବର୍ମା (ରାଜନୀତି ବିଜ୍ଞାନ), ହୃଦାନନ୍ଦ ରାଏ, ରତ୍ନାକର ଚଇନି, ମାଳବିକା ରାଏ, ଗୌରୀକୁମାର ବ୍ରହ୍ମା (ଓଡ଼ିଆ), ବିଜୟ ବଳ, ନିତାଇ ଦାସ ମୁଖାର୍ଜୀ, ସନତ ଦାସ ପଟ୍ଟନାୟକ, ଦିନେଶ ପଟ୍ଟନାୟକ, କମଋଦ୍ଦିନ ଖାଁ, ତ୍ରିଲୋଚନ ଆଚାର୍ୟ୍ୟ (ଇଂରାଜୀ), ମନୋରମା ମହାପାତ୍ର, ସୁରେନ୍ଦ୍ର ମିଶ୍ର, ସତ୍ୟକାମ ମିଶ୍ର (ଅର୍ଥନୀତି), ଜ୍ଞାନ ଶର୍ମା, ବୈକୁଣ୍ଠ ବିହାରୀ ଆଚାର୍ୟ୍ୟ, ନନ୍ଦ କିଶୋର ପୁହାଣ,ମୁରଲୀ ଷଡ଼ଙ୍ଗୀ (ବାଣିଜ୍ୟ), ତତ୍ତ୍ବକନ୍ଦର ମିଶ୍ର (ଦର୍ଶନ), ପ୍ରଭାତ ମିଶ୍ର( ରସାୟନ ବିଜ୍ଞାନ), ମୁରଲୀ ସାମଲ (ଗଣିତ), କପିଳେଶ୍ବର ଗାହାଣ ପ୍ରମୁଖଙ୍କ ଶିକ୍ଷାଦାନ ମୁଁ ଓ ମୋର ସମସାମୟିକଙ୍କ ଦୃଷ୍ଟିରେ ଏବେ ବି ଜୀବନ୍ତ।

ସେତେବେଳେ ଏଭଳି ସ୍ବନାମଧନ୍ୟ ଅଧ୍ୟାପକଙ୍କ ପାଇଁ ରେଭେନ୍ସା କଲେଜରେ ପିଲା ନାମ ଲେଖାଇବାକୁ ଜିଦ୍ ଧରୁଥିଲେ। ଏହି ଅଧ୍ୟାପକମାନଙ୍କ ଉତ୍ସର୍ଗୀକୃତ ସେବା, ପଢାଇବାର କୌଶଳ ଓ ସମର୍ପିତ ମନୋଭାବର ପଟ୍ଟାନ୍ତର ନାହିଁ। ଆମ ସମୟରେ ରେଭେନ୍ସାରୁ ଇତ୍ତୀର୍ଣ୍ଣ ସମସ୍ତ ମେଧାବୀ ଏବେ ଆମ ରାଜ୍ୟ ପ୍ରଶାସନରେ ଅଛନ୍ତି। ଦେଶ ବିଦେଶରେ ମଧ୍ୟ ଆମ ଭାଇମାନେ (ରେଭେନ୍ସାଭିଆନ୍‌ମାନେ) ବଡ଼ବଡ଼ ପଦବୀରେ ରହିଛନ୍ତି।

ରେଭେନ୍ସାରେ ପ୍ରତିନିଧିତ୍ବ କରୁଥିବା ଛାତ୍ର ନେତାମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ରାଜନୀତିରେ ଜଣେ ଜଣେ ଆଗଧାଡ଼ିର ନେତା ଭାବେ ସକ୍ରିୟ ଅଛନ୍ତି। କୌଣସି କୁଳପତିମାନେ କାର୍ୟ୍ୟରେ ଯୋଗଦେବା ପରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍,ଏହାର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କୁ ଚିହ୍ନିବା ଓ ଜାଣିବାରେ ବେଶ୍ କିଛିଦିନ ବିତିଯାଏ। ତା’ପରେ ଅସଲ ସମସ୍ୟାଗୁଡ଼ିକ ସୃଷ୍ଟି ହୁଏ। ସଚିବାଳୟକୁ ବାରମ୍ବାର ଦୌଡ଼ି ନୂଆ ଯୋଜନା କାର୍ୟ୍ୟକାରୀ କରୁ କରୁ କୁଳପତିଙ୍କୁ ବର୍ଷେ ଦେଢ଼ବର୍ଷ ଲାଗିଯାଏ। ତା’ ପରେ ଆରମ୍ଭ ହୋଇଯାଏ ରାଜନୀତି। ଗୋଷ୍ଠୀ ସଂଘର୍ଷ, ହଷ୍ଟେଲ ସମସ୍ୟା ସମାଧାନ କରୁ କରୁ କୁଳପତିଙ୍କ କାର୍ୟ୍ୟକାଳ ସରିଯାଏ।

ଶେଷରେ ଏତିକି କହିବି ରେଭେନ୍ସା ହେଉଛି ଆମର ଏବଂ ଆମ ପିଲାମାନଙ୍କର ସ୍ୱପ୍ନ ଆଉ ସମ୍ଭାବନାର ଗୋଟିଏ ଅନ୍ତୁଡ଼ିଶାଳ। ଏବେ ଏ ଅନୁଷ୍ଠାନଟି କ୍ରମଶଃ ଦୁର୍ବଳ ହେଉଛି। କଳା, ବାଣିଜ୍ୟ ଓ ବିଜ୍ଞାନ ବିଷୟକୁ ନେଇ ଏହା ଆଉ ଆଗକୁ ଆଗେଇ ପାରୁନି। ଘରୋଇ ଶିକ୍ଷାନୁଷ୍ଠାନ ସହ ପ୍ରତିଯୋଗିତା କରିପାରୁନି। କେବଳ ଇମାରତ୍ ନିର୍ମାଣ ଓ ପ୍ରଚାରପ୍ରସାରରେ ପରିବର୍ତ୍ତନ ଆସିବ ନାହିଁ। ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ପାଇଁ ସରକାର ଓ ବୁଦ୍ଧିଜୀବୀ ସମାଧାନର ସୂତ୍ର ବାହାରୀ କରିବା ଆବଶ୍ୟକ ବୋଲି ମନେହୁଏ।

Comments are closed.